ବାଣିଜ୍ୟ

Panchayat: ପୋଚିଲିମା ରାଜ୍ୟର ‌ଶ୍ରେଷ୍ଠ ପଞ୍ଚାୟତ: ଅଧିକାଂଶ ଭଲ ପଞ୍ଚାୟତ ଗଞ୍ଜାମରେ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅଧୀନସ୍ଥ ପୋଚିଲିମା ହେଉଛି ରାଜ୍ୟର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ। କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ପଞ୍ଚାୟତ ପ୍ରଗତି ସୂଚକାଙ୍କ (ପିଆଇଏ)ର ଦ୍ବିତୀୟ ସଂସ୍କରଣ ରିପୋର୍ଟରୁ ଏହା ଜଣାପଡ଼ିଛି। ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟ, ଜଳ ଉପଲବ୍ଧତା, ସ୍ବଚ୍ଛତା, ମହିଳା ଓ ଶିଶୁ ଅନୁକୂଳ ଭଳି ନଅ ପ୍ରକାର ମାନଦଣ୍ଡ ଆଧାରରେ ରାଜ୍ୟର ପଞ୍ଚାୟତଗୁଡ଼ିକୁ ଅନୁଶୀଳନ କରାଯାଇଥିଲା। ସେଥିରେ ସର୍ବାଧିକ ୮୩.୨୭ ସ୍କୋର ହାସଲ କରି ପୋଚିଲିମା ଏକ ନମ୍ବର ସ୍ଥାନରେ ରହିଛି। ପ୍ରଦର୍ଶନ ଅନୁସାରେ ପଞ୍ଚାୟତଗୁଡ଼ିକୁ ଏ+ (୯୦-୧୦୦), ଏ (୭୫-୯୦), ବି (୬୦-୭୫), ସି (୪୦-୬୦) ଓ ଡି (୪୦ରୁ କମ୍‌) ଭଳି ପାଞ୍ଚଟି ବର୍ଗରେ ବିଭକ୍ତ କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମର ଅଧିକ ପଞ୍ଚାୟତକୁ ଶ୍ରେଷ୍ଠ ମାନ୍ୟତା ମିଳିଛି। ଏହାର ଅଧିକାଂଶ ପଞ୍ଚାୟତ ଏ+ ଓ ଏ ବର୍ଗରେ ରହିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟରେ ତ୍ରିପୁରା ଓ କେରଳ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହି ଦୁଇ ରାଜ୍ୟର ସିଂହଭାଗ ପଞ୍ଚାୟତକୁ ‘ଏ’ ବର୍ଗରେ ସ୍ଥାନ ମିଳିଛି। ତୃତୀୟ ସ୍ଥାନରେ ଓଡ଼ିଶା ରହିଛି। ଏହାର ୬୭୯୪ଟି ପଞ୍ଚାୟତ ମଧ୍ୟରୁ ୮.୨ ପ୍ରତିଶତ ପଞ୍ଚାୟତ ‘ଏ’ ବର୍ଗରେ ରହିଛନ୍ତି।

ଅଧିକାଂଶ ଭଲ ପଞ୍ଚାୟତ ଗଞ୍ଜାମରେ
ତ୍ରିପୁରା, କେରଳ ପଛକୁ ଓଡ଼ିଶା ତୃତୀୟ

ସାମଗ୍ର ସ୍କୋର ହିସାବରେ ରାଜ୍ୟର କୌଣସି ଗ୍ରାମ ପଞ୍ଚାୟତ ଏ+ ବର୍ଗରେ ନାହାନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ମାନଦଣ୍ଡରେ ୬ଟି ପଞ୍ଚାୟତକୁ ଏ+ ମାନ୍ୟତା ମିଳିଛି। ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବନଯାପନ ମାନଦଣ୍ଡରେ ଗଞ୍ଜାମର ହିଞ୍ଜିଳିକାଟୁ ଅଧୀନସ୍ଥ ସାହାପୁରକୁ ଏ+ ମାନ୍ୟତା ମିଳିଛି। ସୁସ୍ଥ ପଞ୍ଚାୟତ ମାନଦଣ୍ଡରେ ଗଞ୍ଜାମ ପୁରୁଷୋତ୍ତମପୁରର ରାୟପୁର, ଶିଶୁ ଅନୁକୂଳ ମାନଦଣ୍ଡରେ ଜଗତସିଂହପୁରର ରଘୁନାଥପୁର ଅଧୀନସ୍ଥ ତାରାପୁର, ପର୍ଯ୍ୟାପ୍ତ ଜଳ ମାନଦଣ୍ଡରେ କେନ୍ଦୁଝରର ଚମ୍ପୁଆ ଅଧୀନସ୍ଥ ପଡୁଆ, ସ୍ବଚ୍ଛ ଓ ସବୁଜ ବର୍ଗରେ ସୁନ୍ଦରଗଡ଼ର ଲାଠିକଟା ଅଧୀନସ୍ଥ ହାତୀବନ୍ଧା ଏବଂ ଆତ୍ମନିର୍ଭର ଭିତ୍ତିଭୂମି ମାନଦଣ୍ଡରେ ଗଞ୍ଜାମର ପୁରୁଷୋତ୍ତମପୁରର ଭାଟକୁମରଡ଼ାକୁ ଏ+ ମାନ୍ୟତା ମିଳିଛି। ସେହିପରି, ସାମାଜିକ ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ପୋଲସରା ଅଧୀନସ୍ଥ ମନ୍ଦାର, ଉତ୍ତମ ପ୍ରଶାସନରେ ଗଞ୍ଜାମର ଭଞ୍ଜନଗର ଅଧୀନସ୍ଥ ତୁରୁମୁ ଏବଂ ମହିଳା ଅନୁକୂଳ ମାନଦଣ୍ଡରେ ଗଞ୍ଜାମର ପାତ୍ରପୁରର ଗୁଡ଼ିଆପଦର ଗ୍ରାମ ପଞ୍ଚାୟତକୁ ‘ଏ’ ମାନ୍ୟତା ମିଳିଛି। ଓଡ଼ିଶାର ୫୫୫ଟି ପଞ୍ଚାୟତ ‘ଏ’, ୪୫୬୬ଟି ପଞ୍ଚାୟତ ‘ବି’ ଓ ୧୬୨୭ଟି ପଞ୍ଚାୟତ ‘ସି’ ବର୍ଗରେ ରହିଛନ୍ତି। ଦାରିଦ୍ର୍ୟମୁକ୍ତ କ୍ଷେତ୍ରରେ ୫୮୭ଟି ପଞ୍ଚାୟତକୁ ସଫଳତା ମିଳିଛି। ରାଜ୍ୟରେ ଏବେବି ଏଭଳି ୪୦୩ଟି ପଞ୍ଚାୟତ ରହିଛି ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧ ନଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More
Back to top button