Elephant Attacks Young Man Death: ହାତୀ ଆକ୍ରମଣରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ରାସ୍ତା ଅବରୋଧ

ଜଙ୍କିଆ/ନିରାକାରପୁର/ରଣପୁର/ବେଗୁନିଆ: ଖୋର୍ଦ୍ଧାଜିଲ୍ଲା  ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡି ଅଞ୍ଚଳରେ ହାତୀ ଆତଙ୍କ ଜଣେ ଯୁବକଙ୍କ ଜୀବନ ନେଇଛି। ହାତୀ ଆକ୍ରମଣରେ ନିଧିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ହଜ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ନିଧିପୁର ଆଦିବାସୀ ସାହିର ସ୍ୱର୍ଗତ ଦିଜବର ନାୟକଙ୍କ ପୁଅ ସୁଶାନ୍ତ କୁମାର ନାୟକ (୩୫) ଗତକାଲି (ଗୁରୁବାର) ରାତି ପ୍ରାୟ ୧୦:୩୦ ସମୟରେ ହଜ ଗ୍ରାମରୁ ନିଜ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହଜ-ନିଧିପୁର ରାସ୍ତାର କଲରାଝର ଗ୍ରାମ ଶେଷମୁଣ୍ଡରେ ଏକ ହାତୀ ସହ ସୁଶାନ୍ତଙ୍କ ସାମ୍ନାସାମ୍ନି ହୋଇଥିଲା। ହାତୀଟି ସୁଶାନ୍ତଙ୍କୁ ଦଳିଚକଟି ମାରିଦେବା ସହ ତାଙ୍କ ସାଇକେଲକୁ ମଧ୍ୟ ଭାଙ୍ଗି ଚୂରମାର କରିଦେଇଛି।

ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପଡ଼ିଥିଲେ। ନାରଗୋଦା ଜଙ୍ଗଲରେ ରହୁଥିବା ହାତୀପଲ ବର୍ଷତମାମ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଧନଜୀବନ ହାନି କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ମା’, ସ୍ତ୍ରୀ ଓ ଦୁଇ ନାବାଳକ ସନ୍ତାନ ଅସହାୟ ହୋଇପଡ଼ିଛନ୍ତି।

ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଦାବିରେ ଗ୍ରାମବାସୀମାନେ ହଜ ଛକଠାରେ ନୟାଗଡ-ପୁରୀ– ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ। ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗଳାବାଟ ଦେଇ ଯାଉଥିବା ବାଇକ ଆରୋହୀଙ୍କୁ ମଧ୍ୟ ଅବରୋଧକାରୀମାନେ ଅଟକାଇଥିଲେ, ଯାହା ଫଳରେ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷ ଖବର ସୁଦ୍ଧା, ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଜିଦ୍‌ରେ ଅଟଳ ଅଛନ୍ତି ଗ୍ରାମବାସୀ।

 

 

 

ସୌଜନ୍ୟ ସମ୍ବାଦ