Forest Land: ଜବଦରଖଲରେ ୩୧୫୦ ହେକ୍ଟର ଜଙ୍ଗଲଜମି, ରାଉରକେଲା ଆର୍‌ସିସିଏଫ୍‌ ଅନ୍ତର୍ଗତ ୫ ବନଖଣ୍ଡରେ ସଙ୍ଗିନ ସ୍ଥିତି

ରାଉରକେଲା(ଦେବବ୍ରତ ଗଡ଼ତିଆ): କେବଳ ସରକାରୀ ଜମି ନୁହେଁ, ବରଂ ଜଙ୍ଗଲ ଜମି ବି କବ୍‌ଜା କରୁଛନ୍ତି ଅସାଧୁବ୍ୟକ୍ତି। ବର୍ଷବର୍ଷ ହେଲ ଜମିମାଫିଆ ସଂରକ୍ଷିତ ଜଙ୍ଗଲ/ଗ୍ରାମ୍ୟଜଙ୍ଗଲ ଜମିକୁ ମାଡ଼ିବସିଛନ୍ତି। କିଏ ନର୍ସରି ନାଁରେ ଜବରଦଖଲ କରିଛି ତ, ପୁଣି କିଏ ଶିଳ୍ପକାରଖାନା ସଂପ୍ରସାରଣ, ବେଆଇନ କୃଷି ଓ ଆବାସିକ ସମ୍ପ୍ରସାରଣ ପାଇଁ ଜମିକୁ ଅନଧିକୃତ କବ୍‌ଜା କରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ସର୍କଲ୍ ଅନ୍ତର୍ଗତ ବିଭିନ୍ନ ବନଖଣ୍ଡରେ ୩୧୪୯.୭୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ଥିବା ବିଭାଗୀୟ ତଥ୍ୟରୁ ଜଣାପଡ଼ିଛି।

ସୁନ୍ଦରଗଡ଼ ବନଖଣ୍ଡରେ ସର୍ବାଧିକ ୨୭୬୦.୭୭ ହେକ୍ଟର ଜମି ଜବରଦଖଲରେ

ରାଉରକେଲା ଆର୍‌ସିସିଏଫ୍‌ ସର୍କଲ୍‌ ଅଧୀନରେ ୫ଟି ବନଖଣ୍ଡ, ଯଥା‌-ରାଉରକେଲା, ସୁନ୍ଦରଗଡ଼, ବଣାଇ, ଦେବଗଡ଼ ଓ କେନ୍ଦୁଝର ବନଖଣ୍ଡ ଅନ୍ତର୍ଭୁକ୍ତ। କେବଳ ବଣାଇ ବନଖଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ବନଖଣ୍ଡରେ ଜମି ଜବରଦଖଲରେ ରହିଛି। ସୁନ୍ଦରଗଡ଼ ବନଖଣ୍ଡରେ ସର୍ବାଧିକ ୨୭୬୦.୭୭ ହେକ୍ଟର ଜମି ଜବରଦଖଲରେ। ବିଶେଷକରି ଆଠକୋଶିଆ, କୁକୁଡ଼ା, ଧାଙ୍ଗେରଗୁଡ଼ି, ଛେଲ୍‌ଗୁଡ୍ରି, ଜାନକାନି, ବୁଢ଼ାଝରିଆ, ଦୁଧଝରଣ, ଯୋରାଯାମ, କିରାଲଗା, ରୋହିନି, ହାତୀଧର୍ସା, ଛତମ ସଂରକ୍ଷିତ ଜଙ୍ଗଲରେ ଜବରଦଖଲ ଦେଖିବାକୁ ମିଳିଛି। ସେହିଭଳି କେନ୍ଦୁଝରରେ ୩୬୨.୫୮ ହେକ୍ଟର ଓ ଦେବଗଡ଼ରେ ୨୬.୩୯ ହେକ୍ଟର ଜମିକୁ ଅସାଧୁବ୍ୟକ୍ତି ନିଜ ଅକ୍ତିଆରରେ ରଖିଛନ୍ତି। ରାଉରକେଲା ବନଖଣ୍ଡ ଅଧୀନରେ ମଧ୍ୟ ୭.୭୫ ହେକ୍ଟର ଜମି ଜବରଦଖଲ ହୋଇଥିଲା, ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଜବରଦଖଲମୁକ୍ତ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ, ଅନ୍ୟ ବନଖଣ୍ଡରେ ଜବରଦଖଲମୁକ୍ତ ଅଭିଯାନ କୌଣସି କାରଣରୁ ଆଗେଇ ପାରୁନି।

Untitled

କେବଳ ସୁନ୍ଦରଗଡ଼ ବନଖଣ୍ଡ ଦ୍ବାରା ହାତଗଣତି ୭୪.୭୮ ହେକ୍ଟର(୨.୭୦%) ଅସାଧୁବ୍ୟକ୍ତିଙ୍କ କବ୍‌ଜାରୁ ମୁକ୍ତ କରାଯାଇଥିଲାବେଳେ ଦେବଗଡ଼ରେ ଏହାର ଆଦୌ ସମ୍ଭବ ହୋଇପାରିନି। ତେବେ କେନ୍ଦୁଝରରେ ନିର୍ଦ୍ଦିଷ୍ଟ କେତେ ପରିମାଣର ଜମିକୁ ସଫଳତାର ସହ ମୁକୁଳାଯାଇଛି, ତାହା ଅସ୍ପଷ୍ଟ। ଅପରପକ୍ଷରେ ଜବରଦଖଲକାରୀଙ୍କ ବିରୋଧରେ ମାମଲାରୁଜୁ ବି ହୋଇଛି। ଏହି ସର୍କଲ୍‌ରେ ମୋଟ୍‌ ୧୭୯୫ଟି ମାମଲା ରୁଜୁ କରାଯାଇଛି। ରାଉରକେଲା ବନଖଣ୍ଡ ପକ୍ଷରୁ ୯୩ଟି ମାମଲା ରୁଜୁ ହୋଇଥିବାବେଳେ ସୁନ୍ଦରଗଡ଼ରେ ୯୦୯, ଦେବଗଡ଼ରେ ୧୯୮ ଓ କେନ୍ଦୁଝର ବନଖଣ୍ଡ ପକ୍ଷରୁ ୫୯୫ଟି ମାମଲା ରୁଜୁ ହୋଇଛ।

 

 

 

ସୌଜନ୍ୟ ସମ୍ବାଦ