ଭୁବନେଶ୍ୱର: ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାଗମରା ଓ ପୋଖରୀପୁଟ ମୌଜାର ଦୁଇଟି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜାଗମରା ମୌଜାର ଖାତା ନମ୍ବର-୧୧୫୪ର ପ୍ଲଟ୍ ନମ୍ବର-୧୯୩୨ ଗୋଚର ଜମିରେ ଜବର ଦଖଲ ହୋଇଥିବା ୧୦୩ ଡେସିମାଲ୍ ଜମିରୁ ଉଚ୍ଛେଦ କରାଯାଇଥିଲା। ଏଠାରେ ଗଢ଼ିଉଠିଥିବା ଏକ ବେଆଇନ ଟେଣ୍ଟହାଉସ୍ର ବାଉଁଶ ଓ ପଲିଥିନ୍ରେ ନିର୍ମିତ ସେଡ୍କୁ ଭଙ୍ଗା ଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପୋଖରୀପୁଟ ଅନନ୍ତବିହାର ଫେଜ୍ ୩ ଲେନ୍ ନମ୍ୱର ୧୦ ରେ ଥିବା ପୋଖରୀପୁଟ ମୌଜା ଅନ୍ତର୍ଗତ ଖାତାନମ୍ବର-୧୯୬ର ପ୍ଲଟ୍ ନମ୍ବର-୧୪୧ରେ ଗୋଚର ଜମିରୁ ଆଂଶିକ ଉଚ୍ଛେଦ କରାଯାଇଛି। ୮୬୫ ଡେସିମାଲ୍ ଜମି ଉପରେ ନିର୍ମାଣ ହୋଇଥିବା ତିନିଟି କଂକ୍ରିଟ୍ ସେଡ୍, ୬୫୦ ଫୁଟ୍ର ବାଉଣ୍ଡାରି ୱାଲ୍କୁ ଭଙ୍ଗା ଯାଇଥିଲା। ତେବେ ସେଠାରେ ଥିବା ଏକ ପକ୍କା ଘରକୁ ଭାଙ୍ଗିବା ପାଇଁ ବିଡିଏ ପକ୍ଷରୁ ଯୋଜନା କରାଯାଇଥଲା। ମାତ୍ର ମାମଲା କୋଟଁଙ୍କ ବିଚାରାଧୀନ ଥିବାରୁ ଏହାକୁ ଛାଡ଼ି ଦିଆଯାଇଛି।
ଅପରପକ୍ଷେ ପୋଖରୀପୁଟ ମୌଜାରେ ଉଚ୍ଛେଦ ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉଚ୍ଛେଦ ହେଉଥିବା ୧୪୧ନମ୍ବର ପ୍ଲଟ୍ ନିକଟରେ ଥିବା ୧୪୫ ନମ୍ବର ପ୍ଲଟ୍କୁ ଭାଙ୍ଗିବା ପାଇଁ ସରକାରୀ ଅଧିକାରୀ ଚିହ୍ନ ଦେବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ପ୍ଲଟ୍ ମାଲିକଙ୍କ ଯୁକ୍ତିତର୍କ ହୋଇଥିଲା। କୋର୍ଟଙ୍କ ଆଦେଶ ନମାନି ଘର ଉଚ୍ଛେଦ ହେଉଥିବା ନେଇ ପ୍ଳଟ୍ ମାଲିକ ଅଭିଯୋଗ କରିଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ ଏହାକୁ କିଭଳି ଉଚ୍ଛେଦ କରାଯିବ ସେନେଇ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ସ୍ଥାନୀୟ ବାସିନ୍ଦା ବିପିନ ମହାପାତ୍ରଙ୍କ କହିବା ଅନୁଯାୟୀ, ୨୦୧୨ ମସିହାରୁ ସେ ପ୍ଲଟ୍ ନମ୍ବର ୧୪୫ ଜମି କିଣି ଘର କରି ରହୁଛନ୍ତି। ଏହା ସରକାରୀ ଜମିରେ ଯାଉ ନଥିବା ବେଳେ ଉଚ୍ଛେଦ କରିବା ନେଇ ବିଡିଏ ବାରମ୍ବାର ନୋଟିସ ଦେଇ ଆସୁଛି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେବେ ମାପ ଠିକ୍ ଭାବେ ହେଉ ନଥିବା କାରଣରୁ ସରକାରୀ ଅଧିକାରୀ ଜମି ଠିକ୍ ଭାବେ ସୀମା ନିର୍ଦ୍ଧାରଣ କରିପାରୁନାହାନ୍ତି।
ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ଡେପୁଟି ଡାଇରେକ୍ଟର ଅମିୟ କୁମାର ଦାସ କହିଛନ୍ତି ଆମେ କୋର୍ଟର ନିର୍ଦ୍ଦେଶ କ୍ରମେ ଯାହା ଅର୍ଡର ଆସିଛି ତାକୁ ଭାଙ୍ଗୁଛୁ। ଯେଉଁମାନେ କହୁଛନ୍ତି ମାମଲା ଚାଲିଛି ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଯେହେତୁ ସେମାନେ ବହୁ ଦିନ ଧରି ଜବରଦଖଲ କରି ରହିଆସୁଛନ୍ତି, ତେଣୁ ବିରୋଧ କରୁଛନ୍ତି। ଯେଉଁମାନଙ୍କର ଜମି ସମ୍ବନ୍ଧୀୟ ବୈଧ ପ୍ରମାଣପତ୍ର ରହିଛି, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଉଚ୍ଛେଦ ସମୟରେbda ବହୁ ଜିଏ ଓ ବିଡିଏ ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ ନିୟୋଜିତ ରହିଥିଲେ।
ସୌଜନ୍ୟ ସମ୍ବାଦ
