Farmer: ଷଣ୍ଢ ନାମରେ ଏତଲା ଦେଲେ ଚାଷୀ: ବୁଲାଗୋରୁଙ୍କ ପାଇଁ ସତ୍ୟବାଦୀ ଅଞ୍ଚଳରେ ଉଜୁଡ଼ିଯାଉଛି ଫସଲ
ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବଳପୁର ପଞ୍ଚାୟତର ଶତାଧିକ ଚାଷୀ ବୁଲାଷଣ୍ଢଙ୍କ ନାଁରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି। ବୁଲା ଷଣ୍ଢ ଓ ଅଣ୍ଡିରା ବାଛୁରୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଶହଶହ ଚାଷୀ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବଳପୁର ପଞ୍ଚାୟତର ଶତାଧିକ ଚାଷୀ ବୁଲାଷଣ୍ଢଙ୍କ ନାଁରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି। ବୁଲା ଷଣ୍ଢ ଓ ଅଣ୍ଡିରା ବାଛୁରୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଶହଶହ ଚାଷୀ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବିରି, ମୁଗ ଭଳି ରବି ଫସଲଠାରୁ ଆରମ୍ଭ କରି ପନିପରିବା ଓ ଧାନ ଫସଲକୁ ବୁଲା ଗୋରୁ ଓ ଷଣ୍ଢମାନେ ନଷ୍ଟ କରି ଚାଲିଛନ୍ତି। ଚାଷୀ ନିଜ ରକ୍ତକୁ ପାଣି କରି ଯେଉଁ ଫସଲ କରୁଛି ତାହା ଆଜି ଷଣ୍ଢଙ୍କ ମୁହଁରେ ଉଜୁଡ଼ିଯିବାକୁ ବସିଛି। ପଞ୍ଚାୟତରେ ଥିବା ଗୋଚର ଜମି କିମ୍ବା ହିଡ଼-ଦଣ୍ଡା ଆଉ ଦେଖିବାକୁ ମିଳୁନି। ସେସବୁ ଏବେ ଜବରଦଖଲକୁ ଚାଲିଗଲାଣି। ଫଳରେ ଗୋରୁଗାଈମାନେ ଚରିବାକୁ ନପାଇ ଭୋକ ବିକଳରେ ବିଲରୁ ଫସଲ ଖାଇ ନଷ୍ଟ କରିଦେଉଛନ୍ତି।
ଅନ୍ୟପକ୍ଷରେ ସେମାନଙ୍କୁ ଘଉଡ଼ାଇଲେ କିମ୍ବା ଅନ୍ୟ କେଉଁଠି ନେଇ ଛାଡ଼ିଲେ ଚାଷୀଙ୍କ ନାମରେ ଗୋଚାଲାଣ ଅଭିଯୋଗ କରାଯାଉଛି। ଫଳରେ ଚାଷୀମାନେ ଆଇନକୁ ଡରି ଫସଲ ଜମିକୁ ଗୋରୁଙ୍କ ମୁହଁରେ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏ ସଂପର୍କରେ ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଳିକ କହିଛନ୍ତି ଯେ ଚାଷୀମାନଙ୍କ ସମସ୍ୟା ଅତ୍ୟନ୍ତ ସମ୍ବେଦନଶୀଳ ଓ ସେମାନଙ୍କ ଅଭିଯୋଗ ଯଥାର୍ଥ। ଷଣ୍ଢ, ଗୋରୁଙ୍କ ଉପରେ ଆଇନଗତ ମାମଲା କରିବା ସମ୍ଭବ ନ ହେଲେ ମଧ୍ୟ ଆମେ ଚାଷୀ ଭାଇମାନଙ୍କ ସହ ଆଲୋଚନା କରିଛୁ। ସ୍ଥାନୀୟ ପ୍ରଶାସନ, ବ୍ଲକ୍ କର୍ତ୍ତୃପକ୍ଷ ଏବଂ ସରପଞ୍ଚଙ୍କ ସହ ମିଶି ଏହାର ଏକ ବିକଳ୍ପ ସମାଧାନ ରାସ୍ତା ବାହାର କରାଯିବ। ବୁଲା ଗୋରୁଙ୍କ ପାଇଁ କୌଣସି ଅସ୍ଥାୟୀ ଗୋଶାଳା କିମ୍ବା ସେମାନଙ୍କ ଚାରଣ ପାଇଁ ବ୍ୟବସ୍ଥା କରି ଚାଷୀଙ୍କ ଫସଲକୁ କେମିତି ସୁରକ୍ଷିତ ରଖାଯାଇପାରିବ, ସେ ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସମସ୍ୟାର ସମାଧାନ ନ ହେଲେ ଚାଷୀମାନେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




