Fertilizer production decreased: ଆମେରିକା- ଇସ୍ରାଏଲ ଏବଂ ଇରାନ ଯୁଦ୍ଧର ପ୍ରଭାବ ଏବେ ଭାରତର ସାର ଉତ୍ପାଦନ ଉପରେ ପଡ଼ିଲାଣି। ଯୁଦ୍ଧ ଯୋଗୁ ସାର ତିଆରି ପାଇଁ କଞ୍ଚାମାଲର ଅଭାବ ଦେଖାଦେଇଥିବା ବେଳେ, ମାର୍ଚ୍ଚରେ ଉତ୍ପାଦନ ପ୍ରାୟ ଏକ ଚତୁର୍ଥାଂଶ କମିଛି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ମାର୍ଚ୍ଚରେ ସାର ଉତ୍ପାଦନ ୨୪.୬% ହ୍ରାସ ପାଇଛି। ସେପଟେ ବିଶେଷଜ୍ଞ କହିବା କଥା ହେଲା ଯଦି ସ୍ଥିତି ଶୀଘ୍ର ସମାଧାନ ନ ହୁଏ ତେବେ ଆଗକୁ ଦେଶରେ ଖାଦ୍ୟ ସଂକଟ ଦେଖା ଦେଇପାରେ।
ଭାରତର ସାର ଉଦ୍ୟୋଗ ଉପରେ ଇରାନ ଯୁଦ୍ଧ ପ୍ରଭାବ। ମାର୍ଚ୍ଚ ମାସରେ କମିଲା ସାର ଉତ୍ପାଦନ। ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ ମାର୍ଚ୍ଚ ମାସରେ ସାର ଉତ୍ପାଦନ ୨୪.୬% ହ୍ରାସ ପାଇଛି। ସାର ଉତ୍ପାଦନ ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ପ୍ରାକୃତିକ ଗ୍ୟାସର ଅଭାବ। ପ୍ରକୃତରେ ସାର ତିଆରି ପାଇଁ ପ୍ରାକୃତିକ ଗ୍ୟାସର ବ୍ୟାପକ ବ୍ୟବହାର ହୋଇଥାଏ। ବିଶେଷ କରି ୟୁରିଆ ସାର ଉତ୍ପାଦନ ପାଇଁ ଖୁବ୍ ଏଲଏନ୍ଜି ଆବଶ୍ୟକ। ହେଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ପ୍ରାକୃତିକ ଗ୍ୟାସର ଯୋଗାଣ ପ୍ରଭାବିତ ହୋଇଛି। ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରେ ପରିବହନ ବନ୍ଦ ରହିଛି। ତେଣୁ ଏଲଏନଜି ଆମଦାନୀ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସାର ବି ଆମଦାନୀ ହୋଇପାରୁ ନାହିଁ।
ଭାରତ ନିଜ ଆବଶ୍ୟକତାର ୬୦% ଏଲଏନଜି ଏବଂ ୪୦% ୟୁରିଆ ପାଇଁ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିଥାଏ। ସେହିପରି ମୋଟ ସାର ଆବଶ୍ୟକତାର ପ୍ରାୟ ୩୦-୩୫% ଆମଦାନୀ କରିଥାଏ। ଅବଶ୍ୟ ୟୁରିଆରେ ଭାରତ ଆତ୍ମନିର୍ଭରଶୀଳ ହେଉଛି। ଯେହେତୁ ଏହା ଏଲ୍ଏନ୍ଜି ଯୋଗାଣ ଉପରେ ନିର୍ଭରଶୀଳ ତେଣୁ ଗ୍ୟାସ ଯୋଗାଣ ବାଧା ପ୍ରାପ୍ତ ହେଲେ ସାର ଉତ୍ପାଦନ ପ୍ରଭାବିତ ହେଉଛି। ୟୁରିଆ ବାଦ ଡାଏ- ଆମୋନିୟମ ଫସଫେଟ (DAP) ଏବଂ ପୋଟାଶ ଭଳି ଉର୍ବରକ ୮୦-୯୦% ପର୍ଯ୍ୟନ୍ତ ଆମଦାନୀ କରୁଛି ଭାରତ।
ତେଣୁ ବର୍ତ୍ତମାନ ଯୋଗାଣ ବାଧା ପ୍ରାପ୍ତ ହୋଇଥିବା ବେଳେ ଭାରତରେ ଖାଦ୍ୟ ସଂକଟ ଆଶଙ୍କା ଦେଖା ଦେଇଛି। କାରଣ ଭାରତରେ ପ୍ରାୟ ୪୫% ଜନସଂଖ୍ୟା ଚାଷ ଉପରେ ନିର୍ଭରଶୀଳ। ସାର କମ୍ ହେବା ଦ୍ୱାରା ପ୍ରତି ହେକ୍ଟରରେ ଉତ୍ପାଦନ ୧୦%ରୁ ୧୫% କମିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାଦ୍ୱାରା ଶସ୍ୟ ଅମଳ କମିବା ସହ ଦରବୃଦ୍ଧି ବିପଦ ବଢ଼ିଯିବ। ସାର ଅଭାବ କିମ୍ବା ଏହାର କଳାବଜାରୀ ଯୋଗୁ ଚାଷ ଖର୍ଚ୍ଚ ବଢ଼ିଯିବ। ସେପଟେ ସରକାରଙ୍କ ସୂଚନା ଅନୁସାରେ, ଖରିଫ୍ ଋତୁ ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ବଫର ଷ୍ଟକ ରହିଛି। ତଥାପି ସରକାର ବିକଳ୍ପ ଉପାୟ ଦ୍ୱାରା ମରକ୍କୋ ଏବଂ ଜର୍ଡାନ ଭଳି ଦେଶରୁ ଯୋଗାଣ ପାଇଁ ଉଦ୍ୟମ କରୁଛନ୍ତି।
ସୌଜନ୍ୟ Prameya News7

