ଓଡ଼ିଶାରେ ମଧ୍ୟ ଏପରି ଜ୍ଞାନର ଅଭାବ ନାହିଁ। କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ସ୍ଥାନରେ କନ୍ଧ, ଦେଶିଆ, ଭୂମିଆ, ସଉରା, ବଣ୍ଡା, ପରଜା, ଡଙ୍ଗରିଆ କନ୍ଧ, ପାଉଡ଼ିଭୂୟାଁ ଆଦି ଆଦିବାସୀ ସ୍ବଭାବତଃ ଖୁବ୍‌ ଧୀର, ଶାନ୍ତ ଓ ସହନଶୀଳ। ସେମାନଙ୍କୁ ପାହାଡ଼ି ବନ୍ୟା ସହ୍ୟ କରିପାରୁଥିବା ବଂଶାନୁକ୍ରମିକ ଫସଲ ସମ୍ପର୍କରେ ଜଣା, ଯେଉଁଥିପାଇଁ ପ୍ରତିକୂଳ ପାଗରେ ମଧ୍ୟ ସେମାନେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥାଆନ୍ତି। ଆକାଶରେ ମେଘ, ପବନର ଦିଗ, ପଶୁପକ୍ଷୀଙ୍କ ଆଚରଣ ଓ ଗଛଲତା ଆଦିରେ ପରିବର୍ତ୍ତନ ଦେଖି ସେମାନେ ଆଶ୍ଚର୍ଯ୍ୟଜନକ ଭାବରେ ନିର୍ଭୁଲ୍‌ ପାଣିପାଗର ପୂର୍ବାନୁମାନ କରିପାରନ୍ତି। ଏହି ବିଦ୍ୟା ଚାଷବାସ ଓ ଗୋଷ୍ଠୀ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତିକି ଦରକାର ସେତିକି ନିଅ, ପ୍ରତିଦାନରେ ଯାହା ପାରୁଛ ପ୍ରକୃତିକୁ ଫେରେଇ ଦିଅ- ସେମାନେ ଏହି ଧର୍ମରେ ବିଶ୍ୱାସ କରନ୍ତି। ପିଢ଼ିରୁ ପିଢ଼ିକୁ ଗଡ଼ିଆସୁଥିବା ଏହି ଜ୍ଞାନ ହେତୁ ଓଡ଼ିଶାରେ ବହୁ ସମ୍ପ୍ରଦାୟ ଆଜି ବି ସ୍ବଚ୍ଛନ୍ଦରେ ଜୀବନଯାପନ କରୁଛନ୍ତି।

କଥାରେ ଅଛି, ଗାଁ କନିଆ ଶିଙ୍ଘାଣିନାକୀ। ଆମେ ପ୍ରାୟତଃ ଆମର ପାରମ୍ପରିକ ଜ୍ଞାନକୁ ଅଣଦେଖା କରିଥାଉ। ଆମେ ଆମ ନିଜ ଲୋକଙ୍କ ପାଖରେ ଥିବା ଶକ୍ତିର ଉଚିତ ଆକଳନ କରି ନଥାଉ। ଆମ ମାଟି, ଆମ ଜଙ୍ଗଲ ବିଷୟରେ ବାସ୍ତବ ଅନୁଭୂତି ନଥିବା ବଡ଼ବଡ଼ ବିଶେଷଜ୍ଞମାନଙ୍କୁ ପୁଳା ପୁଳା ଟଙ୍କା ବାଣ୍ଟିବାରେ ଆମର କୁଣ୍ଠା ନଥାଏ। ବେଳେବେଳେ ମୋ ମନକୁ ଆସେ, ଯଦି ଆମ ଆଦିବାସୀ ଭାଇଭଉଣୀ ସୋସିଆଲ୍‌ ମିଡିଆରେ ଥାଆନ୍ତେ, ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ କରୁଥାଆନ୍ତେ, ଫେସ୍‌ବୁକ୍ ଓ ଏକ୍ସରେ ଜ୍ଞାନ ବାଣ୍ଟୁଥାଆନ୍ତେ, ତା’ହେଲେ ହୁଏତ ଆମେ ସେମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରୁଥାଆନ୍ତୁ। ଜଙ୍ଗଲୀ ବୃକ୍ଷର ମଞ୍ଜିକୁ ସାଇତି ରଖୁଥିବା ହାତ, ଜଙ୍ଗଲକୁ ପାହାନ୍ତିରୁ ପହରା ଦେଉଥିବା ମଣିଷ, ତାରାଖଚିତ ଆକାଶ ତଳେ ଶୁଭୁଥିବା କାହାଣୀର କୌଣସି ଭିଡିଓ ନାହିଁ। ଆମେ ଦୂରଦୂରାନ୍ତରୁ ଉତ୍ତର ଖୋଜୁଛୁ, ହେଲେ ଉତ୍ତର ଆମ ପାଖରେ ଅଛି। ଆମେ ପୃଥିବୀକୁ ବଞ୍ଚାଇବାକୁ ବଡ଼ ବଡ଼ କଥା କହୁଛୁ, ହେଲେ ଯେଉଁମାନେ ବାସ୍ତବରେ ପୃଥିବୀ ସହ ଅଛନ୍ତି, ତା’ରି କୋଳରେ ଜିଉଛନ୍ତି, ସେମାନଙ୍କୁ କେବେ ଶୁଣିବା? ସେମାନଙ୍କଠାରୁ କେବେ ଶିଖିବା?

ତନୟା ପଟ୍ଟନାୟକ
ସଂପାଦକ

ସୌଜନ୍ୟ ସମ୍ବାଦ