Fix sanitation system: ‘ୟୁଜର୍ସ ଫି ଆଦାୟ ପୂର୍ବରୁ ପରିମଳ ବ୍ୟବସ୍ଥା ସଜାଡ଼’

ଚଳିତ ମାସରୁ ଆବର୍ଜନା ପାଇଁ ୟୁଜର୍ସ ଫି’ ଲାଗୁ କରିଛି ଭୁବନେଶ୍ବର ମହାନଗର ନିଗମ। ଆବାସିକ ଗୃହ, ଦୋକାନୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବଡ଼ ବଡ଼...

ଭୁବନେଶ୍ୱର: ଚଳିତ ମାସରୁ ଆବର୍ଜନା ପାଇଁ ୟୁଜର୍ସ ଫି’ ଲାଗୁ କରିଛି ଭୁବନେଶ୍ବର ମହାନଗର ନିଗମ। ଆବାସିକ ଗୃହ, ଦୋକାନୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସବୁଠୁ ୟୁଜର୍ସ ଫି’ ଆଦାୟ ହେବ। ଲୋକେ ୫୦ ଟଙ୍କାରୁ ଆରମ୍ଭ କରି ୪୦ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି’ ଗଣିବେ। ୨୦୧୮ ମସିହାର ଏହି ବ୍ୟବସ୍ଥାକୁ ହଠାତ୍ ଭୁବନେଶ୍ବର ମହାନଗର ନିଗମ ଚଳିତବର୍ଷରୁ ଲାଗୁ କରିବା

ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ ଆରମ୍ଭ କରିଛନ୍ତି। ବିଜେଡି କହିଛି, ଆଗ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କର, ଲୋକେ ସ୍ବତଃସ୍ଫୃର୍ତ୍ତ ଭାବେ ୟୁଜର୍ସ ଫି ଦେବେ। କିନ୍ତୁ ପରିମଳ ବ୍ୟବସ୍ଥାରେ ସୁଧାର ନ ଆଣି ହଠାତ୍ ଏଭଳି ଚାପ ନିଶ୍ଚିତ ଜନଅସନ୍ତୋଷ କାରଣ ହେବ। ବିଜେପି କହିଛି, ରାଜସ୍ବ ଆଦାୟ ନିୟମ ଓ ଏଥିପାଇଁ ଦାୟିତ୍ବନ୍ୟସ୍ତ କମିଟି ଗଠନ ନ କରି କେବଳ ଲୋକଙ୍କ ଉପରେ ନାନାଦି କର ଲଦିଦେବା ଆଦୌ ଗ୍ରହଣୀୟ ନୁହେଁ। କେବେ ବି ବିଏମ୍‌ସି ଏଥିରେ ସଫଳ ହେବନି। କଂଗ୍ରେସ କହିଛି, ଡବଲ୍ ଇଂଜିନ ସରକାରରେ ଦରଦାମ ବୃଦ୍ଧି ଅନିୟନ୍ତ୍ରିତ ଥିବାବେଳେ ୟୁଜର୍ସ ଫି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହା ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ।

ଭୁବନେଶ୍ବର ମହାନଗର ନିଗମ ସ୍ବଚ୍ଛ ସର୍ବେକ୍ଷଣରେ ୮୪ତମ ସ୍ଥାନରୁ ଆସି ଦେଶର ଶ୍ରେଷ୍ଠ ୧୦ ସହର ମଧ୍ୟରେ ସ୍ଥାନ ପାଇଛି। ଆଗକୁ ଦେଶର ଶ୍ରେଷ୍ଠ ୩ ସହର ଭିତରେ ଭୁବନେଶ୍ବର ମହାନଗର ନିଗମକୁ ରଖିବାକୁ ଲକ୍ଷ୍ୟ ରଖିଛୁ। ଏଥିରେ ୟୁଜର୍ସ ଫି’ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବ। ଏହାଦ୍ବାରା ପରିମଳ ପରିଚାଳନା ବ୍ୟବସ୍ଥା ସୁଦୃଢ଼ ହେବ ଓ ଖର୍ଚ୍ଚ ଭାର ବହନ ହୋଇପାରିବ। ଘରୁ ଅଳିଆ ସଂଗ୍ରହ ବେଳେ ଓଦା, ଶୁଖିଲା ଆଦି ବର୍ଜ୍ୟ ପୃଥକୀକରଣ ସହଜ ହେବ। ଭୁବନେଶ୍ବର ମହାନଗର ନଗର ଦେଶର ଶ୍ରେଷ୍ଠ ୩ ସହରରେ ସ୍ଥାନ ଦେବା ସ୍ବପ୍ନ ସଫଳ ହୋଇପାରିବ। ଘରୁ ଅଳିଆ ସଂଗ୍ରହଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ପର୍ଯ୍ୟନ୍ତ, ପରିମଳ ପରିଚାଳନା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛୁ। ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନେଉଛୁ। ତଥାପି ନିଜ ଅଞ୍ଚଳକୁ ସଫାସୁତରା କଥା ଲୋକେ ନିଜେ ବୁଝିବା ଜରୁରି।
ସୁଲୋଚନା ଦାସ, ମେୟର, ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର ମହାନଗର ନିଗମ ଆଗ ଉତ୍ତମ ସେବା ଦେଉ, ଲୋକେ ସ୍ବତଃସ୍ଫୃତ ୟୁଜର୍ସ ଫି ଦେବେ। ସେଭଳି କିଛି ନ କରି ୟୁଜର୍ସ ଫି ଲାଗୁ କେବେ ବି ସଫଳ ହେବନି। ୟୁଜର୍ସ ଫି ଲାଗୁ ପୂର୍ବରୁ ଲୋକଙ୍କୁ ସଚେତନତା କରାଯାଉ। ଭୁବନେଶ୍ବରର ପରିମଳ ବ୍ୟବସ୍ଥାକୁ ଠିକ୍ କରାଯାଉ। ସେବା ସନ୍ତୋଷଜନକ ହେଲେ, ୟୁଜର୍ସ ଫି ଆଦାୟ ସହଜ ହେବ। କିନ୍ତୁ ଏଠି ସଫେଇ କର୍ମଚାରୀମାନେ ଆନ୍ଦୋଳନ କଲେ ୫ ଦିନ ଧରି ଅଳିଆ ଉଠୁନି। ସକାଳୁ ଉଠିଲେ ଆବର୍ଜନା ଦେଖୁଛୁ। ଦୁର୍ଗନ୍ଧମୟ ପରିବେଶରେ ଯିବାକୁ ପଡ଼ୁଛି। ଆନ୍ଦୋଳନ ବେଳେ ଜରୁରୀକାଳୀନ ପରିସ୍ଥିତି ଭଳି ସଫାସୁତରା କରିବାକୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ କରାଯାଉ। ଆଗ ସହରକୁ ସରସ ସୁନ୍ଦର, ସ୍ବଚ୍ଛ କରାଯାଉ। ସଫାସୁତରାକୁ ବ୍ୟାପକ କଲେ ୟୁଜର୍ସ ଫି ନେବାରେ ଅସୁବିଧା ନାହିଁ।

ଅନନ୍ତ ନାରାୟଣ ଜେନା, ବିଧାୟକ, ମଧ୍ୟ ନିର୍ବାଚନମଣ୍ଡଳୀ

ୟୁଜର୍ସ ଫି ହେଉ କି ଅନ୍ୟାନ୍ୟ ରାଜସ୍ବ ବୃଦ୍ଧି ପ୍ରସଙ୍ଗ, ଏଥିପାଇଁ କ’ଣ ନିୟମ ରହିଛି, ଆଗ ଭୁବନେଶ୍ବର ମହାନଗର ନିଗମ ଜାଣିବା ଦରକାର। ରାଜସ୍ବ ବୃଦ୍ଧି ତଥା ଆଦାୟ ନିଷ୍ପତ୍ତି ନେବା ପାଇଁ ଭୁବନେଶ୍ବର ମହାନଗର ନିଗମରେ ଏକ ୩ଜଣିଆ କମିଟି ରହିବା ଜରୁରି। ଯେଉଁଥିରେ ଜଣେ ଅବସରପ୍ରାପ୍ତ ଅବା କାର୍ଯ୍ୟରତ ବିଚାରପତି ଆମ୍ବୁଡ୍‌ସମ୍ୟାନ୍, ଆକାଉଣ୍ଟ୍‌ସ ବିଭାଗ ଅବା ଭୁବନେଶ୍ବର ମହାନଗର ନିଗମର ୨ଜଣ ସଦସ୍ୟ ରହିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କମିଟି ଗଠନ କରାଯାଇନି। କମିଟି ଗଠନ ସଂପର୍କିତ ପ୍ରସ୍ତାବ ବି ରାଜ୍ୟ ସରକାରଙ୍କୁ ଦିଆଯାଇନି। ଏଭଳି ସ୍ଥିତିରେ ଯେତେ କର ଲଗାଇଲେ ବି ଶତ ପ୍ରତିଶତ ଆଦାୟ ହୋଇପାରିବନି। ହୋଲ୍ଡିଂ ଟିକସ ଅଦ୍ୟାବଧି ଶତପ୍ରତିଶତ ଆଦାୟ ହୋଇପାରୁନି। ମନଇଛା ୟୁଜର୍ସ ଫି ଓ ଅନ୍ୟାନ୍ୟ କର ଲାଗୁ କେବେ ବି ସଫଳ ହେବନି।

ଜଗନ୍ନାଥ ପ୍ରଧାନ, ବରିଷ୍ଠ ବିଜେପି ନେତା

ଓଡ଼ିଶାରେ ଯେବେଠୁ ଡବଲ୍ ଇଂଜିନ ସରକାର ଆସିଛି, ଦରଦାମ ବୃଦ୍ଧି ଅହେତୁକ ବୃଦ୍ଧି ପାଇଛି। ଲୋକେ ଦରଦାମ ବୃଦ୍ଧିରେ ସନ୍ତୁଳି ହୋଇଗଲେଣି। ୩୦୦ ୟୁନିଟ୍ ମାଗଣା ବିଜୁଳି ବଦଳରେ ସ୍ମାର୍ଟ ମିଟର ଲଗାଗଲାଣି ଓ ସିକ୍ୟୁରିଟି ଜମା ଆଦାୟ ହେଲାଣି। ଏଭଳି ସ୍ଥିତିରେ ୟୁଜର୍ସ ଫି ଆଦାୟ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ। ୟୁଜର୍ସ ଫି ଆଦାୟ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ଓ ଏହାର ତୁରନ୍ତ ପ୍ରତ୍ୟାହାର ପାଇଁ କଂଗ୍ରେସ ଦାବି କରୁଛି। କଂଗ୍ରେସ ଏହାର ଦୃଢ଼ ଜବାବ ଦେବ। ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ।

ପ୍ରକାଶ ଚନ୍ଦ୍ର ଜେନା, ସଭାପତି, ଭୁବନେଶ୍ବର ଜିଲ୍ଲା କଂଗ୍ରେସ

ୟୁଜର୍ସ ଫି ଆଦାୟ କରିବା ପୂର୍ବରୁ ବିଏମ୍‌ସି ନିଜ ଦାୟିତ୍ୱ ଠିକ୍‌ରେ ନିର୍ବାହ କରିବା ଆବଶ୍ୟକ। ସହରର ଅଧିକାଂଶ ଵାର୍ଡରେ ଆବର୍ଜନା ଗଦା ହୋଇ ରହୁଛି। ବିଏମ୍‌ସି ଅଧିକାରୀ, ମେୟର ପ୍ରଥମେ ସବୁ ଵାର୍ଡର ସ୍ଥିତି ଦେଖନ୍ତୁ। ତା’ ପରେ ଫି ଆଦାୟ କରିବେ।

ଅନୁରାଧା ଦାଶ, ସମ୍ପାଦକ, ସତ୍ୟନଗର ଲେଡିଜ୍‌ ଫୋରମ୍‌

ଠିକ୍‌ରେ ଲୋକଙ୍କୁ ସେବା ଯୋଗାଇ ନ ପାରିଥିବାରୁ ଆଜି ବି ବିଏମ୍‌ସି ସେବା ଜନାଦୃତ ହୋଇପାରି ନାହିଁ। ୟୁର୍ଜସ ଫି ଆଦାୟ କରିବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରତ୍ୟେକ ଵାର୍ଡରେ ସଭା କରି ଲୋକଙ୍କ ମତାମତ ନେବା ଉଚିତ ଥିଲା। ଏହା ଦ୍ୱାରା ଲୋକମାନେ ମଧ୍ୟ ସଚେତନ ହୋଇପାରିବେ।

ନିଶାକର ରାଉତ, ସମ୍ପାଦକ,  ସହିଦନଗର ବରିଷ୍ଠ ନାଗରିକ ସଂଘ 

ବିଏମ୍‌ସି ୟୁର୍ଜସ ଫି ଆଦାୟ କଲେ, ଲୋକେ ବାଧ୍ୟହୋଇ ଦେବେ। କିନ୍ତୁ ଏହା ପୂର୍ବରୁ ଲୋକଙ୍କୁ ବିଏମ୍‌ସି ବିକଶିତ ସେବା ଯୋାଗାଇବାର ପ୍ରତିଶ୍ରୁତି ଦେବା ବି ଆବଶ୍ୟକ। ଏଯାବତ୍‌ ଆମ ଵାର୍ଡରେ ଭଳରେ ସଫେଇ ହେଉନଥିବାରୁ ଆବର୍ଜନା ପଡ଼ିରହିଛି। ତେଣୁ ପ୍ରଥମେ ସେବା ଯୋଗାଇ ଟିକସ ଆଦାୟ କଲେ, କୌଣସି ଅସୁବିଧା ରହିବ ନାହିଁ।

ଗିରିଜା ନନ୍ଦନ ମହାନ୍ତି, ସଭାପତି, ଶାସ୍ତ୍ରୀ ନଗର ବରିଷ୍ଠ ନାଗରିକ ମଞ୍ଚ

ଗରିବଗୁରୁବା ଅଳିଆକୁ ନେଇ କରିବ କଣ? ବିଏମ୍‌ସି ହେବା ପୂର୍ବରୁ ଏନ୍‌ଏସି ହେଉ କି ୟୁନିଅନ୍ ବୋର୍ଡ ହେଉ, ତା’ର ମୁଖ୍ୟ କାମ ହେଉଛି ଅଳିଆ ଆବର୍ଜନା ସଫା କରିବା। ଏବେ ଅଳିଆ ଉଠାଇବାକୁ ଲୋକେ ଟିକସ ଦେବେ! କି ହାସ୍ୟାସ୍ପଦ କଥା ଇଏ! ତୁରନ୍ତ ଏହା ବନ୍ଦ ହେବା ଉଚିତ।

ବୃନ୍ଦାବନ ସାହୁ, ସଭାପତି ଆଞ୍ଚଳିକ ବିକାଶ ପରିଷଦ

ରାଜସ୍ବ ଆଦାୟ ପାଇଁ ଏହି ନିୟମଟି ଜିଜିଆ କର ସଦୃଶ। ଏହା ଲୋକଙ୍କ ଉପରେ ଏକ ବୋଝ ହେବ। ଲୋକେ ରାତିଅଧରେ ଅଳିଆ ନେଇ ବାହାରେ ପକାଇଲେ, ବିଏମ୍‌ସି କିପରି ଟିକସ ଆଦାୟ କରିବ କରୁ! କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ଅଛି ତ?

ପ୍ରଶାନ୍ତ କୁମାର ଦାସ, ପୁରୁଣା ଭୁବନେଶ୍ବର

ଲିଙ୍ଗରାଜ ମନ୍ଦିରରୁ ପାଦୁକ, ବେଲ ପତ୍ର, ଫୁଲ ପରି ଯେଉଁ ଅଳିଆ ବାହାରୁଛି, ସେଥିପାଇଁ ବିଏମ୍‌ସି ଟିକସ ଆଦାୟ କରିବ କି?  ବିଏମ୍‌ସି ଅଫିସ ଲିଙ୍ଗରାଜଙ୍କ ଜମିରେ ହୋଇଛି। ବିଏମ୍‌ସି ଆଗ ସେ ଜମି ବାବଦରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଟଙ୍କା ଫେରାଉ।

ଗୋପାଳ ମକଦ୍ଦମ, ଲିଙ୍ଗରାଜ ମନ୍ଦିର ସେବାୟତ

ବିଏମ୍‌ସି ତ ବ୍ରିଟିସ୍ ଠାରୁ ବଳିଗଲା! ଏଭଳି ନିୟମକୁ ଲାଗୁ କରିବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ମତାମତ ନେବା ଉଚିତ ଥିଲା। ମାତ୍ର ଏଭଳି ହୋଇନାହିଁ। ତେଣୁ ଆମେ ଅଳିଆ ଦେବୁନି କି ପଇସା ଦେବୁନି। ଅତ୍ୟାଧୁନିକ ପଦ୍ଧତିରେ ଆର୍ବଜନା ପରିଚାଳନା କରିବା ନାଁରେ ଅର୍ଥ ଚଳୁ କରିବା ପାଇଁ ଏହା ଏକ ବଡ଼ ଯୋଜନା।

ପିନୁ ନାୟକ, କଲୋନି ବାସିନ୍ଦା

ଆର୍ବଜନା ପରିଚାଳନା ନାମରେ ଦିନ ମଜୁରିଆ ବସ୍ତିବାସିନ୍ଦାଙ୍କୁ ହଇରାଣ କରାନଯାଉ। ଖଟି ଖଟି ପେଟକୁ ଭଲରେ ମୁଠାଏ ଖାଇବା ପାଇଁ ଅର୍ଥ ଅଣ୍ଟୁନି, ପିଲାଛୁଆଙ୍କୁ ପଢ଼ାଇବା କଷ୍ଟକର ହେଉଛି। ସେଥିପାଇଁ ଗାଁ ଛାଡ଼ି ସହରରେ ମୁଣ୍ଡ ଗୁଞ୍ଜିଛୁ। ଏଠି ଯଦି ଏତେ ପ୍ରକାର ଟିକସ ଦେବାକୁ ପଡ଼ିବ, ଚଳିବୁ କେମିତି?  ବାବୁମାନେ ଗରିବଗୁରୁବାଙ୍କ କଥା ଭାବିବା ନିୟମ କରିବା ଉଚିତ।

ଭରତ ଚନ୍ଦ୍ର ଆଦକ, ଇଶାନେଶ୍ବର ବସ୍ତି ସଭାପତି 

ସ୍ବଚ୍ଛ ଭାରତର ସ୍ବପ୍ନ ଦେଖାଇ ଏବେ ବିଏମ୍‌ସି ୟୁଜର୍ସ ଫି ଆଦାୟ କରିବ। ବିଏମ୍‌ସିରେ ବଡ଼ ହୋଟେଲ ଅଛି, ବଡ଼ବଡ଼ିଆଙ୍କ ଦାମୀ ଘର ଅଛି। ସେମାନେ ଟିକସ ଦେଲେ ବାଧିବନି। କିନ୍ତୁ ବିଏମ୍‌ସି ଅନ୍ତର୍ଗତ ଗାଁରେ ଲୋକେ କ’ଣ ପାଇବେ! ଏବେ ବିଏମ୍‌ସି ଉପକଣ୍ଠ ଗାଁଗୁଡ଼ିକୁ ମାଡ଼ିବସିବାର କାରଣ କେବଳ ଟିକସ ଜରିଆରେ ରାଜସ୍ବ ବୃଦ୍ଧି ବୋଲି ଜଣାପଡ଼ିଲାଣି।
ପ୍ରଭାତ ପାଣିଗ୍ରାହୀ, ଗ୍ରାମବାସୀ

ଆବର୍ଜନା ସଂଗ୍ରହ ବାବଦରେ ବିଏମ୍‌ସି ଯେଉଁଭଳି ଭାବେ ୟୁଜର୍ସ ଫି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଦିନକୁ ଦିନ ବିଏମ୍‌ସି ସାଧାରଣ ଲୋକଙ୍କ ଉପରେ ଜିଜିଆକର ଲଗାଉଛି। ପ୍ରତି କ୍ଷେତ୍ରରେ ଫି ଆଦାୟ ହେଉଥିଲେ ମଧ୍ୟ ଉପଯୁକ୍ତ ‌ସେବା ମିଳିପାରୁ ନାହିଁ। ରାସ୍ତାଘାଟଠାରୁ ଆଲୋକୀକରଣ ପର୍ଯ୍ୟନ୍ତ, ସବୁଠି ସମସ୍ୟା ଲାଗିରହିଛି। ତାହାର ସମାଧାନ ନ କରି ବିଏମ୍‌ସି ଫି ଆଦାୟ କରିବା ଆଦୌ ଠିକ୍‌ ନୁହେଁ।

ସୌଜନ୍ୟ ସମ୍ବାଦ

Exit mobile version