Flash flood risk: ଅକସ୍ମାତ୍ ବନ୍ୟା ଆଶଙ୍କା: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ନିର୍ଦ୍ଦେଶ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ଅକସ୍ମାତ ବନ୍ୟା ପରିସ୍ଥିତି....
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯିବା ସହ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ମୟୂରଭଞ୍ଜ, ଯାଜପୁର, ଜଗତ୍ସିଂହପୁର, ନୟାଗଡ଼, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର ଦେବଗଡ଼, ବୌଦ୍ଧ, କନ୍ଧମାଳ, ନୟାଗଡ଼, ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ଅଧିକ ରହିଥିବାରୁ ପ୍ରଶାସନ ପକ୍ଷରୁ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଅନୁଗୋଳ, ଗଞ୍ଜାମ, ବଲାଙ୍ଗୀର, ଜଗତ୍ସିଂହପୁର ଜିଲ୍ଲାକୁ ଅରେଞ୍ଜ ଜାରି ସହ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି।
ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ବିପର୍ଯ୍ୟୟ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ଚିଠିରେ କୁହାଯାଇଛି। ଏଥିସହ ବିଜୁଳି, ଘଡ଼ଘଡ଼ି ସମେତ ପବନରୁ ରକ୍ଷା ପାଇବାକୁ ସୁରକ୍ଷିତ ଜାଗାରେ ଅଶ୍ରୟ ନେବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଆଇଏମ୍ଡି ପକ୍ଷରୁ ଜାରି ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି ଦେଖିବା ଗତକାଲି ସକାଳଠାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲା ବିରିଡିଠାରେ ସର୍ବାଧିକ ୩୨୮ ମିମି ବର୍ଷା ରେକର୍ଡ ହୋଇଛି। ଏହା ତଳକୁ ସମ୍ବଲପୁର ଜିଲ୍ଲା ଯୁଯୁମୁରାଠାରେ ୨୭୫.୪ ମିମି, ନାକଟିଦେଉଳରେ ୧୪୫ ମିମି, ରେଢ଼ାଖୋଲରେ ୧୨୯ ମିମି, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ୧୨୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ କେନ୍ଦ୍ରାପଡ଼ା ସହରରେ ୭୮ ମିମି, ସୁବର୍ଣ୍ଣପୁରରେ ୭୧ ମିମି ବର୍ଷା ହୋଇଛି।
ସୌଜନ୍ୟ ସମ୍ବାଦ




