ରାଜ୍ୟ

MKCG: ଏମ୍‌କେସିଜିରେ କିଡ୍‌ନି ପ୍ରତିରୋପଣ ପ୍ରସ୍ତାବରେ ସୀମିତ: ମାନବସମ୍ବଳ ଓ ଭିତ୍ତିଭୂମି ଅଭାବ ମୁଖ୍ୟ ବାଧକ

୬୪ ବର୍ଷ ପୁରୁଣା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ହସ୍ପିଟାଲ୍‌ର ‌ନେଫ୍ରୋଲୋଜି ଓ ୟୁରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆଜି ପର୍ଯ୍ୟନ୍ତ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ପ୍ରସ୍ତାବରେ ସୀମିତ ରହିଛି। ଫଳରେ ଆଜି ବି ପ୍ରତିରୋପଣ ପାଇଁ ରୋଗୀ....

ବ୍ରହ୍ମପୁର: ୬୪ ବର୍ଷ ପୁରୁଣା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ହସ୍ପିଟାଲ୍‌ର ‌ନେଫ୍ରୋଲୋଜି ଓ ୟୁରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆଜି ପର୍ଯ୍ୟନ୍ତ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ପ୍ରସ୍ତାବରେ ସୀମିତ ରହିଛି। ଫଳରେ ଆଜି ବି ପ୍ରତିରୋପଣ ପାଇଁ ରୋଗୀ ବିଶାଖାପାଟଣା ଓ ମୁମ୍ବାଇର ବିଭିନ୍ନ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିଆସୁଛନ୍ତି।  କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ନେଇ ଗତବର୍ଷ ଅଧୀକ୍ଷକ ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ଆବଶ୍ୟକ ଭିତ୍ତିଭୂମି ଓ ମାନବସମ୍ବଳ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ରିପୋର୍ଟକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଥିଲା। କିନ୍ତୁ ଏହି ପ୍ରକ୍ରିୟା ଆଗକୁ ବଢ଼ି ନାହିଁ କି ସ୍ବାସ୍ଥ୍ୟ ବିଭାଗ ବି ଏଥିପାଇଁ ତତ୍ପରତା ଦେଖାଉ ନାହିଁ। ନେଫ୍ରୋଲୋଜି ବିଭାଗରେ ଡାକ୍ତର ଓ ଭିତ୍ତିଭୂମି ଅଭାବ ଏଥିରେ ବାଧକ ସାଜିଥିବା ଜଣାପଡ଼ିଛି। ବର୍ତ୍ତମାନ ମାସରେ ପ୍ରାୟ ୬୫୦ ରୋଗୀଙ୍କ କିଡ୍‌ନି ଡାଏଲିସିସ୍ ହେଉଛି। କିନ୍ତୁ ପ୍ରତିରୋପଣର ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଜଣେ ମାତ୍ର ଆସୋସିଏଟ୍‌ ପ୍ରଫେସରଙ୍କୁ ନେଇ ନେଫ୍ରୋଲୋଜି ବିଭାଗ ପରିଚାଳିତ ହେଉଛି। ୨୦୧୮ରେ ବିଭାଗରେ ଓପିଡି ଆରମ୍ଭ ହୋଇଥିବା ବେଳେ ମାସରେ ପ୍ରାୟ ଦୁଇଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ପ୍ରତିରୋପଣ ପାଇଁ ଅତ୍ୟାଧୁନିକ ମେସିନ୍‌ ଓ ଟେକ୍ନିସିଆନ୍‌ର ଅଭାବ ରହିଥିବା ଜଣାପଡ଼ିଛି। ଫଳରେ ରୋଗୀଙ୍କ ସଂପର୍କୀୟ ଚାହିଁଲେ ମଧ୍ୟ କିଡ୍‌ନି ଦାନ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଏମ୍‌କେସିଜିରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ଭବିଷ୍ୟତରେ ବାସ୍ତବ ରୂପ ‌ନେଇପାରିବ କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏଠାରେ ଗତ କିଛି ବର୍ଷ ହେଲା କିଡ୍‌ନି ପ୍ରତିରୋପଣ ସଂପର୍କିତ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଆରମ୍ଭ ହୋଇଛି। ନୂଆ ଡାଏଲିସିସ୍‌ ମେସିନ୍‌ ମଧ୍ୟ ଆସିଛି।

ସରକାରୀ ନିୟମାନୁସାରେ, ନେଫ୍ରୋଲୋଜି ବିଭାଗର ଦୁଇଜଣ ଓ ୟୁରୋଲୋଜି ବିଭାଗରେ ୪ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। ସେହିପରି ପାଥୋଲୋଜି ବାୟୋକେମିଷ୍ଟ୍ରି, ରକ୍ତ ଓ ଟ୍ରାନ୍ସଫ୍ୟୁଜନ୍ ବିଭାଗର ଡାକ୍ତର କିଡ୍‌ନି ପ୍ରତିରୋପଣରେ ସହଯୋଗ କରିବେ। ବର୍ତ୍ତମାନ ୟୁରୋ‌ଲୋଜି ବିଭାଗରେ ୪ଜଣ ଓ ନେଫ୍ରୋଲୋଜି ବିଭାଗରେ କେବଳ ଜଣେ ଡାକ୍ତର ଅଛନ୍ତି। କିନ୍ତୁ ଡାକ୍ତର ପଦବି ପୂରଣ ଓ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବି ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟର ପ୍ରଥମ ସରକାରୀ ବଡ଼ଡାକ୍ତରଖାନା ରୂପେ କଟକ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ଆରମ୍ଭ ହୋଇଥିଲା। ପରେ ଅନ୍ୟ ସବୁ ମେଡିକାଲ କଲେଜରେ ଏହି ସେବାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ତାହା ଆଜି ବି ବାସ୍ତବ ରୂପ ନେଇପାରୁନି। ବର୍ତ୍ତମାନ ଏମ୍‌କେସିଜି‌ରେ କେବଳ ଚକ୍ଷୁ ପ୍ରତିରୋପଣ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button