Food inflation : ବଜାରରେ ଦରଦାମ୍ର ଲମ୍ବଡିଆଁ, ଚିନି କିଲୋ ୫୫, ସୋରିଷ ତେଲ ୧୯୦…

ଭୁବନେଶ୍ୱର, ୨୭/୦୭ : ବଜାରରେ ଲମ୍ବଡିଆଁ ମାରିଲାଣି ଦର । ଶ୍ରାବଣରେ ପରିବା ତ ଶୋଷିଚାଲିଛି, ଏବେ ଚିନିଠୁ ନେଇ ସୋରିଷ ତେଲ, ଡାଲି, ଅଟା ଦର ବି ବଢ଼ିଲାଣି । ଦର ବୃଦ୍ଧିର ଏଭଳି ପ୍ରହାର ରାଜ୍ୟବାସୀଙ୍କୁ ଘାଇଲା କରିଦେଲାଣି । ମଧ୍ୟବିତ୍ତ ପରିବାର ଓ ଗରିବ ଶ୍ରେଣୀର ଲୋକେ ଆଉ ଖାଇବା, ପିଇବା କରିପାରୁନାହାନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦର ବୃଦ୍ଧି ଲୋକଙ୍କୁ ଯାହା ତ କଷ୍ଟ ଦେଇଥିଲା, ଏବେ ତାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
ଗତ ମାସେ ଭିତରେ ଚିନି ଦର କିଲୋ ପ୍ରତି ବଢ଼ି ବଢି ଆସି ୫୫ଟଙ୍କା ଛୁଇଁଲାଣି । ତେଲ ସଙ୍କଟ ଓ ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଚିନି ଦର ବଢ଼ିଥିଲା । ମେ ମାସରେ ଚିନି କୁଇଣ୍ଟାଲ ୪୧୦୦ଟଙ୍କା ଥିଲା । ଯୁଦ୍ଧ ବେଳେ ତାହା ୪୩୦୦ ଟଙ୍କା ଛୁଇଁଥିଲା । ଏବେ ୫ହଜାର ହେଲାଣି । ଫଳସ୍ୱରୂପ ବଜାରରେ ପୁଣି ଚିନି ଦର ବଢ଼ିଛି । ବର୍ତ୍ତମାନ ବଜାରରେ ସାଧାରଣ ଚିନି ଦର ୫୫ଟଙ୍କା ଥିବା ବେଳେ ଉତ୍ତମ ମାନର ଚିନି ଦର ୭୦ଟଙ୍କା ଉପରେ ରହିଛି । ଚିନି ଦର ବଢ଼ିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ସ୍ୱୀକାର କରିଛି । ଚିନି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏବେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଚିନି ଆସୁଛି । ଓଡ଼ିଶାରେ ବାର୍ଷିକ ୯ଲକ୍ଷ ଟନ୍ ଚିନି ଦରକାର ହେଉଥିବାରୁ ସେହି ଅନୁସାରେ ଦୈନନ୍ଦିନ ଚିନି ଆସେ । ସେଥିପାଇଁ ଦର ଓ ପରିବହନ ଭଡ଼ା ମଧ୍ୟ ନିର୍ଦ୍ଧାରଣ କରାଯାଏ । ହେଲେ ଆଖୁ ଦର ବଢ଼ୁଥିବା ଓ ଇଥାନଲ ପାଇଁ ଆଖୁର ବ୍ୟାପକ ବ୍ୟବହାର ଚିନି ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି । ସେଥିପାଇଁ ଜାତୀୟ ବଜାରରେ ଚିନିଦର ମଧ୍ୟ ଅନୁରୂପ ଭାବରେ ବଢ଼ୁଛି ।
ଗଲା ଜୁନ୍ରେ ରିଫାଇନ୍ ତେଲ ୧୨୧ ଥିବା ବେଳେ ଜୁଲାଇରେ ୧୭୦କୁ ବୃଦ୍ଧି ପାଇଥିଲା । ସୋରିଷ ତେଲ ୧୯୦ରୁ ୨୦୦, ସାଧାରଣ ଚାଉଳ ଜୁନ୍ରେ ୩୦ ଥିବା ବେଳେ ଜୁଲାଇରେ ୪୫, ବିରି ଡାଲି ୧୦୮ ଥିବା ବେଳେ ଏବେ ୧୭୦, ମଇଦା ୨୯ ଥିବା ବେଳେ ଜୁଲାଇରେ ୩୩, ସୁଜି ୩୧ ଥିବାବେଳେ ଜୁଲାଇରେ ୩୭, ଡାଲି କେଜି ପ୍ରତି ୧୩୦ରୁ ୧୪୦ଟଙ୍କାରେ ବିକ୍ରି ହେଉଛି । ରାଜ୍ୟ ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ, ଏଲ୍ନିନୋ ପ୍ରଭାବରେ ଚଳିତବର୍ଷ ବର୍ଷା କମ୍ ନେଇ ପୂର୍ବାନୁମାନ କରାଯାଇଥିଲା । ତେଣୁ ଆଗକୁ ମରୁଡ଼ି ଆଶଙ୍କା କରି କମ୍ପାନୀମାନେ ସାମଗ୍ରୀ ଷ୍ଟକ ରଖି ଦେଉଛନ୍ତି । ତେଣୁ ଦରଦାମ ବୃଦ୍ଧିର ଏହା ଏକ କାରଣ ହୋଇପାରେ । ବିଶ୍ୱ ବଜାରର ଅସ୍ଥିରତା, କାମ କରିବାକୁ ଲୋକ ନ ମିଳିବା, ଶ୍ରମିକଙ୍କ ମଜୁରୀ ବୃଦ୍ଧି, ପେଟ୍ରୋଲ-ଡିଜେଲ ଦାମ ବଢ଼ିବା ଯୋଗୁଁ ପରିବହନ ଖର୍ଚ୍ଚ ବୃଦ୍ଧିର ସିଧାସଳଖ ପ୍ରଭାବ ଦରବୃଦ୍ଧି ଉପରେ ପଡ଼ୁଛି । ସିପିଆଇର ରାଜ୍ୟ ସହ-ସମ୍ପାଦକ ଜୟନ୍ତ ଦାସ ଦରବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏବେ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ବାହାରେ । ପୂର୍ବରୁ ରେଗୁଲେଟେଡ୍ ମାର୍କେଟ କମିଟି ଦରଦାମ ଯାଞ୍ଚ କରୁଥିଲେ । ଏବେ ସେସବୁ ହେଉନି । ତେଣୁ ମନଇଚ୍ଛା ଦରବଢ଼ୁଛି । ରାଜଧାନୀର ଜଣେ ବାସିନ୍ଦା ଶଙ୍କର ମଲ୍ଲିକ କହିଛନ୍ତି, ଗାଁଠୁ ନେଇ ସହର ସବୁଠି ଦର ବୃଦ୍ଧି କଷଣ । ଲୋକେ ପରିବାଠୁ ନେଇ ଡାଲି,ଚାଉଳ କିଣିବାକୁ ଡରିଲେଣି । ସରକାର ସମସ୍ୟାର ସମାଧାନ କରନ୍ତୁ।
ସୌଜନ୍ୟ ପ୍ରମେୟ




