CM Grievance : ଜନତା ଦରବାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସିଧାସଳଖ ଶୁଣିଲେ ଲୋକଙ୍କ ଦୁଃଖ ଓ ସମସ୍ୟା

ଭୁବନେଶ୍ୱର ୨୭/୦୭: ରାଜଧାନୀରେ ବସିଲା ମୁଖ୍ୟମନ୍ତ୍ରୀ ଜନତା ଦରବାର। ଭୁବନେଶ୍ୱର ସ୍ଥିତ ୟୁନିଟ-୨ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଲୋକଙ୍କ ଦୁଃଖ ବୁଝିବା ସହ ସେମାନଙ୍କର ସମସ୍ୟ ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିଥିଲା। ସେଠରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ସେଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ପ୍ରଥମେ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଅଭିଯୋଗକାରୀଙ୍କୁ ଭେଟିଥିଲେ। ସେମାନଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜନ ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏହି ଅଭିଯୋଗ ଶୁଣାଣିର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ସହ ୬ ମନ୍ତ୍ରୀ, ସଚିବ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।ଅନଲାଇନ ଓ ଅଫଳାଇନରେ ଆଜି ୭୦୦ ଲୋକ ଆସି ଅଭିଯୋଗ କରିଥିଲେ। ୧୪୯୪୧ ଟି ଅଭିଯୋଗ ପୂର୍ବରୁ ଆସିଥିବାବେଳେ ୯୬ ପ୍ରତିଶତର ସମାଧାନ ହେଇଛି। ଫଳରେ ଲୋକଙ୍କ ଆସ୍ଥା ବଢ଼ିଛି । ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜାରି ରହିଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ୮୯ ପ୍ରତିଶତ ଅଭିଯୋଗ ର ଶୁଣାଣି କରାଯାଇ ସମାଧାନ କରାଯାଇଛି। ଲୋକଙ୍କ ସରକାର ଯୋଗୁଁ ଲୋକଙ୍କ କଥାକୁ ଗୁରୁତ୍ୱ ଦିଆଯାଇଛି। ଆଜି ବି ସାଧାରଣ ଲୋକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଏଠାକୁ ଆସିଥିଲେ। ତ୍ୱରିତ ଚିକିତ୍ସା ପାଇଁ। ୧୨ ଜଣଙ୍କୁ ୬ ଲକ୍ଷ ୧୫ ହଜାର ଟଙ୍କା ତାଙ୍କ ପାଇଁ ମଞ୍ଜୁର କରାଯାଇଛି।
ସୌଜନ୍ୟ ପ୍ରମେୟ




