ଲଙ୍କା ବିନା ଭାରତୀୟଙ୍କ ଖାଦ୍ୟ ଅଧୁରା। ଆମ ଘରେ ସାଧାରଣତଃ ଦୁଇ ପ୍ରକାରର ଲଙ୍କା ବ୍ୟବହାର ହୋଇଥାଏ- କଞ୍ଚା ସବୁଜ ଲଙ୍କା ଓ ଲାଲ ଶୁଖିଲା ଲଙ୍କା। ଉଭୟର ସ୍ବାଦ ଭିନ୍ନ ଓ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ କାମ କରିଥାନ୍ତି। ସବୁଜ ଲଙ୍କା ଶୁଖିଗଲେ ଲାଲ ହୋଇଯାଏ। କାରଣ ଏହା ସମସ୍ତ ଜଳୀୟ ଅଂଶ ହରାଇଥାଏ। ଆସନ୍ତୁ ଜାଣିବା, ଏହି ଦୁଇ ପ୍ରକାର ଲଙ୍କା ଭିତରେ କ’ଣ ରହିଛି ଫରକ।
କେଉଁଟା ଭଲ
ଶୁଖିଲା ଲଙ୍କା ତୁଳନାରେ ସବୁଜ ଲଙ୍କା ଅଧିକ ସ୍ୱାସ୍ଥ୍ୟକର। ସବୁଜ ଲଙ୍କାରେ ଅଧିକ ଜଳୀୟ ଅଂଶ ଓ ଜିରୋ କ୍ୟାଲୋରି ଥାଏ। ଏହା ଓଜନ କମାଇବାରେ ସାହାଯ୍ୟ କରେ। ସବୁଜ ଲଙ୍କାରେ ବିଟା-କାରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ୍ ଓ ଏଣ୍ଡୋର୍ଫିନ୍ର ଉତ୍ସ ରହିଥାଏ। ଅଧିକ ଶୁଖିଲା ଲଙ୍କା ଖାଇଲେ ଆଭ୍ୟନ୍ତରୀଣ ପ୍ରଦାହ ଦେଖାଯାଏ, ଯାହାଦ୍ବାରା ପେପ୍ଟିକ୍ ଅଲ୍ସର୍ ହୋଇପାରେ। ଇରିଟେବ୍ଲ ବାୱେଲ୍ ସିଣ୍ଡ୍ରୋମ୍ ବା ଇନ୍ଫ୍ଲାମେଟରି ବାୱେଲ୍ ଭଳି ରୋଗରେ ପୀଡ଼ିତ ବ୍ୟକ୍ତି ଲାଲ୍ ଲଙ୍କା ଖାଇଲେ ପେଟ ଯନ୍ତ୍ରଣା ଓ ଡାଇରିଆରେ ପଡ଼ିବା ଆଶଙ୍କା ରହିଛି। ଏହା ମଧ୍ୟ ଅସ୍ଥାୟୀ ଭାବେ ରକ୍ତଚାପ ବୃଦ୍ଧି କରିପାରେ।
କଞ୍ଚା ଲଙ୍କାର ଲାଭ
ନିୟମିତ କଞ୍ଚା ଲଙ୍କା ଖାଇଲେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରିତ ହୋଇ ଉଚ୍ଚ ରକ୍ତ ଶର୍କରା ସ୍ତର ସନ୍ତୁଳିତ ହୋଇଥାଏ। ଡାଏଟାରି ଫାଇବର୍ରେ ପରିପୂର୍ଣ୍ଣ କଞ୍ଚା ଲଙ୍କା ଭଲ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ। କଞ୍ଚା ଲଙ୍କା ଭିଟାମିନ୍-ଇ ଓ ଭିଟାମିନ୍-ସିର ଉତ୍ସ, ଯାହା ସୁସ୍ଥ ତ୍ୱଚା ପାଇଁ ବହୁତ ଭଲ। ଯଥେଷ୍ଟ ବିଟା-କାରୋଟିନ୍ ପରିମାଣ ହେତୁ କଞ୍ଚା ଲଙ୍କା ହୃତ୍ପିଣ୍ଡକୁ କାର୍ଯ୍ୟକ୍ଷମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ। କଞ୍ଚା ଲଙ୍କା କ୍ୟାଲୋରି ନଷ୍ଟ କରିବା ଓ ମେଟାବୋଲିଜିମ୍କୁ ତ୍ୱରାନ୍ୱିତ କରିବାରେ ମଧ୍ୟ ସାହାଯ୍ୟ କରେ। ତେଣୁ ଓଜନ ହ୍ରାସ ପାଇଁ ଏହା ଭଲ।
ଶୁଖିଲା ଲଙ୍କାର ଲାଭ
ଏଥିରେ ଅଧିକ ପୋଟାସିୟମ୍ ଥିବାରୁ ଏହା ରକ୍ତବାହୀ ନଳୀକୁ ସକ୍ରିୟ କରି ରକ୍ତଚାପ ନିୟନ୍ତ୍ରଣ କରେ। ନାଲି ଲଙ୍କାରେ ଥିବା କ୍ୟାପ୍ସାଇସିନ୍ ନାମକ ଯୌଗିକ ଶରୀରର ମେଟାବୋଲିଜିମ୍ ହାର ବୃଦ୍ଧି କରିଥାଏ। ଏହା ଭିଟାମିନ୍-ସିରେ ପରିପୂର୍ଣ୍ଣ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଏବଂ ଦୀର୍ଘକାଳୀନ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ଶୁଖିଲା ଲଙ୍କାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ୍ ରହିଛି, ଯାହା ରକ୍ତବାହୀ ନଳୀ ତଥା ଧମନୀରେ ଥିବା ଅବରୋଧକୁ ହଟାଇ ଦେଇଥାଏ।
ସୌଜନ୍ୟ ସମ୍ବାଦ

