Fuel Hits Record: ପ୍ରିମିୟମ୍‌ ପେଟ୍ରୋଲ୍‌, ଡିଜେଲ୍‌, ବିମାନ ଇନ୍ଧନ ମହଙ୍ଗା

ପୁଣି ଥରେ ପ୍ରିମିୟମ୍‌ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ବୃଦ୍ଧି। ଉଚ୍ଚମାନର ଦାମୀ କାର ଓ ସୁପରବାଇକ ପାଇଁ ପ୍ରସ୍ତୁତ ହୋଇଥିବା ଇଣ୍ଡିଆନ ଅଏଲ୍‌ର ଏକ୍ସପି ୧୦୦ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧ ଟଙ୍କା ବୃଦ୍ଧି ପାଇ ୧୬୦ ଟଙ୍କା ହୋଇଛି।

ନୂଆଦିଲ୍ଲୀ: ତୈଳ କମ୍ପାନିଗୁଡ଼ିକ ଏପ୍ରିଲ୍‌ ପହିଲାରୁ ପୁଣି ଥରେ ପ୍ରିମିୟମ୍‌ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ବଢ଼ାଇଛନ୍ତି। ଉଚ୍ଚମାନର ଦାମୀ କାର ଓ ସୁପରବାଇକ ପାଇଁ ପ୍ରସ୍ତୁତ ହୋଇଥିବା ଇଣ୍ଡିଆନ ଅଏଲ୍‌ର ଏକ୍ସପି ୧୦୦ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧ ଟଙ୍କା ବୃଦ୍ଧି ପାଇ ୧୬୦ ଟଙ୍କା ହୋଇଛି। ସେହି ସମୟରେ ପ୍ରିମିୟମ୍ ଡିଜେଲ ଏକ୍ସଟ୍ରା ଗ୍ରିନ୍‌ର ମୂଲ୍ୟ ୯୧ ଟଙ୍କା ୪୯ ପଇସାରୁ ୯୨ ଟଙ୍କା ୯୯ ପଇସାକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ୍‌) ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବୁଧବାର ଦିନ ଏହା ଦ୍ୱିଗୁଣିତ ହୋଇ ପ୍ରତି କିଲୋଲିଟରକୁ ରେକର୍ଡ ୨.୦୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ପ୍ରଥମ ଥର ପାଇଁ ଜେଟ୍ ଇନ୍ଧନ ମୂଲ୍ୟ ୨ ଲକ୍ଷ ଟଙ୍କା ସୀମା ଅତିକ୍ରମ କରିଛି ଯାହା ବିମାନ ଭଡ଼ାରେ ସମ୍ଭାବ୍ୟ ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନା ଯୋଗୁଁ ବିଶ୍ୱରେ ଅଶୋଧିତ ତୈଳ ଓ ଗ୍ୟାସ ଯୋଗାଣ ସଙ୍କଟ ଦେଖାଦେଇଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାରରୁ ଅଧିକ ରହିଥିବାରୁ ଭାରତରେ ପ୍ରିମିୟମ୍‌ ପେଟ୍ରୋଲ, ଡିଜେଲ୍‌, ବିମାନ ଇନ୍ଧନ ଓ ବାଣିଜ୍ୟିକ ଗ୍ୟାସ୍‌ ଦାମ୍‌ ବଢ଼ିଛି।

ସାଧାରଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅପରିବର୍ତ୍ତିତ

ତେବେ ସାଧାରଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅପରିବର୍ତିତ ରହିଛି। ଗତ ସପ୍ତାହରେ କେନ୍ଦ୍ର ସରକାର ଉଭୟ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କା ହ୍ରାସ କରିଥିଲେ। ଫଳରେ ପେଟ୍ରୋଲ ଉପରେ ଏହି ଶୁଳ୍କ ପ୍ରତି ଲିଟର ୩ ଟଙ୍କାକୁ ହ୍ରାସ ପାଇଥିଲା ଓ ଡିଜେଲ ଉପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିଦିଆଯାଇଥିଲା। ଯଦିଓ ସେହି ପଦକ୍ଷେପ ଗ୍ରାହକମାନଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେଇଛି, କିନ୍ତୁ ଯେଉଁଭଳି ଭାବେ ତେଲ ଦର ବଢ଼ୁଛି ଓ ତୈଳ କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି, ଆସନ୍ତା କେତେ ଦିନ ପର୍ଯ୍ୟନ୍ତ ଏହି ଆଶ୍ବସ୍ତି ବଜାୟ ରହିବ ତାହା କହିବା କଷ୍ଟକର ହୋଇପଡ଼ିଛି। ବୁଧବାର ଦିନ ତୈଳ କମ୍ପାନିଗୁଡ଼ିକ ପ୍ରତି ୧୯ କିଲୋଗ୍ରାମ ସିଲିଣ୍ଡର ପାଇଁ ବାଣିଜ୍ୟିକ ଏଲପିଜିର ମୂଲ୍ୟ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ମାସରେ ଏହାର ଦାମ୍‌ ୧୧୪.୫ ଟଙ୍କା ବଢ଼ିଥିଲା। ଦିଲ୍ଲୀରେ ଏକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୨୦୭୮.୫୦ ଟଙ୍କା ହୋଇଛି।

ସୌଜନ୍ୟ ସମ୍ବାଦ

Exit mobile version