Woman ‘Not Guilty’: ସ୍ୱାମୀଙ୍କ ଆତ୍ମହତ୍ୟା ପାଇଁ ପତ୍ନୀ ଦାୟୀ ନୁହନ୍ତି: ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିବା ସାଧାରଣ ଝଗଡ଼ା ବା ଘରୋଇ କଳହ ଯୋଗୁଁ ଯଦି ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି, ତେବେ ସେଥିପାଇଁ ପତ୍ନୀଙ୍କୁ ଆଇନଗତ ଭାବେ ଦାୟୀ କରାଯାଇପାରିବ ନାହିଁ

ନାଗପୁର: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିବା ସାଧାରଣ ଝଗଡ଼ା ବା ଘରୋଇ କଳହ ଯୋଗୁଁ ଯଦି ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି, ତେବେ ସେଥିପାଇଁ ପତ୍ନୀଙ୍କୁ ଆଇନଗତ ଭାବେ ଦାୟୀ କରାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।

କୋର୍ଟଙ୍କ କହିବା ଅନୁଯାୟୀ, କୌଣସି ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବାର ସ୍ପଷ୍ଟ ଅପରାଧିକ ଉଦ୍ଦେଶ୍ୟ କିମ୍ବା ସିଧାସଳଖ ପ୍ରରୋଚନା ନଥିଲେ ଏହାକୁ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୦୬ (ନୂତନ ନ୍ୟାୟ ସଂହିତାର ଧାରା ୧୦୮) ଅଧୀନରେ ”ଆତ୍ମହତ୍ୟା ପାଇଁ ପ୍ରରୋଚନା” ବୋଲି କୁହାଯାଇପାରିବ ନାହିଁ। ଏହି ଆଧାରରେ ମାନ୍ୟବର ଅଦାଲତ ଜଣେ ମହିଳାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ଓ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି।

ଏହି ମାମଲାଟି ୨୦୧୯ ମସିହା ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଘଟିଥିଲା। ସେଠାରେ ଜଣେ ବ୍ୟକ୍ତି ଟ୍ରେନ ଆଗକୁ ଡେଇଁ ନିଜର ଜୀବନ ହାରିଥିଲେ। ମୃତକଙ୍କ ପିତା ଅଭିଯୋଗ କରିଥିଲେ ଯେ, ତାଙ୍କ ବୋହୂ ସାମାନ୍ୟ କଥାରେ କଳହ କରିବା ସହ ପୁଅକୁ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଉଥିଲେ ଏବଂ ବାରମ୍ବାର ବିନା ସୂଚନାରେ ବାପଘରକୁ ଚାଲିଯାଉଥିଲେ। ଏହି ମାନସିକ ନିର୍ଯାତନା ଯୋଗୁଁ ତାଙ୍କ ପୁଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ସେ ଦାବି କରିଥିଲେ।

ଉସକାଇବା ଭଳି କାର୍ଯ୍ୟର ପ୍ରମାଣ ନଥିଲେ ଅପରାଧିକ ଶ୍ରେଣୀଭୁକ୍ତ ନୁହେଁ

ତେବେ ହାଇକୋର୍ଟ ମାମଲାର ଗଭୀର ଅନୁଧ୍ୟାନ କରି ସ୍ପଷ୍ଟ କରିଛନ୍ତି ଯେ, ବୈବାହିକ ଜୀବନରେ ମତଭେଦ ବା ଗାଳିଗୁଲଜ ହେବା ଏକ ସାଧାରଣ ଘଟଣା। କୌଣସି ଠୋସ ପ୍ରମାଣ କିମ୍ବା ସିଧାସଳଖ ଉସକାଇବା ଭଳି କାର୍ଯ୍ୟର ପ୍ରମାଣ ନଥିଲେ ଏହାକୁ ଅପରାଧିକ ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ। ମହିଳାଙ୍କ କାର୍ଯ୍ୟକଳାପରେ କୌଣସି ଅପରାଧିକ ମନୋଭାବ ପରିଲକ୍ଷିତ ହୋଇନଥିବାରୁ କୋର୍ଟ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିବା ସହ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version