ରାଜ୍ୟ

Gidipabali Landslide Rescue Operation ବନ୍ଦ ହେଲା ଗିଡ଼ିପାବାଲି ଭୂସ୍ଖଳନରେ ୬ ନିଖୋଜମାନଙ୍କ ଉଦ୍ଧାର କାର୍ଯ୍ୟ

କନ୍ଧମାଳର ଗିଡ଼ିପାବାଲି ଭୂସ୍ଖଳନରେ ୭ ଜଣଙ୍କ ମୃତଦେହ ଉଦ୍ଧାର ପରେ ୧୨ ଦିନରେ ଅଭିଯାନ ବନ୍ଦ ହୋଇଛି। ୬ ଜଣ ଏବେ ବି ନିଖୋଜ ଅଛନ୍ତି।

ଘୁ.ଉଦୟଗିରି: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଅକ୍ଟୋବର ୨୮ ରାତିରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗ୍ରାମର ଭୂସ୍ଖଳନ ଯୋଗୁଁ ୧୩ଜଣଙ୍କ ପ୍ରଣହାନୀ ଘଟିଥିଲା। ଅନେକ କଷ୍ଟସାଧ୍ୟ ଅଭିଯାନ ପରେ ମାଟି, ପଥର ଗଦା ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ୬ଜଣଙ୍କ ପତ୍ତା ମିଳିନଥିଲା। ଆଜି ୧୨ ଦିନରେ ଉଦ୍ଧାର କାର୍ଯ୍ୟକୁ ବିଧିବଦ୍ଧ ଭାବେ ବନ୍ଦ କରାଯାଇଛି। ନିଖୋଜ ଥିବା ୬ଜଣଙ୍କ ସ୍ମୃତିରେ ଗ୍ରାମବାସୀ ଶୋକପାଳନ କରିଛନ୍ତି।

ଜିଲ୍ଲାପାଳ ଆଇଏଏସ ବେଦଭୁଷଣ କହିଛନ୍ତି, ଗ୍ରାମବାସୀଙ୍କ ଅନୁରୋଧ ପ୍ରକାରେ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ ପ୍ରାଥମିକ ଆର୍ଥିକ ସହାୟତା ଦିଆଯାଇଛି।  ୫ ଟି ବିପନ୍ନ ପରିବାରକୁ ରାଇକିଆ ବ୍ଲକ ଅଞ୍ଚଳରେ ଜମି ସହ ଘର ଦିଆଯିବ। ବଳକା ପରିବାର ନିଜ ଇଚ୍ଛା ଅନୁସାରେ ଭଞ୍ଜନଗର ବ୍ଲକରେ ରହିବାକୁ ନିଷ୍ପତ୍ତି ହୋଇଛି। ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷ ନିମନ୍ତେ କ୍ଷତି ପୂରଣ, ମୃତକଙ୍କ ପରିବାର ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ଥଇଥାନ ନିୟମାନୁସାରେ ଆର୍ଥିକ ସହାୟତା ପ୍ରଦାନ ଦିଆଯିବ।  ଗ୍ରାମବାସୀଙ୍କ ଅନୁରୋଧ ପତ୍ର କୁ ବିଚାର କରି ମଙ୍ଗଳବାର ଠାରୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି।

ଗାଁର ୯ ଟି ପରିବାରର ୧୩ ଜଣ ଭୂସ୍ଖଳନରୁ ବର୍ତ୍ତୀଯାଇ ଆଶ୍ରୟ ସ୍ଥଳରେ ରହିଥିଲେ ଏବଂ ଅନ୍ୟ ୧୩ ଜଣ ନିଖୋଜ ରହିଥିଲେ। ଭୂସ୍ଖଳନ ଫଳରେ ପ୍ରାୟ ୨୦ ରୁ ୨୫ ଫୁଟ ଉଚ୍ଚତାରେ ପାହାଡ଼ର ମାଟି ପଥର ସମ୍ପୂର୍ଣ ଗାଁକୁ ଚାପିଦେଇଥିଲା। ନିଖୋଜମାନଙ୍କୁ ଉଦ୍ଧାର କରିବାରେ ବହୁତ ଅସୁବିଧା ସତ୍ତ୍ବେ ଉଦ୍ଧାରକାରୀ ଦଳ ୧୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲେ। ଉଦ୍ଧାରକାରୀ ଦଳ ପ୍ରତିଦିନ ୬କିମି ବାଟ ଚାଲି  ଦୁର୍ଘଟଣାସ୍ଥଳରେ ଖୋଜ ଅଭିଯାନ କରୁଥିଲେ।  ଆଶ୍ରୟସ୍ଥଳରେ ଥିବା ଗିଡ଼ିପାବାଲି ଗାଁର ୧୨ ଜଣ ଗ୍ରାମବାସୀ ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବନ୍ଦ କରିବା ପାଇଁ ଗତ ୭ ତାରିଖ ଦିନ ଏକ ଲିଖିତ ଅନୁରୋଧ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ରଙ୍କୁ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button