Girl Student Critical ଗରମ ପାଣିରେ ପଡ଼ି ଛାତ୍ରୀ ଗୁରୁତର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଯାଜପୁର: ସବୁଠି ଏବେ ହାଡ଼ଭଙ୍ଗା ଶୀତ। ଏହି ଶୀତରେ କୋମଳମତି ଛାତ୍ରୀ ଜଣକ ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ସେହି ଗରମ ପାଣିରେ ପଡ଼ି ଗୁରୁତର ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମରେ।

ମୁଣ୍ଡ ବୁଲାଇବା ଯୋଗୁଁ ହାଣ୍ଡିରେ ପଡ଼ି ଯାଇଥିଲେ

ବରୀ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ସମୀର ଦଳେଇଙ୍କ ୧୪ ବର୍ଷର ଝିଅ ସିମ୍ରେନ୍ ଦଳେଇ ନବମ ଶ୍ରେଣୀରେ  ପଢନ୍ତି। ପ୍ରତିଦିନ ଭଳି ସେ ବିଦ୍ୟାଳୟ ଯିବାକୁ ଗାଧୋଇବା ପାଇଁ ଏକ ବଡ଼ ହାଣ୍ଡିରେ ଗରମ ପାଣି କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିବା ସହିତ ମୁଣ୍ଡ ବୁଲାଇବା ଯୋଗୁଁ ହାଣ୍ଡିରେ ଥିବା ଗରମ ପାଣି ଉପରେ ପଡ଼ି ଯାଇଥିଲେ।

ପରିବାର ଲୋକେ ତାଙ୍କୁ ତତକ୍ଷଣାତ୍ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଣେ ସେଠାରେ ଚିକିତ୍ସା ଚାଲୁଥିବା ବେଳେ ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ଲାଗି ବ୍ୟବସ୍ଥା କରିଥିବା ଜଣାଯାଇଛି। ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୌଜନ୍ୟ ସମ୍ବାଦ