ରାଜ୍ୟ

GST: ୨୦୧୭ରେ ଜିଏସ୍‌ଟି, ୨୦୨୬ରେ ଖଣି: ହାତରୁ ଖସୁଛି ଟିକସ ସ୍ବାଧୀନତା

ସଂସଦର ମୌସୁମୀ ଅଧିବେଶନରେ ବିନା ଆଲୋଚନାରେ ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ୧୯୫୭ ଗୃହୀତ କରାଇ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉକ୍ତ ବିଲ୍‌ରେ ମୋହର ଲଗାଇବା ପରେ ସରକାର ଗେଜେଟ୍‌ ବିଜ୍ଞପ୍ତି ମଧ୍ୟ ଜାରି କରିସାରିଲେଣି।

ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନରେ ବିନା ଆଲୋଚନାରେ ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ୧୯୫୭ ଗୃହୀତ କରାଇ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉକ୍ତ ବିଲ୍‌ରେ ମୋହର ଲଗାଇବା ପରେ ସରକାର ଗେଜେଟ୍‌ ବିଜ୍ଞପ୍ତି ମଧ୍ୟ ଜାରି କରିସାରିଲେଣି। ଖଣି ଥିବା ଜମି ଓ ଖଣିଜ ପଦାର୍ଥ ଉପରେ ଟିକସ, ସେସ୍‌, ସରଚାର୍ଜ ଲଗାଇବା ନେଇ ରାଜ୍ୟଗୁଡ଼ିକର ରହିଥିବା କ୍ଷମତାକୁ ଏହି ଆଇନରେ ହଟାଇ ଦିଆଯାଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳ ଏବଂ ରାଜ୍ୟଗୁଡ଼ିକ ସହ ବ୍ୟାପକ ବିଚାରବିମର୍ଶ କରିବାର ଆବଶ୍ୟକତା ଥିବାବେଳେ ତାହା କରାଯାଇ ନାହିଁ। ବଡ଼ କଥା ହେଉଛି, ନୂଆ ଆଇନ ଲାଗୁ ହେବା ଦ୍ବାରା ରାଜ୍ୟଗୁଡ଼ିକ ଟିକସ କ୍ଷେତ୍ରରେ ଜିଏସ୍‌ଟି ଭଳି ଆଉ ଏକ ସ୍ବାୟତ୍ତତା ହରାଇଛନ୍ତି।

ଖଣିଜ ସାମଗ୍ରୀର ଆମଦାନି ହ୍ରାସ କରି ଦେଶକୁ ଏ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାର ଏମ୍‌ଏମ୍‌ଡିଆର୍‌ ଆଇନ ୧୯୫୭ରେ ସଂ‌ଶୋଧନ କରିଥିବା କହୁଛନ୍ତି। ଏହି ସଂଶୋଧନ ଦ୍ବାରା ରାଜ୍ୟଗୁଡ଼ିକର କୌଣସି ଆର୍ଥିକ କ୍ଷତି ହେବନାହିଁ। ସେମାନେ ପୂର୍ବଭଳି ୯୦ ପ୍ରତିଶତ ରାଜସ୍ବ ପାଇବେ ବୋଲି ଯୁକ୍ତି ରଖିଛନ୍ତି। କିନ୍ତୁ କିଛି ବିଶେଷଜ୍ଞଙ୍କ ମତରେ ଖଣି ଓ ଖଣିଜ ସଂକ୍ରାନ୍ତ ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ରାଜ୍ୟଗୁଡ଼ିକ ଅସୁବିଧାରେ ପଡ଼ିବେ। ଖଣି ଓ ଖଣିଜ ସାମଗ୍ରୀ ଉପରେ ରାଜ୍ୟଗୁଡ଼ିକ ବର୍ତ୍ତମାନ ଯେଉଁ ଟିକସ ଲଗାଉଛନ୍ତି ତାହା ସବୁଦିନ ପାଇଁ ହରାଇ ବସିବେ। ଖଣି ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ରାଜ୍ୟଗୁଡ଼ିକ ସମ୍ଭାଳିବେ। ଅଥଚ ଟିକସ ଲଗାଇବା ଦାୟିତ୍ବ ସେମାନଙ୍କ ହାତରେ ରହିବନି। ଏହି କ୍ଷମତା ପଳାଇବା ଦ୍ବାରା ଖଣି ମାଲିକ ଓ ପରିଚାଳନାକାରୀ ସଂସ୍ଥାଗୁଡ଼ିକ ଉପରେ ସେମାନେ କିଭଳି ଅଙ୍କୁଶ ଲଗାଇବେ ବୋଲି ମତପ୍ରକାଶ ପାଇଛି। ୨୦୧୭ ଜୁଲାଇ ପହିଲାରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ କରାଯାଇଥିଲା। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଯେଉଁ ଟିକସ ଲଗାଉଥିଲେ ସେହି କ୍ଷମତା ହରାଇଛନ୍ତି।

ଜିଏସ୍‌ଟି କାର୍ଯ୍ୟକାରୀ ହେବା ଇତିମଧ୍ୟରେ ୧୦ ବର୍ଷରେ ପହଞ୍ଚିଥିବାବେଳେ ସରକାର ଏମ୍‌ଏମ୍‌ଡିଆର୍‌ ଆଇନ ୧୯୫୭ ସଂଶୋଧନ ମାଧ୍ୟମରେ ରାଜ୍ୟଗୁଡ଼ିକର ଆଉ ଏକ ଟିକସ ଲଗାଇବା ଅଧିକାରକୁ ଛଡ଼ାଇ ନେଇଛନ୍ତି। ଜିଏସ୍‌ଟି ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକ ପ୍ରଥମେ ପ୍ରବଳ ବିରୋଧ କରିଥିଲେ। ଏହାଦ୍ବାରା ରାଜ୍ୟଗୁଡ଼ିକ ଟିକସ ହରାଇବା ଆଶଙ୍କା ରହିଥିଲା। କେନ୍ଦ୍ର ସରକାର ଏଥିପାଇଁ ଏକ ସମାଧାନର ସୂତ୍ର ବାହାର କରିଥିଲେ। ରାଜ୍ୟଗୁଡ଼ିକର ଟିକସ ରାଜସ୍ବ ବୃଦ୍ଧି ଅନୁସାରେ ସେମାନଙ୍କୁ ୫ ବର୍ଷ ପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ହୋଇଥିଲା। ସେହି ବିବାଦ ମନରୁ ଲିଭି ନଥିବାବେଳେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଆଉ ଏକ ଟିକସ ଲଗାଇବା ଅଧିକାରକୁ ଛଡ଼ାଇ ନେବାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଡ. ପ୍ରଭାସ ମିଶ୍ରଙ୍କ କହିବାନୁଯାୟୀ ଖଣି ଉପରେ ଭିନ୍ନ ଭିନ୍ନ ହାରରେ ଟିକସ ଲଗାଇବା ନେଇ ରାଜ୍ୟଗୁଡ଼ିକ ହାତରେ ପୂର୍ବରୁ ରହିଥିବା କ୍ଷମତା କିଛି ଅଯଥାର୍ଥ ନୁହେଁ। କାରଣ ସବୁ ଅଞ୍ଚଳର ଖଣି ସେଠାକାର ପ୍ରକୃତି ଓ ପରିବେଶ ଉପରେ ସମାନ ପ୍ରଭାବ ପକାଇ ନଥାଏ। ରାଜ୍ୟଗୁଡ଼ିକ ଆବଶ୍ୟକତାକୁ ଦେଖି ଭିନ୍ନ ଭିନ୍ନ ହାରରେ ଟିକସ, ସେସ୍‌ ଓ ସରଚାର୍ଜ ଆଦି ଲଗାଇଥାନ୍ତି ବୋଲି ସେ ମତ ଦେଇଛନ୍ତି। ଏମ୍‌ଏମ୍‌ଡିଆର୍‌ ଆଇନର ସଂଶୋଧନ ଫଳରେ ରାଜ୍ୟଗୁଡ଼ିକ ଜିଏସ୍‌ଟି ଭଳି ସେମାନଙ୍କ ଟିକସ ଲଗାଇବା ନେଇ ରହିଥିବା ଆଉ ଏକ ସ୍ବାୟତ୍ତତା ହରାଇଛନ୍ତି ବୋଲି ଡ. ମିଶ୍ର କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button