ଭୁବନେଶ୍ବର: ଏସ୍‌ସିବି ମେଡିକାଲ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ପାଇଁ ଅଡ଼ି ବସିଛନ୍ତି ବିରୋଧୀ। ଫଳରେ ତିନି ଦିନ ହେଲା ବିଧାନସଭା ସ୍ବାଭାବିକ ହୋଇପାରୁନି। ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବେନି ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି। ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ବିଫଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିଲେ। ‘ରୋଗୀ ପଛ… ଭୋଟ ଆଗ, ସ୍ବାସ୍ଥ୍ୟ ମନ୍ତ୍ରୀ ଖାଏ… ନୋଟ୍ ଭୋଗ’, ‘ସ୍ବାସ୍ଥ୍ୟ ବ୍ୟବସ୍ଥା ନର୍କରେ, ଏସ୍‌ସିବିର ୧୨ ରୋଗୀ ସ୍ବର୍ଗରେ’, ‘ଏସ୍‌ସିବିକୁ ମରଣଯନ୍ତା କରିଛି କିଏ, ମୋହନ ସରକାର ଆଉ କିଏ’ ଇତ୍ୟାଦି ସ୍ଲୋଗାନ୍ ଲେଖାଥିବା ବ୍ୟାନରଗୁଡ଼ିକ ସେମାନେ ପ୍ରଦର୍ଶନ କରିଥିଲେ। ବିଜେପି ସରକାର ଛି ଛି…, ରାମ ନାମ ସତ୍ୟ ହେ… ନାରାରେ ବିଧାନସଭା କମ୍ପିଥିଲା। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ ବି ହୋହଲ୍ଲାରେ ଏହା ସମ୍ଭବ ହୋଇ ନଥିଲା। ବାଧ୍ୟ ହୋଇ ସେ ଗୃହକୁ ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ମାତ୍ରେ ପୁଣି ବିରୋଧୀ ବିଧାୟକ ଗୃହ ମଝିରେ ହୋହଲ୍ଲା କଲେ। ଏହାରି ଭିତରେ ବାଚସ୍ପତି ଶାସକ ଦଳର ବିଧାୟକମାନଙ୍କୁ କହିବାକୁ ଡାକିଥିଲେ। ପ୍ରାୟ ୧୬ ଜଣ ବିଧାୟକ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ କହିଥିଲେ। ଏହି ବିଧାୟକମାନେ ବିରୋଧୀ ଦଳର ପ୍ରତିବାଦର ତରିକାକୁ ବି ସମାଲୋଚନା କରିଥିଲେ। ଏସ୍‌ସିବି ନିଆଁ ପ୍ରତି ସରକାର ସଚେତନ ଅଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମନ୍ତ୍ରୀଙ୍କ ଇସ୍ତଫା ସମାଧାନର ବାଟ ନୁହେଁ। ତେଣୁ ବିରୋଧୀ ଅଯଥା ରାଜନୀତି ନ କରିବାକୁ ସେମାନେ କହିଥିଲେ। ତେବେ ବିରୋଧୀ ତାଙ୍କ ଜିଦିରୁ ନ ହଟିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ସର୍ବଦଳୀୟ ବୈଠକରେ କିଛି ନିର୍ଯ୍ୟା ବାହାରି ନଥିଲା।

ଅପରାହ୍ଣ ୪ଟାରେ ବି ସମାନ ସ୍ଥିତି ସୃଷ୍ଟି ହେଲା। ବିରୋଧୀ ସେମାନଙ୍କ ପ୍ରତିବାଦ ଜାରି ରଖିଲେ। ଗୃହରେ ଅଶାନ୍ତ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ୪ଟା ୫୦ ଯାଏଁ ମୁଲତବୀ ରଖିଲେ। ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ପାଇଁ ଉପସ୍ଥାପନ କଲେ। ବିରୋଧୀ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ କିଛି ସମୟ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ।

ସୌଜନ୍ୟ ସମ୍ବାଦ