Health Minister: ଷଷ୍ଠ ଦିନରେ ଅଚଳାବସ୍ଥା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍‌ଦାର

ବିରୋଧୀ ନଛୋଡ଼ ବନ୍ଧା। ସିଧା ଗୋଟିଏ ଦାବି, ଏସ୍‌ସିବି ନିଆଁ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ହଟିବା ଦରକାର। ସେ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ବରଖାସ୍ତ କରାଯାଉ। ଏକଥା ବି ଚେତାବନୀ ଦେଇଛନ୍ତି, ଇସ୍ତଫା ନଦେବା ଯାଏଁ ଗୃହ ସ୍ବାଭାବିକ କରାଇଦେବୁନି।

ଭୁବନେଶ୍ବର: ବିରୋଧୀ ନଛୋଡ଼ ବନ୍ଧା। ସିଧା ଗୋଟିଏ ଦାବି, ଏସ୍‌ସିବି ନିଆଁ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ହଟିବା ଦରକାର। ସେ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ବରଖାସ୍ତ କରାଯାଉ। ଏକଥା ବି ଚେତାବନୀ ଦେଇଛନ୍ତି, ଇସ୍ତଫା ନଦେବା ଯାଏଁ ଗୃହ ସ୍ବାଭାବିକ କରାଇଦେବୁନି। ଫଳରେ ବିଧାନସଭାରେ ଲଗାତାର ଷଷ୍ଠ ଦିନ ପାଇଁ ଅଚଳାବସ୍ଥା ଲାଗି ରହିଛି। ବିନା ବିରୋଧୀ ଦଳରେ ନାଁକୁ ମାତ୍ର ଆଲୋଚନା କରାଯାଇ ଖର୍ଚ୍ଚଦାବି ପାରିତ କରାଯାଉଛି।

ଗତ ପାଞ୍ଚ ଦିନ ହେଲା ଯାହା ଘଟୁଥିଲା, ଆଜି ବି ତାହା ଘଟିଲା। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଏସ୍‌ସିବି ନିଆଁ ଘଟଣାରେ ସରକାରୀ ଅବହେଳାକୁ ଦାୟୀ କରିବା ସହ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା, ‘ନୀତି ନୈତିକତା ଗଲା କୁଆଡ଼େ’, ‘ରୋଗୀଙ୍କ ସୁରକ୍ଷା ଆମର ଦାବି’ ଇତ୍ୟାଦି। ସେମାନଙ୍କ ନାରାବାଜିରେ ଗୃହ କମ୍ପିଥିଲା। ଫଳରେ ପ୍ରଶ୍ନକାଳ ପୁଣି ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରହିଲା। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ। ଶାସକ ଦଳ ସଭ୍ୟମାନେ ବିଜୁ-ନବୀନ ଟ୍ରଷ୍ଟ କଥା ଉଠାଇ ବିରୋଧୀ ବିଜେଡିକୁ ଟାର୍ଗେଟ୍ କରିଥିଲେ। ସେମାନେ କହିଥିଲେ, ଦଳୀୟ କନ୍ଦଳକୁ ଚପାଇବା ପାଇଁ ବିରୋଧୀ ଏମିତି କରୁଛନ୍ତି। ବିଜୁ-ନବୀନ ଇନସ୍ପିରେସନାଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ କଥା ଏବେ ଧରାପଡ଼ିଯାଇଛି।

ଆଭ୍ୟନ୍ତରୀଣ କନ୍ଦଳ ଲୁଚାଇବାକୁ ନାଟକବାଜି: ବିଜେପି

ଦଳର ଦୁଇ ବିଧାୟକ ପ୍ରମିଳା ମଲ୍ଲିକ ଓ ଗୌତମବୁଦ୍ଧ ଦାସ ଗଣମାଧ୍ୟମରେ ଏପରି ଟ୍ରଷ୍ଟ ନାହିଁ ବୋଲି କହୁଥିଲେ। କିନ୍ତୁ ନିଜେ ନବୀନ ପଟ୍ଟନାୟକ ଏହାକୁ ସ୍ବୀକାର କରି ସେମାନଙ୍କ ମିଛ ଧରା ପକାଇ ଦେଇଛନ୍ତି। ଦଳ ଭିତରେ ଏବେ ଅସନ୍ତୋଷ ସୀମା ଲଂଘିଲାଣି। ବିରୋଧୀ ଦଳ ନେତା ଆଉ ଦଳକୁ ସଜାଡ଼ିପାରୁ ନହାନ୍ତି। ଦଳୀୟ ଝଗଡ଼ାକୁ ଲୁଚାଇବା ପାଇଁ ସେ ବିଧାନସଭାକୁ ଅପବ୍ୟବହାର କରୁଛନ୍ତି। ବିରୋଧୀ ଦଳ ଏ ନାଟକବାଜିରୁ ନିବୃତ୍ତ ରୁହନ୍ତୁ। ଟଙ୍କାଧର ତ୍ରିପାଠୀ, ସରୋଜ କୁମାର ପ୍ରଧାନ, ପଦ୍ମଲୋଚନ ପଣ୍ଡା, ସରୋଜ ପାଢ଼ୀ, ସନାତନ ବିଜୁଳି, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ମାନସ କୁମାର ଦତ୍ତ, ଆଶ୍ରିତ ପଟ୍ଟନାୟକ, ବିଭୂତି ଭୂଷଣ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସେଠୀ, ସନ୍ତୋଷ ଖଟୁଆ ଓ ବାବୁ ସିଂହ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବିରୋଧୀ ଦଳକୁ ଆଲୋଚନାରେ ଭାଗ ନେବା ପାଇଁ ଆହ୍ବାନ ଦେଇଥିଲେ।

ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖିବାରୁ ବିରୋଧୀ ଦଳ ସଦସ୍ୟମାନେ ଜୋରରେ ପ୍ରତିବାଦ କଲେ। କଂଗ୍ରେସ ସଭ୍ୟ ମଙ୍ଗୁ ଖିଲଙ୍କୁ କିଛି ସଦସ୍ୟ ଟେକି ଦେବାରୁ ସେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ। ତେବେ ସୁରକ୍ଷାକର୍ମୀମାନେ ସେଥିରୁ ତାଙ୍କୁ ନିବୃତ୍ତ କରିଥିଲେ। ବାଚସ୍ପତି ଏକପାଖିଆ ଗୃହ ଚଳାଉଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆରୋପ ଲଗାଇଥିଲେ। ବିରୋଧୀ ପଛକୁ ନହଟିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରଖିଲେ। ୪ଟା ବେଳେ ପୁଣି ପ୍ରତିବାଦ ଜାରି ରହିଲା। ବାଚସ୍ପତି ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରିବାରୁ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ ରାଜସ୍ବ ଓ ଶ୍ରମ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ତେବେ ଗୃହରେ ବିରୋଧୀ ଦଳ ସଦସ୍ୟ ନ ଥିବାରୁ ଶାସକ ଦଳ ସଭ୍ୟମାନେ କେବଳ ନାମକୁ ମାତ୍ର ଆଲୋଚନା କରୁଥିଲେ। ଶାସକ ଦଳ ପଟେ ଉପସ୍ଥାନ ବି ଦୁର୍ବଳ ଥିଲା। ୭/୮ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ ମଧ୍ୟ ବିଧାୟକଙ୍କ ଉପସ୍ଥିତି ୨୦ରୁ ୨୫ ଭିତରେ ରହୁଥିଲା।

କୁଆଡ଼େ ଗଲେ କେନ୍ଦ୍ର ମନ୍ତ୍ରୀ: ନବୀନ
ଭୁବନେଶ୍ବର: ଏସ୍‌ସିବି ମେଡିକାଲ କଲେଜ ନିଆଁ ଘଟଣାରେ ପୁଣି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ବିଜେଡି ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଥିଲା ବେଳେ ଗଣମାଧ୍ୟମରେ ସରକାରଙ୍କୁ ଲଗାତାର ଟାର୍ଗେଟ୍ କରିଚାଲିଛନ୍ତି ନବୀନ। ଆଜି କହିଛନ୍ତି, ରୋଗୀଙ୍କ ଦାରୁଣ ମୃତ୍ୟୁକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ମେଡିକାଲ ପରିଦର୍ଶନ କରିନାହାନ୍ତି। ବାସ୍ତବରେ ଏହା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ସରକାର ସମୟରେ ଯେତେବେଳେ ଏକ ଘରୋଇ ମେଡିକାଲରେ ଏଭଳି ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହେଲେ କଟକ ବଡ଼ଡାକ୍ତରଖାନାର ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଲୋକଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣମାନେ ନିଜେ ତୁଳନା କରିପାରିବେ। ମୁଁ ପୁଣି ଥରେ କହୁଛି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version