ଖେଳ

Hockey Association of Odisha: ‘ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା’କୁ ନୋଟିସ୍‌: ‘ସ୍ଥାୟୀ’ରୁ ‘ସହଯୋଗୀ ସଦସ୍ୟ’କୁ ଖସାଇ ଦେବାକୁ ହକି ଇଣ୍ଡିଆର ଚେତାବନୀ

ଜାତୀୟ ମହାସଂଘର ବାଇ-ଲ’ (ନିୟମାବଳୀ) ପାଳନରେ ଘୋର ଅବହେଳା ଏବଂ ଜିଲ୍ଲା ସଂଘଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ)କୁ ଗୁରୁବାର ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ନୂଆଦିଲ୍ଲୀ: ଜାତୀୟ ମହାସଂଘର ବାଇ-ଲ’ (ନିୟମାବଳୀ) ପାଳନରେ ଘୋର ଅବହେଳା ଏବଂ ଜିଲ୍ଲା ସଂଘଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ)କୁ ଗୁରୁବାର ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏଥିସହ ‘ହାଓ’ର ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପୁନଃବର୍ଗୀକରଣ କରିବା ପାଇଁ ଚେତାବନୀ ଦିଆଯାଇଛି। ଚଳିତ ଅକ୍ଟୋବର ୬ରେ ଅନୁଷ୍ଠିତ ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିର୍ବାଚନ ଅଧିକାରୀଙ୍କ  ନକାରାତ୍ମକ ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବାଇ-ଲ’ ଉଲ୍ଲଂଘନ ସହ ଅନ୍ୟାନ୍ୟ ପରିଚାଳନାଗତ ଅବ୍ୟବସ୍ଥା ଲାଗି  ନିର୍ବାଚନ ଅଧିକାରୀ ମଧ୍ୟ ଗତ ୩ ତାରିଖରେ ହେବାକୁ ଥିବା ‘ହାଓ’ର ନିର୍ବାଚନକୁ ସ୍ଥଗିତ କରି ଦେଇଥିଲେ। ପରେ ହକି ଇଣ୍ଡିଆକୁ ନିଜ ରିପୋର୍ଟ ପ୍ରଦାନ କରିଥିଲେ।

‘ହକି ଇଣ୍ଡିଆ’ ଜାରି କରିଥିବା ନୋଟିସ୍‌ରେ  ୮ଟି ପ୍ରମୁଖ ଅଭିଯୋଗ ରହିଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲା ହକି ସଂଘର କାର୍ଯ୍ୟପ୍ରଣାଳୀକୁ ନେଇ ଗୁରୁତର ପ୍ରଶ୍ନ ଉଠାଯାଇଛି। ‘ହକି ଇଣ୍ଡିଆ’ ଅନୁଯାୟୀ, ୩୦ଟି ଜିଲ୍ଲା ସଂଘର ସଭାପତି ଓ ସମ୍ପାଦକ ଭଳି ପ୍ରମୁଖ ପଦରେ ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଭଳି ପ୍ରଶାସନିକ ଅଧିକାରୀ ଅବସ୍ଥାପିତ ଅଛନ୍ତି। ଏଥିସହ କୌଣସି ଜିଲ୍ଲା ସଂଘ ନିର୍ବାଚନ ସମ୍ପର୍କିତ ନୋଟିସ, ବୈଠକର ବିବରଣୀ କିମ୍ବା ନିର୍ବାଚନ ଫଳାଫଳ ହକି ଇଣ୍ଡିଆ ନିକଟରେ ଦାଖଲ କରିନାହାନ୍ତି। ଫଳରେ ‘ହାଓ’ ନିର୍ବାଚନ ପାଇଁ ଆବଶ୍ୟକ ଭୋଟର ତାଲିକା ଚୂଡ଼ାନ୍ତ କରିବା ସମ୍ଭବ ହୋଇ ନଥିବା ହକି ଇଣ୍ଡିଆ ବି କହିଛି। ହାଓକୁ ଏହି ‌ନୋଟିସର ଜବାବ ସହ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଆବଶ୍ୟକ ଦଲିଲ, ନିର୍ବାଚନ ସମ୍ପର୍କିତ ପ୍ରମାଣପତ୍ର ଏବଂ ଆବଶ୍ୟକ ବୈଧାନିକ ଅନୁମୋଦନ ଦାଖଲ କରିବାକୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button