India vs West Indies: ଭାରତ-ଇଣ୍ଡିଜ୍ ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି: ସଞ୍ଜୁଙ୍କୁ ନେଇ ଚିନ୍ତା, ଫେରିବା ଆଶାରେ ବୈଭବ
ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଶୁକ୍ରବାର ଏଠାରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଜୟ ଧାରାକୁ ଫେରି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିବାକୁ ଚେଷ୍ଟା କରିବ।

ରାଞ୍ଚି: ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଶୁକ୍ରବାର ଏଠାରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଜୟ ଧାରାକୁ ଫେରି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍ରେ ଶୋଚନୀୟ ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ ଜିତିବା କିନ୍ତୁ ନିଶ୍ଚିତ ଭାବେ କାଠିକର ପାଠ ହେବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍କୁ ସହଜରେ ୮ ୱିକେଟ୍ରେ ଜିତିବା ପରେ ଦ୍ବିତୀୟରେ ମଧ୍ୟ ଏହି ଧରା ବଜାୟ ରଖିବା ଲକ୍ଷ୍ୟରେ ଶ୍ରେୟସ୍ ଆୟରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବ।
ଶୁକ୍ରବାର ମ୍ୟାଚ୍ ପୂର୍ବରୁ ୱିକେଟ୍ ରକ୍ଷକ ବ୍ୟାଟର୍ ସଞ୍ଜୁ ସାମ୍ସନ୍ଙ୍କ ଖରାପ ଫର୍ମ ଅବଶ୍ୟ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ଫଳରେ ତାଙ୍କ ସ୍ଥାନରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅନ୍ୟତମ ଓପନର ଅଭିଷେକ ଶର୍ମାଙ୍କ ସହ ପାଳି ଆରମ୍ଭ କରି ପାରନ୍ତି। ସାମସନ ଖେଳିଥିବା ଗତ ୪ ଟ୍ବେଣ୍ଟି-୨୦ରେ ଯଥାକ୍ରମେ ୯, ୭, ୨ ଓ ୧୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ବୈଭବ ଅପେକ୍ଷାକୃତ ଭଲ କରିଛନ୍ତି। ଏସୀୟ କ୍ରୀଡ଼ାରେ ସେ ଅଭିଷେକଙ୍କ ସହ ଓପନିଂ କରିଥିଲା ବେଳେ ସାମ୍ସନ୍ ତୃତୀୟ ସ୍ଥାନରେ ଖେଳିଥିଲେ। ସାମ୍ସନ୍ଙ୍କ ଫର୍ମକୁ ନେଇ ପରିବର୍ତ୍ତନର ଚର୍ଚ୍ଚା ଥିଲେ ମଧ୍ୟ ଅଧିନାୟକ ଶ୍ରେୟସ ତାଙ୍କୁ ଅଧିକ ସମର୍ଥନ କରିବା ଦରକାର ବୋଲି ଚେତେଶ୍ବର ପୂଜାରାଙ୍କ ଭଳି କେତେକ ପୂର୍ବତନ ଖେଳାଳି ମତ ପ୍ରକାଶ କରିଛନ୍ତି। ବ୍ୟାଟିଂକ୍ରମ ସହ ଭାରତ ତା’ର ଦ୍ରୁତ ବୋଲିଂ ବାହିନୀରେ କିଛିଟା ପରିବର୍ତ୍ତନ କରିପାରେ। ଲକ୍ଷ୍ନୌରେ ପ୍ରଥମ ଓଭରରେ ମୟଙ୍କ ଯାଦବ ୧୬ ରନ୍ ବ୍ୟୟ କରିଥିଲା ବେଳେ ମଝି ଓ ଶେଷ ଓଭରରେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେବେ ସେ ଗୁରୁତ୍ୱପୂର୍ଣ୍ଣ ସମୟରେ ସେର୍ଫାନ୍ ରଦରଫୋର୍ଡଙ୍କୁ ଆଉଟ୍ କରିଥିଲେ। ଭାରତ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେଇ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ସାମିଲ କରିବାକୁ ଚିନ୍ତା କରିପାରେ। କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ନେଇ ସ୍ପିନ୍ ବୋଲିଂ ବାହିନୀ ୱେଷ୍ଟ୍ଇଣ୍ଡିଜ୍କୁ ଚାପରେ ରଖିଥିଲା। ଏମାନଙ୍କ ସହ ପଦାର୍ପଣକାରୀ ଅଫ୍ସ୍ପିନ୍ ଅଲ୍ରାଉଣ୍ଡର ନମନ ଧୀର ୩ ୱିକେଟ୍ ନେଇ ଭ୍ରମଣକାରୀ ଦଳକୁ ବଡ଼ ସ୍କୋର୍ର ସୁଯୋଗ ଦେଇ ନଥିଲେ। ତେଣୁ ସ୍ପିନ୍ରେ କିଛି ପରିବର୍ତ୍ତନ ହେବାର ଆଶା ନାହିଁ। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ବ୍ୟାଟିଂ। ସାଇ ହୋପ୍ଙ୍କ ନେତୃତ୍ୱାଧୀନ ଦଳରେ ସିମ୍ରନ୍ ହେଟମାୟର, ରୋଭମାନ୍ ପାୱେଲ୍, ରଷ୍ଟନ୍ ଚେଜ୍ ଓ ରୋମାରିଓ ସେଫର୍ଡଙ୍କ ଭଳି ଟ୍ବେଣ୍ଟି-୨୦ ଅଭିଜ୍ଞ ବ୍ୟାଟର୍ ଥିଲେ ମଧ୍ୟ ଦଳ ୧୭୧ ରନ୍ରେ ଅଲଆଉଟ୍ ହୋଇଥିଲା। ଦଳକୁ ଜିତିବାକୁ ହେଲେ ବଡ଼ ସ୍କୋର୍ କରିବାକୁ ପଡ଼ିବ। ବୋଲିଂରେ ବାମହାତୀ ସ୍ପିନର ଅକିଲ ହୋସେନଙ୍କ ବ୍ୟତୀତ ଅନ୍ୟ ବୋଲର ପ୍ରଭାବହୀନ ରହିବା ଭାରତୀୟ ବ୍ୟାଟର୍ଙ୍କୁ ସୁହାଉଛି।
ସୌଜନ୍ୟ ସମ୍ବାଦ




