Hours of exercise: ଚୁଆପାଣି ପାଇଁ ଘଣ୍ଟାଘଣ୍ଟା କସରତ

କାଳିଆପାଣି: ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗଢ଼ି ଉଠିଛି ମାଳମାଳ ଶିଳ୍ପ। ଲକ୍ଷଲକ୍ଷ କୋଟିର କାରବାର। ହାଇମାଷ୍ଟ ଲାଇଟ୍‌ରେ ପୂରା ଆକାଶ ଆଲୁଅ। ଏହି ଉଜ୍ଜ୍ବଳ ଆଲୁଅ ଭିତରେ ସୁକିନ୍ଦା ଓ ଦାନଗଦୀ ବ୍ଲକ୍‌ର କିଛି ଅଞ୍ଚଳରେ ବିକାଶର ଛାଇ ଟିକେ ବି ପଡ଼ିନି। ଏପଟେ ଖଣିଜ ପାଣ୍ଠି (ଡିଏମ୍‌ଏଫ୍) ଓ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଅନୁଦାନର ଆଖିବୁଜା ଖର୍ଚ୍ଚ କରାଯାଇଛି। ମେଗା ପାନୀୟ ଜଳ ପ୍ରକଳ୍ପ ଅଛି, ଓଭରହେଡ୍‌ ଟାଙ୍କି ଓ ପାଇପ୍‌ ବିଛା ଯାଇଛି। ହେଲେ ଅଧାରୁ ଅଧିକ ଘରକୁ ପାଣି ଆସୁନାହିଁ। ଏଠା‌ରେ ରହୁଥିବା ଜନଜାତିଙ୍କ ଅବସ୍ଥା ଅତି ଦୟନୀୟ। ସୁକିନ୍ଦା ବ୍ଲକ୍‌ର ଚିଙ୍ଗୁଡ଼ିପାଳ ପଞ୍ଚାୟତ ତୁମୁଣି ଗାଁର ଚିତ୍ର ବିକଶିତ ଭାରତ ସ୍ବପ୍ନକୁ ଉପହାସ କରୁଛି। ଜୁଆଙ୍ଗ ଜନଜାତି ବାସ କରୁଥିବା ଏହି ଗାଁର ଚଳଣି ଓ ଯନ୍ତ୍ରଣାକୁ ଦେଖିଲେ ଯେ କେହି ବିଚଳିତ ହୋଇଯିବ। ମାତ୍ର ୫/୬ ଲିଟର ପାଣି ପାଇଁ ସେମାନଙ୍କୁ ଘଣ୍ଟାଘଣ୍ଟା ସମୟ ଦେବାକୁ ପଡ଼ୁଛି। ନିକଟସ୍ଥ କୁମ୍ଭାରୁଣି ପାହାଡ଼ ଖୋଲ ଚୁଆ ଉପରେ ଏମାନେ ଭରସା କରନ୍ତି। କଂସା ବେଲା‌ରେ ପାଣି ଛେଦେଇବା ପରେ ଏହାକୁ ଗରାରେ ଭର୍ତ୍ତି କରନ୍ତି। ଏପଟେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ୨୧ ଜୁଆଙ୍ଗ ଜନଜାତି ପରିବାର ନିଜ ଘର ତୋଳିବାକୁ ଏକାଠି ହୋଇଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ଘର ତିଆରି ପାଇଁ ସାମଗ୍ରୀ, ଆଜବେଷ୍ଟସ୍‌ ମୁଣ୍ଡରେ ଆଣି ଘର ତୋଳୁଛନ୍ତି।

ତୁମୁଣି ଗାଁ ବିକାଶରେ ବାଧକ ସାଜିଛି ପ୍ରଶାସନିକ ସ୍ଥାଣୁତା। ସବୁ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ଗରିବ ଜୁଆଙ୍ଗମାନେ ନିଜସ୍ବ ଉଦ୍ୟମରେ ଘର ତୋଳି ପ୍ରଶାସନକୁ ‌ଆହ୍ବାନ ଦେଇଛନ୍ତି। ତୁମୁଣିର ସମସ୍ତ ପରିବାର ବିପିଏଲ୍‌ ତାଲିକାଭୁକ୍ତ। ‌ଦୈତାରୀ ସଂରକ୍ଷିତ ଜଙ୍ଗଲର ଫରେଷ୍ଟ ବ୍ଲକ୍‌-୨୭ରେ ୫୦ ବର୍ଷ ତଳୁ ଗଢ଼ି ଉଠିଥିବା ଏହି ଝାଟିମାଟିର ବସ୍ତିରେ ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ। ପଡ଼ୋଶୀ ନଗଡ଼ାର ୭୫ ପରିବାର ପାଇଁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ୨୦୧୭ ମସିହାରୁ ଘର ନିର୍ମାଣ ସରିଛି। ଅନ୍ୟତମ ପଡ଼ୋଶୀ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ଲାଗି ଗତବର୍ଷରୁ ‌ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ଜାରି ରହିଛି। ସମାନ ଯୋଜନାରେ ପାହାଡ଼ ତଳ ଅଶୋକଝର ଜୁଆଙ୍ଗ ବସ୍ତିର ୨୦ ପରିବାର ଉପକୃତ ହୋଇଛନ୍ତି। ୨୦୧୭ ମସିହାରୁ ଗାଁର ୨୧ ଜଣ ପରିବାର ମୁଖ୍ୟଙ୍କ ନାଁରେ ଜଙ୍ଗଲ ଜମି ଅଧିକାର ଆଇନ (୨୦୦୬) ଆଧାର‌ରେ ସ୍ଥାୟୀ ଜମିପଟ୍ଟା ରହିଛି। ହେଲେ ଏହି ଜାଗା କିମ୍ବା ଜମି ସେମାନେ ଏଯାବତ୍ ଦେଖିନଥିବା କିମ୍ବା ଚିହ୍ନଟ ହୋଇନଥିବା ଗାଁର ୨ ମୁଖିଆ ମିଟୁ ପ୍ରଧାନ ଓ କାଳିଆ ପ୍ରଧାନ କହନ୍ତି। ଗାଁକୁ ସଡ଼କ ନଥିବା ଦର୍ଶାଇ ପ୍ରଶାସନ ତୁମୁଣିବାସୀଙ୍କୁ ଆବାସ ଯୋଜନାରୁ ଦୂରେଇ ରଖିଥିବା ଅଭିଯୋଗ କରିଛନ୍ତି। ୨୦୧୫ ମାର୍ଚ୍ଚ ୨୦ରେ ଗାଁର ସବୁ ଘର ପୋଡ଼ି ଯାଇଥିଲା। ଆଜବେଷ୍ଟସ୍‌ ଘର ତିଆରି କଲେ ଘରେ ନିଆଁ ଲାଗିବ ନାହିଁ। ଏ ପ୍ରକାର ଧାରଣା ନେଇ ସେମାନେ ଏବେ ନିଜ ଘର ନିଜେ ତୋଳୁଛନ୍ତି। ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କୁ ପଚାରିବାରୁ ତୁମୁଣି ଗାଁକୁ ଗମନାଗମନ ବ୍ୟବସ୍ଥା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version