Human interest story : ଆରପାରିରେ ସ୍ୱାମୀ, ଘରେ ଦିବ୍ୟାଙ୍ଗ ପୁଅ, ୭୦ ବର୍ଷରେ ବି ମୂଲ ଲାଗୁଛନ୍ତି ବୁଦୁରି

କୋରାପୁଟ, ୧୯/୯ : ଗୋଟିଏ ପଟେ ମାନସିକ ଅନଗ୍ରସର ଭେଣ୍ଡିଆ ପୁଅ । ୪୦ ବର୍ଷ ହେଲା ଘର ଭିତରେ ଏକପ୍ରକାର ଆବଦ୍ଧ । ଅନ୍ୟପଟେ ଆରପାରିରେ ସ୍ୱାମୀ । ପାଚିଲା ବୟସରେ ବି ସଂଘର୍ଷମୟ ଜୀବନରୁ ଟିକିଏ ହେଲେ ରିହାତି ମିଳିନି । ଆଜି ବି ରାତି ପାହିଲେ ପରଘରେ ମୂଲ ଲାଗୁଛନ୍ତି ୭୦ ବର୍ଷୀୟା ବୁଦୁରି ମୁଦୁଲି । ବୟସର ଭାର ଅସହ୍ୟ ହେଉଥିଲେ ବି ବିକଳ୍ପ ନାହିଁ । ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଏହି ଅସହାୟ ଗରିବ ପରିବାରକୁ ସରକାରୀ ଘର ଖଣ୍ଡିଏ ମିଳିପାରିନି । ସବୁ ଦୁଃଖ, ଯନ୍ତ୍ରଣା ଓ କଷ୍ଟକୁ ଗଣ୍ଠିଲି କରି ନଇଁ ପଡ଼ିଥିବା କାନ୍ଧରେ ବୋହି ଅଗେଇ ଚାଲିଛନ୍ତି ବୁଦୁରୀ ।
କୋରାପୁଟ ବ୍ଲକ୍ ମସ୍ତିପୁଟ ପଞ୍ଚାୟତ ଗୁରୁମାଈଗୁଡ଼ାର ଏହି ମା’-ପୁଅଙ୍କ ଜୀବନ ଏକ ଭଙ୍ଗାଦଦରା ଆଜବେଷ୍ଟସ ତଳେ ବିତୁଛି । ବର୍ଷା ହେଲେ ଘର ଭିତରେ ପାଣି ପଶିଯାଉଛି । ଆଗକୁ ଆସୁଛି ଶୀତ । ଭଙ୍ଗା ଘରେ କିପରି ଦିନ କାଟିବେ, ତାକୁ ନେଇ ଚିନ୍ତାରେ ବୁଦୁରି । ଏକମାତ୍ର ପୁଅ ଦୀନବନ୍ଧୁଙ୍କୁ ନେଇ ତାଙ୍କ ସଂସାର । ଦୀର୍ଘ ୪୦ ବର୍ଷର ସଂଘର୍ଷରେ ଅନ୍ତ ଘଟିନି । ପୁଅ ଜନ୍ମରୁ ମାନସିକ ଅନଗ୍ରସର । ଘରର ଚାରିକାନ୍ଥ ଭିତରେ ବିତୁଛି ଅଧିକାଂଶ ସମୟ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ବୁଦୁରିଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଇଛି । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ । ବୁଦୁରୀଙ୍କୁ ମାସକୁ ମିଳୁଛି କେବଳ ହଜାରେ ଟଙ୍କା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ । ଭତ୍ତା ଟଙ୍କା କେଇଟା ଔଷଧ ଏବଂ ଅନ୍ୟାନ୍ୟ ଜରୁରି ଖର୍ଚ୍ଚରେ ସରିଯାଉଛି । ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ଦୀନବନ୍ଧୁଙ୍କୁ ମିଳୁନି ଭତ୍ତା ।
ସୌଜନ୍ୟ ପ୍ରମେୟ




