ରାଜ୍ୟ

ପାର୍ବଣ ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ଆତଙ୍କ, ଖଣ୍ଡା ବୁଲାଇ ଯୁବକଙ୍କୁ ଆକ୍ରମଣ, ଜଣେ ଅଟକ

ଭୁବନେଶ୍ୱର,୧୯/୦୯: ପାର୍ବଣ ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ଆତଙ୍କ । ଭାଇଗିରି ପାଇଁ ଗତ ରାତିରେ ତମାଣ୍ଡୋ ଥାନା ଅଧୀନ ଭଗବାନପୁର କଳିଙ୍ଗନଗର କେ-୯(ଏ) ଅଞ୍ଚଳରେ ଅପରାଧୀମାନେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଛନ୍ତି । ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ କରି ଗୁରୁତର କରିଛନ୍ତି । ଉଦ୍ଧାର କରିବାକୁ ଆସିଥିବା ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଖଣ୍ଡାରେ ହାଣିବା ପାଇଁ ଗୋଡ଼ାଇଛନ୍ତି । ଖବରପାଇ ତମାଣ୍ଡୋ ଥାନା ପୁଲିସ ପହଞ୍ଚି ଗୁରୁତର ଯୁବକ ଲକି ଓରଫ ବ୍ରିଜେଶ ବେହେରାଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍‌ସକୁ ପଠାଇଛି । ଭଗବାନପୁରରେ ଚଢ଼ଉ କରି ପୁଲିସ ସୌମ୍ୟରଞ୍ଜନ ନାମକ ଜଣେ ଯୁବକକୁ ଉଠାଇ ନେଇଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି ।

ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ବ୍ରିଜେଶ ତାଙ୍କ କଳିଙ୍ଗନଗର କେ ୯(ଏ)ସ୍ଥିତ ଘରକୁ ଫେରୁଥିଲେ । ଉକ୍ତ ରାସ୍ତା ମୁଣ୍ଡରେ ଭଗବାନପୁରର ସୌମ୍ୟରଞ୍ଜନ, ସାହିଲ, ବଳିଆ, ମୁନା, ତପୁକୁ ମିଶାଇ ପ୍ରାୟ ୭/୮ ଜଣ ଯୁବକ ତାଙ୍କୁ ଅଟକାଇ ଗାଳି କରିବା ସହ ମାଡ଼ ମାରିଥିଲେ । ସେ ପ୍ରତିବାଦ କରିବାରୁ ତାଙ୍କୁ ଖଣ୍ଡାରେ ହାଣିବାକୁ ଉଦ୍ୟମ କରିଥିଲେ । ଜୀବନ ବିକଳରେ ବ୍ରିଜେଶ ଘରକୁ ଦୌଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ । ହେଲେ ଆକ୍ରମଣକାରୀମାନେ ପରିବାର ଲୋକଙ୍କ ଉପସ୍ଥିତିରେ ବ୍ରିଜେଶଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ । ଖଣ୍ଡା ବୁଲାଇ ସେଠାରେ ଆତଙ୍କ ଖେଳାଇଥିଲେ । ଆଖପାଖ ଲୋକେ ଉଠି ଆସିବାରୁ ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଖଣ୍ଡା ଦେଖାଇ ଧମକଚମକ ଦେଇ ପଳାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଭାଇଗିରି ପାଇଁ ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି । ପାର୍ବଣରେ ଚାନ୍ଦାବଟି ପାଇଁ ଅପରାଧୀମାନେ ଭାଇଗିରି ଆରମ୍ଭ କରିଦେଇଥିବା ପୁଲିସ କହିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button