ଜିଲ୍ଲାରାଜ୍ୟ

Illegal Business: ବିନା ଟ୍ରେଡ୍ ଲାଇସେନ୍ସରେ ବେଧଡ଼କ ବେପାର; ପୌରସଂସ୍ଥାର ରାଜସ୍ୱ କ୍ଷତି

ବିନା ବ୍ୟାପାର ଅନୁମତିପତ୍ରରେ (ଟ୍ରେଡ୍ ଲାଇସେନ୍ସ)ରେ ବେପାର ଜମିବାରେ ଲାଗିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମେତ ଜିଲ୍ଲାର ଅନ୍ୟ ତିନି ପୌରପାଳିକା, ଯଥା- ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ସମାନ ସ୍ଥିତି।

ରାଉରକେଲା: ବିନା ବ୍ୟାପାର ଅନୁମତିପତ୍ରରେ (ଟ୍ରେଡ୍ ଲାଇସେନ୍ସ)ରେ ବେପାର ଜମିବାରେ ଲାଗିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମେତ ଜିଲ୍ଲାର ଅନ୍ୟ ତିନି ପୌରପାଳିକା, ଯଥା- ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ସମାନ ସ୍ଥିତି। ହଜାର ହଜାର ବ୍ୟବସାୟୀ ବେଧଡ଼କ ନିଜର କାରବାର ଚଳାଉଥିବାବେଳେ ପୌର କର୍ତ୍ତୃପକ୍ଷ ଏହା ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍। ଏହାଦ୍ବାରା ବହୁ ପରିମାଣରେ ରାଜସ୍ବହାନୀ ମଧ୍ୟ ଘଟୁଛି। ଗତ ବର୍ଷକରେ, ଜିଲ୍ଲାର ସମସ୍ତ ୪ଟି ପୌରସଂସ୍ଥାରେ ମୋଟ୍‌ ୧୪୮୨ ଜଣଙ୍କୁ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯାଇଛି।

ପ୍ରଶାସନର ନାକ ତଳେ ନିୟମକୁ ବେଖାତିର କରାଯାଉଛି

ବାସ୍ତବରେ ଏ ଦିଗକୁ ପୌର କର୍ତ୍ତୃପକ୍ଷ କ୍ରମାଗତ ଭାବେ ଅଣଦେଖା କରିଚାଲିଛି। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଲାଇସେନ୍ସ ପ୍ରଦାନ ସଂଖ୍ୟା ୧୪୮୨ରେ ସୀମିତ ରହିଥିଲା। ଆର୍‌ଏମ୍‌ସି ପକ୍ଷରୁ ଗତ ଦୁଇ ବର୍ଷ, ଅର୍ଥାତ୍‌ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ୍‌ ୧୬୨୮ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ରାଜସ୍ବ ବାବଦକୁ ୧ କୋଟି ୧୧ ଲକ୍ଷ ୭୦ ହଜାର ୯୫୦ ଟଙ୍କା ଆଦାୟ କରାଯାଇଥିଲା। ୨୦୨୩-୨୪ରେ ୬୫୪ ଜଣ ଲାଇସେନ୍ସଧାରୀଙ୍କଠାରୁ ୫୨,୩୬,୨୦୦ ଟଙ୍କା ଓ ୨୦୨୪-୨୫ରେ ୯୭୪ ଜଣ ଲାଇସେନ୍ସଧାରୀଙ୍କଠାରୁ ୫୯,୩୪,୭୫୦ ଟଙ୍କା ଆଦାୟ ହୋଇଥିଲା। ସେହିଭଳି ସୁନ୍ଦରଗଡ଼ ପୌରପାଳିକାରେ ଗତ ୨୦୨୪-୨୫ରେ ୨୧୧ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ୧୨.୯୦ ଲକ୍ଷ ଆଦାୟ ହୋଇଥିଲା। ରାଜଗାଙ୍ଗପୁର ପୌରପାଳିକାରେ ୨ ଶହ ଜଣ ଲାଇସେନ୍ସଧାରୀଙ୍କଠାରୁ ୪.୯୯ ଲକ୍ଷ ଓ ବୀରମିତ୍ରପୁର ପୌରପାଳିକାରେ ୯୭ ଲାଇସେନ୍ସଧାରୀଙ୍କଠାରୁ ୨.୬୩ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରାଯାଇଥିଲା। ନିୟମ ଅନୁଯାୟୀ, ଯେକୌଣସି ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ପୌର ସଂସ୍ଥାରୁ ଅନୁମତି ପତ୍ର ନେବା ଓ ପ୍ରତିବର୍ଷ ଏହାକୁ ନବୀକରଣ କରିବା ବାଧ୍ୟତାମୂଳକ। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା, ଯେଉଁଠି ପ୍ରଶାସନର ନାକ ତଳେ ନିୟମକୁ ବେଖାତିର କରାଯାଉଛି। ପୌର କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଓ ଉଦାସୀନ ମନୋଭାବ ପରିଲକ୍ଷିତ ହୁଏ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ନିୟମିତ ଯାଞ୍ଚ କରାଯାଉନି କିମ୍ବା ବେଆଇନ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଏମିତିକି କର୍ତ୍ତୃପକ୍ଷ ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଗୋପନୀୟ ବୁଝାମଣାରେ ବେପାର ଚାଲିଥିବା ଅଭିଯୋଗ ହେଉଛି। ଏହାସହ ସୁରକ୍ଷା ଓ ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି, କାରଣ ଟ୍ରେଡ୍ ଲାଇସେନ୍ସ ପ୍ରକ୍ରିୟା ସମୟରେ ଅଗ୍ନିଶମ ସୁରକ୍ଷା, ଖାଦ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡର ଯାଞ୍ଚ କରାଯାଇଥାଏ। ତେବେ ବିନା ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥାଏ, ଯାହାକି ଗ୍ରାହକଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରୁଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button