IND VS NZ ODI: ଦିନିକିଆ ଦଳରେ ହେବ ବଡ଼ ପରିବର୍ତ୍ତନ, ଫେରି ପାରନ୍ତି ୩ ଧୁରନ୍ଧର

ନୂଆଦିଲ୍ଲୀ,୦୯/୧୦; ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଓ ଏ’ ଦଳ ଘୋଷଣା କରାଯାଇଛି । ଖୁବ ଶୀଘ୍ର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯିବ । ଏଥର ଦିନିକିଆ ଦଳରେ ବହୁ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଦିନିକିଆ ଓ ଟେଷ୍ଟ ସିରିଜ ମଧ୍ୟରେ ମାତ୍ର ୩ଦିନର ବିଶ୍ରାମ ସମୟ ରହିଥିବାରୁ ଏଭଳି ପରିବର୍ତ୍ତନର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମତଃ ଉପ ଅଧିନାୟକ ଶ୍ରେୟାସ ଆୟର ଦିନିକିଆ ଦଳକୁ ଫେରିବେ । ଏସୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ଜାପାନ ଗସ୍ତ କରିଥିବାରୁ ଆୟର ଗତ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଖେଳିପାରି ନଥିଲେ । ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ପେସ୍ ବୋଲର ହର୍ଷିତ ରାଣା ଦିନିକିଆ ଦଳକୁ ଫେରିବା ଆଶା କ୍ଷୀଣ । କାରଣ ଉଭୟ ସମ୍ପ୍ରତି ଆହତ ଅଛନ୍ତି ଓ ଜାତୀୟ କ୍ରିକେଟ୍ ଏକାଡେମୀରେ ଫିଟ୍ନେସ୍ ଫେରି ପାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ଭେଟେରାନ ପେସ୍ ବୋଲର ମହମ୍ମଦ ସାମି ଦିନିକିଆ ଦଳକୁ ଫେରିବା ନେଇ ଯଥେଷ୍ଟ ସମ୍ଭାବନା ବୃଦ୍ଧି ପାଇଛି ।
ଟି-ଟ୍ୱେଣ୍ଟି ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ମଧ୍ୟ ଦିନିକିଆ ଦଳକୁ ଫେରିପାରନ୍ତି । ତେବେ ଟି-ଟ୍ୱେଣ୍ଟି ସିରିଜର ପ୍ରଦର୍ଶନ ଉପରେ ତାଙ୍କ ଦିନିକିଆ ପ୍ରତ୍ୟାବର୍ତ୍ତନ ନିର୍ଭର କରିବ । ଶୁଭମନ ଗିଲ୍, କେଏଲ ରାହୁଲ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ମହମ୍ମଦ ସିରାଜ ଓ ନୀତିଶ ରାଣାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବ । ହେଲେ ଏମାନେ କେବଳ ପ୍ରଥମ ୩ଟି ମ୍ୟାଚ ଖେଳିପାରିବେ । ଚତୁର୍ଥ ଓ ପଞ୍ଚମ ଦିନିକିଆରୁ ଏମାନଙ୍କୁ ବାଦ ଦିଆଯିବ । ଦିନିକିଆ ସିରିଜ ଶେଷ ହେବାର ୩ ଦିନ ପରେ ଟେଷ୍ଟ ସିରିଜ ଆରମ୍ଭ ହେବ । ତେଣୁ ୨ଟି ମ୍ୟାଚ ପୂର୍ବରୁ ଏହି ଖେଳାଳିମାନେ ଦିନିକିଆ ଦଳରୁ ବାହାରି ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ନୂଆକରି ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ନମନ ଧିର ଦିନିକିଆ ଦଳରେ ସ୍ଥାନ ବଜାୟ ରଖିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରେୟାସ ଆୟର ଦିନିକିଆ ଦଳକୁ ଫେରିବା ନିଶ୍ଚିତ । ତଥାପି ଋତୁରାଜ ଗାଏକୱାଡ୍ ଦଳରେ ସ୍ଥାନ ବଜାୟ ରଖିବେ । କିନ୍ତୁ ଭେଟେରାନ ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯିବ । ସେ କେବଳ ଟେଷ୍ଟ ଦଳରେ ସ୍ଥାନ ପାଇବେ । ଇଶାନ କିଷନ ଦିନିକିଆ ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ରହିଛି । ଚଳିତ ବର୍ଷ ସେ ଟି-ଟ୍ୱେଣ୍ଟି କ୍ରିକେଟ୍ରେ ସର୍ବାଧିକ ରନ ସଂଗ୍ରହ କରିସାରିଛନ୍ତି । ପ୍ରଦର୍ଶନରେ ସ୍ଥିରତା ରହିଥିବାରୁ କିଷନଙ୍କୁ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ ଚୟନକର୍ତ୍ତା ବିଚାର କରୁଛନ୍ତି ।
ସୌଜନ୍ୟ ପ୍ରମେୟ




