India Tourism: ଯୁଦ୍ଧ ପାଇଁ ଦୋହଲିଗଲା ସ୍ଥିତି: କୋଭିଡ ପରେ ପୁଣି ପ୍ରଭାବିତ ଭାରତର ପର୍ଯ୍ୟଟନ କ୍ଷେତ୍ର

ନୂଆଦିଲ୍ଲୀ: କୋଭିଡ ପରେ ବିଶ୍ବବ୍ୟାପୀ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇଥିଲାବେଳେ ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତର ପର୍ଯ୍ୟଟନ ଗଭୀର ଭାବେ ପ୍ରଭାବିତ ହୋଇଛି। ସାମଗ୍ରିକ ଭାବରେ ବୁକିଂ ୩୦-୬୦ ପ୍ରତିଶତ ହ୍ରାସ ପାଇଛି ଏବଂ ମଧ୍ୟପ୍ରାଚ୍ୟ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହାର ମୁଖ୍ୟ କାରଣ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ଅନେକ ଦେଶ ସେମାନଙ୍କ ଆକାଶମାର୍ଗ ବନ୍ଦ କରିଦେଇଛନ୍ତି। ଲୋକମାନେ ଅନିଶ୍ଚିତତା ଭିତରେ ବିଦେଶ ଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ପ୍ରଭାବ ବୁକିଂ ଶୈଳୀରୁ ଜଣାପଡ଼ୁଛି। ଆର୍ନ୍ତଜାତିକ ଯାତ୍ରା ଫ୍ଲାଟଫର୍ମ ପିକ୍‌ୟୋରଟ୍ରେଲ୍‌ର ସହ ସଂସ୍ଥାପକ ଓ ସିଇଓ ହରି ଗଣପତି କହିଛନ୍ତି, ବୁକିଂରେ ୩୦ ରୁ ୬୦ ହ୍ରାସ ଦେଖିବାକୁ ମିଳୁଛି। ରମଜାନ ପରେ ପଶ୍ଚିମ ଏସିଆ ଦେଶକୁ ଭାରତରୁ ଅଧିକ ବୁକିଂ ହେଉଥିବାବେଳେ ଏଥର କିନ୍ତୁ ସେହି ଟ୍ରେଣ୍ଡ ‌ଦେଖିବାକୁ ମିଳିନାହିଁ। ତେବେ ସ୍କୁଲରେ ପରୀକ୍ଷା ଓ ଆର୍ଥିକ ବର୍ଷକୁ ନେଇ ସାଧାରଣତଃ ମାର୍ଚ୍ଚ ମାସ ଅନ୍ୟ ମାସ ତୁଳନାରେ ଟିକେ ଧୀମା ରହିଥାଏ। ଶ୍ରୀଲଙ୍କା, ସିଙ୍ଗାପୁର, ଭିଏତନାମ ଓ ବାଲି ପରି ସ୍ଥାନକୁ ବୁକିଂ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ପଶ୍ଚିମ ଦେଶକୁ ଯାତ୍ରା ଅଧିକ ପ୍ରଭାବିତ ହୋଇଛି। ଏଥିରେ ୪୦-୬୦ ପ୍ରତିଶତ ବୁକିଂ ହ୍ରାସ ପାଇଛି। ବିମାନ ଭଡ଼ା ବୃଦ୍ଧି ମଧ୍ୟ ଅନ୍ୟ ଏକ କାରଣ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ-ୟୁରୋପ ମାର୍ଗରେ ବିମାନ ଭଡ଼ା୧୭-୩୩ ପ୍ରତିଶତ ବୃଦ୍ଧି ପାଇଥିଲା।

ଦୁବାଇକୁ ବର୍ତ୍ତମାନ ସୀମିତ ସଂଖ୍ୟକ ବିମାନ ଉଡ଼ାଣ କରୁଥିବାବେଳେ, ଭାରତର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ମାର୍ଗ ମଧ୍ୟରୁ ଗୋଟିଏରେ ଏକପାଖିଆ ଭଡ଼ା ୬୦-୮୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରକୃତରେ, ଗତ ସପ୍ତାହରେ ରେକର୍ଡ ହୋଇଥିବା ସମସ୍ତ ଉଡ଼ାଣ ବାତିଲର ୫୦-୬୫ ପ୍ରତିଶତ ଦୁବାଇ ରୁଟ୍‌ରେ ହୋଇଥିଲା ବୋଲି ପିକ୍‌ୟୋରଟ୍ରେଲ୍‌ ପକ୍ଷରୁ କୁହାଯାଇଛି।

ଏସ୍‌ଟିଆଇସି ଟ୍ରାଭେଲ ଗ୍ରୁପ୍‌ ଅଫ କମ୍ପାନିଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁଭାଷ ଗୋୟଲ କହିଛନ୍ତ, ପଶ୍ଚିମ ଦେଶକୁ ଯିବା ପାଇଁ ଗଲ୍ଫ ମୁଖ୍ୟ ରାସ୍ତା। କିନ୍ତୁ ଏହି ମାର୍ଗ ବନ୍ଦ ଥିବାରୁ ୟୁରୋପକୁ ଯାଉଥିବା ଅନେକ ଯାତ୍ରୀ ଇଥିଓପିଆ, ଶ୍ରୀଲଙ୍କା କିମ୍ବା ଜୋର୍ଡାନ ଦେଇ ଯାତ୍ରା କରୁଛନ୍ତି, କାରଣ ସେହି ଦେଶଗୁଡ଼ିକର ବିମାନ ସେବା ଏବେ ବି କାର୍ଯ୍ୟକ୍ଷମ ଅଛି। ଯେଉଁମାନଙ୍କର ଜରୁରୀକାଳୀନ କିମ୍ବା ତୁରନ୍ତ ଯାତ୍ରା କରିବାର ଆବଶ୍ୟକତା ଅଛି ସେମାନେ ପଶ୍ଚିମଦେଶକୁ ଯାଉଛନ୍ତି। ଗୋୟଲ କହିଛନ୍ତି, ଘରୋଇ କ୍ଷେତ୍ର ଏବେ ପ୍ରଭାବିତ ହୋଇନାହିଁ। କିନ୍ତୁ ସହରମାନଙ୍କର ଏଲ୍‌ପିଜି ନିଅଣ୍ଟ ଲାଗି ରହିଲେ ଏହା ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଭାବିତ କରିପାରେ।

ସୌଜନ୍ୟ ସମ୍ବାଦ

Exit mobile version