River: ନଦୀ-ବନ-ପର୍ବତ: ମାର୍କଣ୍ଡେୟ ସରୋବର

ସାକ୍ଷାତ୍‌ ବୈକୁଣ୍ଠ ସ୍ବରୂପ ଶ୍ରୀପୁରୁଷୋତ୍ତମକ୍ଷେତ୍ର। ଏହା ସର୍ବତୀର୍ଥ ମଧ୍ୟରେ ତୀର୍ଥରାଜ ଭାବରେ ପରିଗଣିତ। ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି- ‘‘ସକଳ ତୀର୍ଥ ଘେନିକରି। ନୀଳ କନ୍ଦରେ ବିଜେ ହରି।’’

ସାକ୍ଷାତ୍‌ ବୈକୁଣ୍ଠ ସ୍ବରୂପ ଶ୍ରୀପୁରୁଷୋତ୍ତମକ୍ଷେତ୍ର। ଏହା ସର୍ବତୀର୍ଥ ମଧ୍ୟରେ ତୀର୍ଥରାଜ ଭାବରେ ପରିଗଣିତ। ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି- ‘‘ସକଳ ତୀର୍ଥ ଘେନିକରି। ନୀଳ କନ୍ଦରେ ବିଜେ ହରି।’’ ଶଙ୍ଖାକୃତି ଏହି ତୀର୍ଥରେ ସକଳ ତୀର୍ଥର ସମାହାର ଘଟିଥିଲେ ମଧ୍ୟ, ମୁଖ୍ୟତଃ ପାଞ୍ଚଟି ତୀର୍ଥଙ୍କୁ ଶାସ୍ତ୍ରମାନଙ୍କରେ ପ୍ରାଧାନ୍ୟ ଦିଆଯାଇଛି। ସେମାନେ ହେଲେ- ମାର୍କଣ୍ଡେୟ ପୁ‌ଷ୍କରିଣୀ, ଶ୍ବେତଗଙ୍ଗା, ରୋହିଣୀକୁଣ୍ଡ, ଇନ୍ଦ୍ରଦ୍ୟୁମ୍ନ ସରୋବର ଓ ମହେ‌ାଦଧି। ତୀର୍ଥମାନଙ୍କୁ ଯେଉଁ ଚାରିଭାଗରେ ବିଭକ୍ତ କରାଯାଏ, ସେମାନଙ୍କ ମଧ୍ୟରୁ ଏହି ତୀର୍ଥଟି ଆର୍ଷତୀର୍ଥ ଭାବରେ ପରିଚିତ। କାରଣ, ଏହା ମୁନି ମାର୍କଣ୍ଡେୟଙ୍କ ଦ୍ବାରା ପ୍ରସ୍ତୁତ ତୀର୍ଥ।

ମୁନି ମାର୍କଣ୍ଡେୟ ଥିଲେ କଳ୍ପଜୀବୀ। ପ୍ରଳୟ କାଳରେ ସମଗ୍ର ପୃଥିବୀ ଯେତେବେଳେ ଜଳମଗ୍ନ ହେଲା, ମହାମୁନି ମାର୍କଣ୍ଡେୟ ସେହି ପ୍ରଳୟ ଜଳରେ ଭାସିଭାସି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ସେଠାରେ ‌ସେ ଦେଖିଲେ, ସମସ୍ତ ଜୀବଜନ୍ତୁ, ବୃକ୍ଷଲତା ପ୍ରଳୟ ଜଳରେ  ବିନଷ୍ଟ ହୋଇଯିବା ‌ସତ୍ତ୍ବେ, ଏକ କୋମଳ ପତ୍ରଧାରୀ ବଟବୃକ୍ଷ ଅକଂପିତ ହୋଇ ସେହି ପ୍ରଳୟଜଳ ମଧ୍ୟରେ ଦଣ୍ଡାୟମାନ। ଏବଂ ସେହି ବଟବୃକ୍ଷର ଏକ ପତ୍ର ଉପରେ ଭଗବାନ ଏକ ଅଙ୍ଗୁଷ୍ଠପ୍ରମାଣ ପୁରୁଷ ରୂପରେ ଶୟନ କରିଛନ୍ତି। ତାଙ୍କୁ ଦର୍ଶନ କରି ତଲ୍ଲୀନ ହେବାବେଳେ ଅବଲୀଳାକ୍ରମେ ସେ ସେହି ପୁରୁଷଙ୍କ ଗର୍ଭରେ ପ୍ରବେଶ କଲେ। ସେଠାରେ ସେ ସହସ୍ର ବର୍ଷ ରହି ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଦର୍ଶନ କରି ପୁନଶ୍ଚ ସେହି ମୁଖ ଦେଇ ବାହାରକୁ ଆସିଲେ ଏବଂ ଭଗବାନଙ୍କୁ ପ୍ରଣାମ କରି ଆତ୍ମଜ୍ଞାନ ପ୍ରାପ୍ତି ନିମିତ୍ତ ପ୍ରାର୍ଥନା କଲେ।

ପରମ ଜ୍ଞାନୀ ଭଗବାନ ତାଙ୍କୁ ପରମଜ୍ଞାନ ପ୍ରଦାନ କରି ଆତ୍ମଜ୍ଞାନ ଲାଭ ନିମିତ୍ତ ପରମ ଜ୍ଞାନୀ ଭଗବାନ ଶିବ ଶଙ୍କରଙ୍କୁ ତପସ୍ୟା କରିବା ନିମିତ୍ତ ନିର୍ଦ୍ଦେଶ ଦେଲେ ଏବଂ ସୃଷ୍ଟି ଓ ପ୍ରଳୟରହିତ ସ୍ଥାନ ଶ୍ରୀକ୍ଷେତ୍ରରେ ନିବାସ କରିବାକୁ ଅନୁମତି ଦେଲେ। ଭଗବାନଙ୍କ ନିର୍ଦ୍ଦେଶରେ ମୁନି ମାର୍କଣ୍ଡେୟ ବଟବୃକ୍ଷର ବାୟୁ କୋଣରେ ଏକ ଗର୍ତ୍ତ ନିର୍ମାଣ କରି ସେଠାରେ ରହି ଶିବ ଆରାଧନା କଲେ ଏବଂ ଚିରଞ୍ଜୀବୀ ହୋଇ ରହିଲେ। ସେହି ଗର୍ତ୍ତ ଆଜି ମାର୍କଣ୍ଡେୟ ସରୋବର ଭାବରେ ଚିହ୍ନିତ। ତାହାର ତୀରଦେଶରେ ମାର୍କଣ୍ଡେଶ୍ବର ମହାଦେବ ବିରାଜିତ।

ମାର୍କଣ୍ଡେଶ୍ବର ହରିହରଙ୍କର ଏକ ଅଘୋର ମୂର୍ତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନେକ ନୀତି ଏହି ପୁଷ୍କରିଣୀ ତଟରେ ସଂପନ୍ନ ହୋଇଥାଏ। ଶ୍ରୀକୃଷ୍ଣଙ୍କର କାଳୀୟ ଦଳନ ଲୀଳା, ବଡ଼ଠାକୁର ଶ୍ରୀବଳରାମଙ୍କର ଜନ୍ମଲୀଳା, ଦେବୀ ଲକ୍ଷ୍ମୀଙ୍କର ଋଷିପଞ୍ଚମୀ ବ୍ରତ ଆଜି ଏଠାରେ ଅନୁଷ୍ଠିତ ହୁଏ। ଏହା ବ୍ୟତୀତ କେଉଁ ପ୍ରାଚୀନ କାଳରୁ ସେବକ ପରିବାରର କନ୍ୟାମାନେ ‘ନେତପିଲା’ ହୋଇ ଏଠାରେ ଗୌରୀବ୍ରତ ପାଳନ କରିବାକୁ ଆସିଥାନ୍ତି। ଏଠାରେ ସ୍ନାନ ଓ ମାର୍କଣ୍ଡେୟ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ।

ସୌଜନ୍ୟ ସମ୍ବାଦ

Exit mobile version