Indian Army: ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ମେଡିକାଲ ନେଲେ ଯବାନ

ମାଲକାନଗିରି ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ କେବଳ ଯବାନ ନକ୍ସଲ ବିରୋଧରେ ଲଢେଇ ଜାରି ରଖିନାହାନ୍ତି, ବରଂ ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ କେବଳ ଯବାନ ନକ୍ସଲ ବିରୋଧରେ ଲଢେଇ ଜାରି ରଖିନାହାନ୍ତି, ବରଂ ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ଜଂଗଲରେ କୁମ୍ବିଂ ସମୟରେ ଲୋକଙ୍କୁ ଯେତେବେଳେ ବି ସମସ୍ୟା ପଡିଲା ଯବାନ ଆଗକୁ ଆସି ସହଯୋଗର ହାତ ବଢାଇଛନ୍ତି। ଏଭଳି ଏକ ସଦ୍ୟତମ ଘଟଣା କ୍ରମରେ ଛତିଶଗଡର ଦନ୍ତେଵାଡା ଜିଲ୍ଲାର ବୈଲାଡିଲା ନକ୍ସଲ ପ୍ରବଣ ଅଂଚଳରେ ଯବାନଙ୍କ ମାନବିକତା ଦେଖିବାକୁ ମିଳିଛି। ଦନ୍ତେୱାଡାର ୧୬୫ ସିଆରପିଏଫ ବାଟାଲିନୟର ଯବାନ ବୈଲାଡିଲା ଜଂଗଲରେ କୁମ୍ବିଂ କରୁଥିଲେ।

ତେବେ ଜଂଗଲରେ ରହିଥିବା ଗୋଟିଏ ଗାଁରେ ଆଦିବାସୀ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଯବାନ ଏହା ଦେଖିବା ପରେ ତୁରନ୍ତ ତାଂକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ। ଏହି ଅଂଚଳର ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବା ବେଳେ କୌଣସି ମୁହର୍ତ୍ତରେ କିଛି ବି ଘଟବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ସିଆରପିଏଫ ଅଧିକାରୀ ରାଜେଶ ଗୁର୍ଜରଙ୍କ ନେତୃତ୍ବରେ କିଛି ଯବାନ ତୁରନ୍ତ ଏକ ଖଟିଆକୁ ଷ୍ଟେଚର କରି ମହିଳାଙ୍କୁ ସେଠିରେ ଲଦି କାନ୍ଧରେ ଖଟିଆକୁ ବୋହି ମାଇଲ ମାଇଲ ବାଟ ଚାଲି ସ୍ଥାନୀୟ ମେଡିକାଲରେ ପହଞ୍ଚାଇଥିଲେ।

ଯବାନଙ୍କର ଏହି ସହଯୋଗ ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଇଛି। ଯବାନ କେବଳ ଲୋକଙ୍କୁ ନକ୍ସଲ ଦାଉରୁ ରକ୍ଷା କରୁନାହାନ୍ତି। ବରଂ ଦରକାର ପଡିଲେ ସେମାନଙ୍କୁ ପ୍ରତି ମୁହର୍ତ୍ତରେ ସହଯୋଗ କରିଆସୁଛନ୍ତି। ମାଗଣାରେ ସ୍ବାସ୍ଥ୍ୟ ଶିବିର କରି ଔଷଧ ପ୍ରଦାନ କରିବା ହେଉ ବା ଜନ ସଂପର୍କ ଶିବିର କରି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ହେଉ ସବୁଥିରେ ଯବାନ ଆଗରେ ରହିଛନ୍ତି। ତେବେ ସିଆରପିଏଫ ଯବାନଙ୍କର ଏହି ମହାନତା ଏବେ ରାଜ୍ୟରେ ବେଶ ଚର୍ଚ୍ଚା ସାଉଁଟୁଛି। ଯବାନଙ୍କୁ ସଲାମ ବୋଲି ଲୋକେ କହୁଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version