ଭାରତରେ ସ୍ବାସ୍ଥ୍ୟସେବା ଉପରେ ଅନ୍ୟ ଦେଶର ଲୋକଙ୍କ ଭରସା ବଢ଼ୁଛି। ବିଭିନ୍ନ ଦେଶରୁ ଭାରତକୁ ଚିକିତ୍ସା ପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ବିଦେଶୀ ଆସୁଛନ୍ତି, ଯାହାଙ୍କୁ ଆମେ ସ୍ବାସ୍ଥ୍ୟ ପର୍ଯ୍ୟଟକ ବା ମେଡିକାଲ୍ ଟୁରିଷ୍ଟ ବୋଲି କହିଥାଉ। ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବ୍ୟୟବହୁଳ ଚିକିତ୍ସା ତୁଳନାରେ ଭାରତରେ ଗୁଣାତ୍ମକ ଚିକିତ୍ସା ଅପେକ୍ଷାକୃତ କମ୍ ଖର୍ଚ୍ଚରେ ହେଉଥିବାରୁ ଏଠାକୁ ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବିଦେଶୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୦ରେ ପ୍ରକାଶିତ ଇଣ୍ଟର୍ନ୍ୟାସନାଲ୍ ମେଡିକାଲ୍ ଟୁରିଷ୍ଟ ଇଣ୍ଡେକ୍ସରେ ଭାରତ ଦଶମ ସ୍ଥାନରେ ରହିଛି। ତାଲିକାରେ ଦକ୍ଷିଣ ଏସିଆର ଆଉ କେତେକ ଦେଶ ମଧ୍ୟ ଅଛନ୍ତି। ଭାରତକୁ ବିଦେଶରୁ ଆସୁଥିବା ଲୋକଙ୍କ ମଧ୍ୟରୁ ଅଙ୍ଗ ପ୍ରତିରୋପଣ ବା ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ପାଇଁ ଅଧିକ ରୋଗୀ ଆସିଥାନ୍ତି। ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ୨୦୨୩ରେ ଭାରତର ବିଭିନ୍ନ ବଡ଼ ବଡ଼ ହସ୍ପିଟାଲ୍ରେ ୧୮,୩୭୮ଟି ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ଅସ୍ତ୍ରୋପଚାର ହୋଇଥିଲା। ସେଥିରୁ ୧୮୫୧ଟି ବିଦେଶୀ ରୋଗୀଙ୍କ କ୍ଷେତ୍ରରେ ହୋଇଛି, ଯାହାକି ଏହି ଚିକିତ୍ସା ସେବାର ୧୦ ପ୍ରତିଶତ। ସେଥିରୁ ୧୪୪୫ଟି ଅସ୍ତ୍ରୋପଚାର କେବଳ ଦିଲ୍ଲୀ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ କରାଯାଇଛି। ସେହିପରି ୨୦୨୪ରେ ଭାରତକୁ ଚିକିତ୍ସା ପାଇଁ ଆସିବାକୁ ୪,୬୩,୭୨୫ ଭିସା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଭାରତୀୟ ସରକାରୀ ଓ ଘରୋଇ ହସ୍ପିଟାଲ୍ଗୁଡ଼ିକର ଉନ୍ନତ ରୋଗୀସେବା, ଅନ୍ୟ ଦେଶ ତୁଳନାରେ କମ୍ ଖର୍ଚ୍ଚ, ସହଜ ଭିସା, ଉନ୍ନତ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଆଦିକୁ ବିଚାରକୁ ନେଇ ବିଦେଶୀ ରୋଗୀ ଭାରତୀୟ ହସ୍ପିଟାଲ୍ମୁହାଁ ହେଉଛନ୍ତି। ଏହା ଦେଶରେ ସ୍ବାସ୍ଥ୍ୟ ପର୍ଯ୍ୟଟନକୁ ବ୍ୟାପକ କରିବା ସହ ଦେଶ ଭିତରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ, ସୁସ୍ଥ ହେବା ପରେ ମଧ୍ୟ ବିଦେଶୀ ରୋଗୀମାନେ ଡାକ୍ତରଖାନାରୁ ବାହାରି ପ୍ରମୁଖ ସହରର ହୋଟେଲ୍ରେ ରହି ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବା ପରେ ନିଜ ନିଜ ଦେଶକୁ ଫେରୁଛନ୍ତି। ଏହାଦ୍ବାରା ଭାରତର ସ୍ବାସ୍ଥ୍ୟସେବା ଉପରେ ବିଦେଶୀଙ୍କ ଆସ୍ଥା ବଢ଼ିବା ସହ ଦେଶର ପର୍ଯ୍ୟଟନ ଅର୍ଥନୀତି ଉପରେ ମଧ୍ୟ ଅନୁକୂଳ ପ୍ରଭାବ ପଡ଼ୁଛି।
ସୌଜନ୍ୟ ସମ୍ବାଦ
