ଜସପ୍ରୀତ୍ ବୁମରାହଙ୍କ କୋଟିପତି ପତ୍ନୀ; IT କମ୍ପନୀରୁ ଚାକିରିର ଆରମ୍ଭ, ରହି ସାରିଛନ୍ତି ମିସ୍ ଇଣ୍ଡିଆ, କାହିଁକି ମଡେଲିଂ ଛାଡ଼ି ସ୍ପୋର୍ଟରେ କ୍ୟାରିୟର ?

ବୁମରାଙ୍କଠୁ କୌଣସି ଗୁଣରେ କମ୍ ନୁହଁନ୍ତି ପତ୍ନୀ ସଞ୍ଜନା ଗଣେଶନ... ଦୁହେଁ ନିଜ ନିଜ କ୍ଷେତ୍ରରେ ମାହିର୍, ବୁମରା ଖେଳରେ... ସଞ୍ଜନା ଉପସ୍ଥାପନାରେ। ଭାରତର କ୍ରିକେଟ ଇଭେଣ୍ଟଗୁଡ଼ିକୁ କଭର କରୁଥିବା ପ୍ରମୁଖ ଚେହେରା ମଧ୍ୟରେ ସେ ଜଣେ

ମୁମ୍ବାଇ  : ଜସପ୍ରିତ୍ ବୁମରା… ନାଁ ହିଁ ଯଥେଷ୍ଟ… ମଇଦାନକୁ ଓହ୍ଲାଇଲେ ବଦଳାଇ ଦିଅନ୍ତି ମ୍ୟାଚର ମୋଡ଼। ଏବେT20ବିଶ୍ୱକପ୍ 2026 ପରେ ଇଣ୍ଡିଆ ଟିମ୍ ରେ ଆହୁରି ବଢ଼ି ଯାଇଛି ଜସିଙ୍କ ଗୁରୁତ୍ୱ। ତେବେ ଏଠି କହି ରଖୁଛୁ ଯେ, ବୁମରାଙ୍କଠୁ କୌଣସି ଗୁଣରେ କମ୍ ନୁହଁନ୍ତି ପତ୍ନୀ ସଞ୍ଜନା ଗଣେଶନ… ଦୁହେଁ ନିଜ ନିଜ କ୍ଷେତ୍ରରେ ମାହିର୍, ବୁମରା ଖେଳରେ… ସଞ୍ଜନା ଉପସ୍ଥାପନାରେ। ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଦୁନିଆରେ ସଞ୍ଜନାଙ୍କର ଏକ ସଫଳ କ୍ୟାରିଅର। ଭାରତର କ୍ରିକେଟ ଇଭେଣ୍ଟଗୁଡ଼ିକୁ କଭର କରୁଥିବା ପ୍ରମୁଖ ଚେହେରା ମଧ୍ୟରେ ସେ ଜଣେ। ତାଙ୍କର ଆତ୍ମବିଶ୍ୱାସ, ଉପସ୍ଥାପନା ଶୈଳୀ ଏବଂ ଖେଳର ଗଭୀର ବୁଝାମଣା ପାଇଁ ସେ ଜଣାଶୁଣା। ସଞ୍ଜନା ଜଣେ ଦକ୍ଷ ଖେଳ ସାମ୍ବାଦିକା କହିଲେ ଭୁଲ୍ ହେବନି। ଟେଲିଭିଜନରେ ହୋଷ୍ଟ କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି।

କେଉଁଠି ଜନ୍ମ ଓ ପାଠପଢ଼ା ? 

ପୁଣେରେ ସଞ୍ଜନା ଗଣେଶନଙ୍କ ଜନ୍ମ। ଏକ ଉଚ୍ଚ ଶିକ୍ଷିତ ପରିବାରରୁ ସେ ଆସିଛନ୍ତି। ସେ ଇଞ୍ଜିନିୟରିଂ କରିଥିଲେ। IT ସେକ୍ଟରରେ କାମ କରୁଥିଲେ। କିନ୍ତୁ ଏହା ପରେ ସେ ମଡେଲିଂ ଏବଂ ମିଡିଆ ଜଗତ ପ୍ରତି ହୋଇଥିଲେ ଆକର୍ଷିତ। ତାଙ୍କର ସୁନ୍ଦରତା ଏବଂ ଆତ୍ମବିଶ୍ୱାସ ଯୋଗୁଁ, ସେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ। ଏମିତି କି ସେ ଫାଇନାଲିଷ୍ଟ ହୋଇ “ଅଫିସିଆଲି ଗର୍ଜିୟସ୍” ଟାଇଟଲ୍ ଜିତିଥିଲେ। ତାପରେ ସଞ୍ଜନା ରିଆଲିଟି ଶୋ MTV ସ୍ପ୍ଲିଟ୍ସଭିଲାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଶୋ’ ସମୟରେ, ତାଙ୍କର ପ୍ରତିଯୋଗୀ ଅଶ୍ୱିନୀ କାଉଲଙ୍କ ସହିତ ସମ୍ପର୍କ ଥିଲା। ସେମାନଙ୍କ କେମେଷ୍ଟ୍ରିକୁ ନେଇ ବେଶ୍ ଆଲୋଚନା ବି ହୋଇଥିଲା। ଗୋଟିଏ ଏପିସୋଡ୍ରେ, ସଞ୍ଜନା ଅଶ୍ୱିନୀ କାଉଲଙ୍କୁ ଚୁମ୍ବନ ମଧ୍ୟ ଦେଇଥିଲେ, ଯାହା ତାଙ୍କୁ ବେଶି ଭାଇରାଲ୍ କରି ଦେଇଥିଲା।ରିଆଲିଟି ଶୋ ପରେ, ସଞ୍ଜନା ତାଙ୍କ କ୍ୟାରିୟରର ଦିଗ ପରିବର୍ତ୍ତନ କଲେ। ସ୍ପୋର୍ଟସ ଆଙ୍କରିଂ ଜଗତରେ ପ୍ରବେଶ କରିଥିଲେ। ଏବେ ସେ ସ୍ପୋଟ୍ସ ଶୋ’ ହୋଷ୍ଟ କରନ୍ତି, ଅନେକ ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏବଂ ଲିଗ୍ ପାଇଁ ଆଙ୍କରିଂ କରନ୍ତି। ତାଙ୍କର ନିଆରା ଶୈଳୀ ଏବଂ କ୍ରିକେଟ୍ ପ୍ରତି ତାଙ୍କ ଆଗ୍ରହ ଯୋଗୁ କ୍ରୀଡା ପ୍ରସାରଣ କ୍ଷେତ୍ରରେ ସେ ପାଲଟିଲେ ଚର୍ଚ୍ଚିତ ଚେହେରା।

କେମିତି ଆରମ୍ଭ ହେଲା ପ୍ରେମ ?

ଏକ ମ୍ୟାଚ୍ ସମୟରେ ସଞ୍ଜନା ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ଭେଟିଥିଲେ। ସେମାନଙ୍କର କାର୍ଯ୍ୟ ସମ୍ବନ୍ଧୀୟ କଥାବାର୍ତ୍ତା ଧୀରେ ଧୀରେ ବନ୍ଧୁତାରେ ପରିଣତ ହୋଇଥିଲା। ତା’ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଡେଟିଂ। ଯେତେବେଳେ ସଞ୍ଜନା IPL ସମୟରେ କୋଲକାତା ନାଇଟ୍ ରାଇଡର୍ସ ସହିତ କାମ କରୁଥିଲେ, ସେତେବେଳେ ଜସପ୍ରିତ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିଲେ। ଏମିତି ସ୍ଥିତିରେ ବି ପ୍ରେମର ପରୱାନା ପୂରା ଜୋରସୋରରେ ଥିଲା। ବୁମରାହ ତାଙ୍କ ପ୍ରେମିକାଙ୍କୁ ପୂରା ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଥିଲେ। ଉଭୟ ମାର୍ଚ୍ଚ 2021ରେ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଯେଉଁଥିରେ କେବଳ ପରିବାର ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ପରେ, ଦମ୍ପତି ପୁଅ ଅଙ୍ଗଦକୁ ସ୍ୱାଗତ କରିଥିଲେ।

ସଞ୍ଜନାଙ୍କର କେତେ ସମ୍ପତ୍ତି ?

ଆର୍ଥିକ ଦୃଷ୍ଟିରୁ, ସଞ୍ଜନା ବୁମରାଙ୍କଠୁ କୌଣସିଥିରେ କମ୍ ନୁହନ୍ତି। ସ୍ପୋର୍ଟ୍ସ ପ୍ରେଜେଣ୍ଟର ଭାବେ ସେ ବେଶ୍ ପରିଚିତ। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଟିଭି ଉପସ୍ଥାପନା ପାଇଁ ୨୦ଲକ୍ଷରୁ ୪୦ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜନା ଗଣେଶନଙ୍କ ମୋଟ୍ ସମ୍ପତ୍ତି ପ୍ରାୟ ୮କୋଟି ଆକଳନ କରାଯାଇଛି। ସଞ୍ଜନା କ୍ରିକେଟ କମେଣ୍ଟ୍ରି ଜଗତରେ ଏକ ଚର୍ଚ୍ଚିତ ନାଁ । ଇଞ୍ଜିନିୟରିଂରୁ କ୍ରୀଡା ସାମ୍ବାଦିକତା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସମର୍ପଣ, ଆଗ୍ରହର ଦିଏ ପ୍ରମାଣ।

ଗତ କିଛି ବର୍ଷ ଧରି, ସଞ୍ଜନା ଅନେକ ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରସାରଣରେ ସାମିଲ ଅଛନ୍ତି। ସଞ୍ଜନା 2019 ICC କ୍ରିକେଟ ବିଶ୍ୱକପ୍, 2020 ICC ମହିଳା T20 ବିଶ୍ୱକପ୍, 2021 ଏବଂ 2022 ICC ପୁରୁଷ T20 ବିଶ୍ୱକପ୍, ଏବଂ 2023 ମହିଳା ପ୍ରିମିୟର ଲିଗ୍ ଭଳି ହାଇ-ପ୍ରୋଫାଇଲ୍ ଇଭେଣ୍ଟଗୁଡ଼ିକର ହୋଷ୍ଟ ଏବଂ ରିପୋର୍ଟିଂ କରିଛନ୍ତି। ତାଙ୍କର ଅନ-ଗ୍ରାଉଣ୍ଡ୍ ରିପୋର୍ଟିଂ, ଖେଳାଳିଙ୍କ ସହ ସାକ୍ଷାତକାର ଏବଂ ପ୍ୟାନେଲ ହୋଷ୍ଟିଂ ଭୂମିକା ତାଙ୍କୁ ଦେଶବ୍ୟାପୀ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଏକ ପରିଚିତ ଚେହେରା କରିଛି।

ସୌଜନ୍ୟ Prameya News7

Exit mobile version