ଧରମଶାଲା: ଆଇପିଏଲ୍ର ଘଟଣା ବହୁଳ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ପ୍ରତୀକ୍ଷିତ ପ୍ଲେ’ ଅଫ୍ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି) ସିଧାସଳଖ ଫାଇନାଲ ଟିକେଟ ହାସଲ କରିବା ଲାଗି ପ୍ରଥମ କ୍ବାଲିଫାୟରରେ ପରସ୍ପରର ମୁହାଁମୁହିଁ ହେବାକୁ ଯାଉଛନ୍ତି। ମଙ୍ଗଳବାରର ଏହି ବଡ଼ ଟକ୍କର ଲାଗି ଉଭୟ ଦଳର ପ୍ରଶଂସକ ବି ବେଶ୍ ଉଲ୍ଲସିତ ଅଛନ୍ତି।
ହିମାଳୟ ପାଦଦେଶରେ ଥିବା ଧରମଶାଲା ଷ୍ଟାଡିୟମ୍ରେ ଜିଟି ପ୍ରଥମ ଥର ଖେଳିବା ଏହି ମୁକାବିଲାକୁ ଆହୁରି ସ୍ବତନ୍ତ୍ର କରିଛି। ପୁଣି ଉଭୟ ଦଳ ପରସ୍ପର ବିପକ୍ଷରେ ସମାନ ୪ଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଏହି ଲଢ଼େଇ ବେଶ୍ ରୋମାଞ୍ଚକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଟି ଓ ଆର୍ସିବି ମଧ୍ୟ ପ୍ରଥମ ଥର ପ୍ଲେ’ ଅଫ୍ରେ ଭେଟାଭେଟି ହେବେ। ଚଳିତ ଋତୁରେ ବି ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍ରୁ ଗୋଟିଏ ଲେଖାଏଁ ଜିତିଛନ୍ତି। ଦୁଇଟି ଯାକ ଦଳ ଲିଗ୍ ପର୍ଯାୟରେ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ ମଧ୍ୟ ନେଟ୍ ରନ୍ ରେଟ୍ରେ ସାମାନ୍ୟ ଆଗୁଆ ରହି ଆର୍ସିବି ତାଲିକାର ପ୍ରଥମ ସ୍ଥାନରେ ରହିଛି। ତଥାପି ଏହାକୁ ପାଥେୟ କରି ଆର୍ସିବି ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ୍ ଖେଳିବା ଆଶାରେ ରହିଛି। ଅନ୍ୟପକ୍ଷରେ ଗୁଜରାଟ କ୍ବାଲିଫାୟର-୧କୁ ଜିତି ପ୍ରଥମ ଦଳ ଭାବେ ଫାଇନାଲ୍କୁ ଯିବା ଯୋଜନାରେ ଅଛି। ଏହି ମହାମୁକାବିଲାରେ ଯେଉଁ ଦଳ ହାରିବ, ତାକୁ ଏଲିମିନେଟର୍ ଖେଳି ଫାଇନାଲ୍କୁ ଯିବାର ଦ୍ବିତୀୟ ସୁଯୋଗ ମିଳିବ। ହେଲେ ବିଜୟୀ ଦଳ ମନସ୍ତାତ୍ବିକ ବିଜୟ ସହ ଫାଇନାଲ୍ରେ ଆତ୍ମବିଶ୍ବାସର ସହ ସ୍ଥାନ ସୁରକ୍ଷିତ କରିନେବ।
ଚଳିତ ଋତୁରେ ଆର୍ସିବି ସବୁଠାରୁ କମ୍ ଖେଳାଳିଙ୍କୁ ନେଇ ଖେଳିଛି। ଅର୍ଥାତ୍ ନିଜ ଦଳରେ ଅଯଥା ଅଦଳ ବଦଳ କରିନି। ଏଣୁ ଏକ ସନ୍ତୁଳିତ ଦଳ ବୋଲି ପ୍ରମାଣିତ କରି ସାରିଛି। ତେବେ ଓପନର୍ ଫିଲ୍ ସଲ୍ଟକୁ ନେଇ ଥିବା ଦ୍ବନ୍ଦ୍ବ ଆର୍ସିବି ପାଇଁ ସାମାନ୍ୟ ଚିନ୍ତାର କାରଣ ହୋଇଛି। ଆହତ ହୋଇ ସ୍ବଦେଶ ଫେରିଥିବା ସଲ୍ଟ ଭାରତ ଫେରି ଆସିଛନ୍ତି। ତେବେ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦଳ ଦେଇନି। ସଲ୍ଟ ନଫେରିଲେ ଭେଙ୍କଟେଶ ଆୟର ପୁଣି ଥରେ କିଂବଦନ୍ତି ବିରାଟ କୋହଲିଙ୍କ ସହ ପାଳି ଆରମ୍ଭ କରିପାରନ୍ତି। ଅଧିନାୟକ ଶୁବମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ଯୋଡ଼ି ଜିଟି ପାଇଁ ପ୍ରମୁଖ ଅସ୍ତ୍ର ହେବେ। ବୋଲିଂରେ ଚଳିତ ଋତୁର ଦୁଇ ସର୍ବାଧିକ ୱିକେଟ୍ ଦଖଲକାରୀ ଭୁବନେଶ୍ବର କୁମାର ଓ କାଗିସୋ ରବାଡ଼ାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଲିଗ୍ ପର୍ଯ୍ୟାୟର ଡେଥ୍ ଓଭରଗୁଡ଼ିକରେ ଭୁବନେଶ୍ବର ୧୬ ଓଭର ବୋଲିଂ କରିଥିଲା ବେଳେ ରବାଡ଼ା ମାତ୍ର ୬ ଓଭର ବୋଲିଂ କରିଛନ୍ତି। ଏଣୁ ଭୁବନେଶ୍ବର ଏହି କ୍ଷେତ୍ରରେ ଆଗୁଆ ରହିଛନ୍ତି। ରବାଡ଼ା ୧୬ ପାଳିରୁ କୋହଲିଙ୍କୁ ୬ଥର ଆଉଟ୍ କରିଛନ୍ତି। ସେପଟେ ଗିଲ୍ଙ୍କ ଉପରେ ଭୁବି ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି। ଭୁବିଙ୍କ ବିରୋଧରେ ଗିଲ୍ଙ୍କ ଷ୍ଟ୍ରାଇକ୍ ରେଟ୍ ମାତ୍ର ୧୦୬.୭ ଥିଲା ବେଳେ ରନ୍ ସଂଗ୍ରହ ହାର ହେଉଛି କେବଳ ୧୬। ଜିଟିକୁ ରବାଡ଼ା ପ୍ରାରମ୍ଭିକ ସଫଳତା ଦେଲେ ଆର୍ସିବିର ମଧ୍ୟକ୍ରମକୁ ଘାଇଲା କରିବାର ଦକ୍ଷତା ରସିଦ ଖାନ୍ ରଖନ୍ତି। ଅନ୍ୟପକ୍ଷରେ ଆର୍ସିବିକୁ ଭୁବି ପ୍ରାରମ୍ଭିକ ସଫଳତା ଦେଲେ ଜିଟିର ତାରକା ବ୍ୟାଟର୍ ଜୋସ୍ ବଟଲର୍ ଓ ୱାସିଂଟନ୍ ସୁନ୍ଦରଙ୍କ ଭଳି ବ୍ୟାଟର୍ଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଜୋସ୍ ହାଜେଲଉଡ୍ ପୂରା ସକ୍ଷମ।
ଧରମଶାଲାରେ ଖେଳା ଯାଇଥିବା ଦୁଇଟି ଯାକ ରାତି ମ୍ୟାଚ୍ ପଶ୍ଚାତଧାବନ କରୁଥିବା ଦଳ ଫାଇଦାରେ ରହିଥିଲେ। ଏଠାକାର ଏଚ୍ପିସିଏ ଷ୍ଟାଡିୟମ୍ ସୀମା ରେଖା ସାମାନ୍ୟ ଛୋଟିଆ ହୋଇଥିଲା ବେଳେ ପାହାଡ଼ି ପବନ ପାଇଁ ଦ୍ବିତୀୟ ପାଳିରେ ବୋଲିଂ କରିବା ସେତେଟା ସହଜ ହୁଏନି। ଏଣୁ ଟସ୍ ଜିତିବା ଦଳ ଏଠାରେ ପଛୁଆ ବ୍ୟାଟିଂ କରିବାକୁ ପସନ୍ଦ କରିବାର ଆଶା ଅଧିକ।
ସମ୍ଭାବ୍ୟ ଆର୍ସିବି: ବିରାଟ କୋହଲି, ଫିଲ୍ ସଲ୍ଟ/ଭେଙ୍କଟେଶ ଆୟର, ଦେବଦତ୍ତ ପଡ଼ିକଲ, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା, ରୋମାରିଓ ସେପର୍ଡ, ଟିମ୍ ଡେଭିଡ୍, କୃଣାଳ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଜ୍ୟାକବ ଡଫି/ ସୁୟଶ ଶର୍ମା, ଜୋସ ହାଜେଲଉଡ୍, ରସିଖ ସଲାମ।
ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ: ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ୍ ବଟଲର୍, ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ରାହୁଲ ତିୱାତିଆ, ନିଶାନ୍ତ ସିନ୍ଧୁ, ରସିଦ ଖାନ୍, ଅର୍ଶଦ ଖାନ, କାଗିସୋ ରବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ ଆର ସାଇ କିଶୋର/ମାନବ ସୁତାର।
ସୌଜନ୍ୟ ସମ୍ବାଦ

