ଧର୍ମଶାଳା: ଆଇପିଏଲ୍ ୨୦୨୬ର ପ୍ରଥମ କ୍ଵାଲିଫାୟରରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ। ଅଧିନାୟକ ରଜତ ପାଟିଦାରଙ୍କ ଧୂଆଁଧାର ବ୍ୟାଟିଂ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ବେଙ୍ଗାଲୁରୁ ୫ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଛି। ଫାଇନାଲରେ ପହଞ୍ଚିବା ପାଇଁ ଗୁଜରାଟ ସାମ୍ନାରେ ୨୫୫ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରହିଛି। ପାଟିଦାର ୯୩ ରନର ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା ୪୩ ରନ ଲେଖାଏଁ କରିଛନ୍ତି। ପ୍ଲେ ଅଫରେ କୌଣସି ଦଳ ଦ୍ଵାରା ଏହା ସର୍ବାଧିକ ସ୍କୋର।
ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଆରସିବିର ବ୍ୟାଟର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଦେଇଥିଲେ। ଆରମ୍ଭରୁ ଓପନର୍ ଭେଙ୍କଟେଶ ଆୟର ପ୍ରଥମ ଓଭରରେ ହିଁ ୩ଟି ଚୌକା ମାରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ସେ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଦେବଦତ୍ତ ପଡିକଲ୍ ୩୦ ରନର ଅବଦାନ ଦେଇଥିଲେ।
ପାୱାର-ପ୍ଲେ’ରେ ଦଳ ୭୬ ରନ୍ କରିଥିଲେ ମଧ୍ୟ ମଝିରେ ଜେସନ୍ ହୋଲ୍ଡର ୨ଟି ୱିକେଟ୍ ନେଇ ଗୁଜରାଟକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ୧୦ ଓଭର ସୁଦ୍ଧା ସ୍କୋର ୯୯ ରନ୍ରେ ଅଟକି ରହିଥିଲା। କିନ୍ତୁ ଏହାପରେ କୃଣାଲ ପାଣ୍ଡ୍ୟା (୪୩ ରନ୍) ଏବଂ ରଜତ ପାଟିଦାର କ୍ରିଜ୍ରେ ଜମି ରହି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ବିଶେଷ କରି ଶେଷ ୬ ଓଭରରେ ଆରସିବି ରନ୍ ଗତିକୁ ରକେଟ୍ ଭଳି ବଢ଼ାଇ ମାତ୍ର ୩୬ ବଲ୍ରେ ୧୧୪ ରନ୍ ସଂଗ୍ରହ କରିଥିଲା। ଶେଷ ଆଡ଼କୁ ଜିତେଶ ଶର୍ମା ମଧ୍ୟ ୫ ବଲ୍ରେ ୧୫ ରନ୍ କରି ଅପରାଜିତ ରହିଥିଲେ।
ପାଟିଦାରଙ୍କ ବିସ୍ଫୋରଣ, କୋହଲିଙ୍କ ୬୦୦ ରନ୍ ପୂରଣ
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆରସିବି ଅଧିନାୟକ ରଜତ ପାଟିଦାର ଦଳ ନେତୃତ୍ୱ ନେଇ ଗୁଜରାଟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ସେ ମାତ୍ର ୩୩ ବଲ୍ର ସାମ୍ନା କରି ୫ଟି ଚୌକା ଓ ୯ଟି ବିଶାଳ ଛକା ସହାୟତାରେ ୯୩ ରନ୍ର ଏକ ଅପରାଜିତ ଧୂଆଁଧାର ପାରି ଖେଳିଛନ୍ତି। ଅନ୍ୟପଟେ କିଙ୍ଗ୍ ବିରାଟ କୋହଲି ମଧ୍ୟ ଦ୍ରୁତ ବ୍ୟାଟିଂ କରି ୨୫ ବଲ୍ରେ ୪୩ ରନ୍ (୫ ଚୌକା, ୧ ଛକା) ସଂଗ୍ରହ କରିଛନ୍ତି। ଏହି ଇନିଂସ ସହ କୋହଲି ଚଳିତ ସିଜନରେ ନିଜର ୬୦୦ ରନ୍ ମଧ୍ୟ ପୂରଣ କରିଛନ୍ତି।
ପ୍ଲେ-ଅଫରେ ପ୍ରଥମ ଥର ୨୫୦+ ରନ୍
ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ଲେ-ଅଫ୍ କିମ୍ବା ନକଆଉଟ୍ ମ୍ୟାଚ୍ରେ କୌଣସି ଦଳ ୨୫୦ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛି। ଆରସିବିର ଏହି ବିଶାଳ ସ୍କୋର ଗୁଜରାଟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୌଜନ୍ୟ Prameya News7

