Iran War Updates: ଇରାନ ସହ ଏକତା ଦେଖାଇଲା କାଶ୍ମୀର: ଯୁଦ୍ଧ-ପୀଡ଼ିତ ଦେଶ ପାଇଁ ଉପତ୍ୟକାରୁ ୬୦୦ କୋଟି ଟଙ୍କା ଟପିଲା ଦାନ

ଶ୍ରୀନଗର: କାଶ୍ମୀରବାସୀ ଯୁଦ୍ଧ-ପ୍ରଭାବିତ ଇରାନକୁ ସାହାଯ୍ୟ କରିବା ପାଇଁ ଏକତ୍ରିତ ହେଉଛନ୍ତି। ନଗଦ ଅର୍ଥ, ଅଳଙ୍କାର, ବାସନକୁସନ, ପଶୁସମ୍ପଦ ଏବଂ ଏପରିକି ପିଲାମାନଙ୍କର ସଞ୍ଚୟ ମଧ୍ୟ ଦାନ କରୁଛନ୍ତି। ସମ୍ପ୍ରତି ଉପତ୍ୟକାରୁ ଇରାନବାସୀଙ୍କ ପାଇଁ ଏହି ଦାନ ପରିମାଣ ୬୦୦ କୋଟି ଟଙ୍କା ଟପିଥିବା ଜଣାପଡ଼ିଛି।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଶ୍ରୀନଗରର ଜାଦିବାଲ, ହାସନବାଦ, ଶାଲିମାର, ହରୱାନ, କମାରୱାରୀ, ଲାୱେପୋରା, ଫତେକଦଲ ଓ ବେମିନା ଅଞ୍ଚଳରେ ଦାନ ଅଭିଯାନ ଆୟୋଜିତ ହୋଇଥିଲା। ବଡଗାମ, ବାନ୍ଦିପୋରା ଓ ବାରମୁଲାରେ ମଧ୍ୟ ସମାନ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ନଗଦ ଟଙ୍କା ଓ ଚେକ୍‌ଠାରୁ ଆରମ୍ଭ କରି ସୁନା ଅଳଙ୍କାର, ରୂପା ପାତ୍ର, ତମ୍ବା ବାସନକୁସନ, ଟିପର ଟ୍ରକ୍, ମୋଟର ବାଇକ୍ ଓ ପଶୁସମ୍ପଦ ପର୍ଯ୍ୟନ୍ତ ଅବଦାନ ଥିଲା। ମହିଳାମାନେ ମୂଲ୍ୟବାନ ଅଳଙ୍କାର ଦାନ କରିଥିବା ବେଳେ ପିଲାମାନେ ସେମାନଙ୍କର କୁମ୍ପିଘଡ଼ି ସଂଗ୍ରହ କେନ୍ଦ୍ରକୁ ଆଣିଥିଲେ। ଜଣେ ବିଧବା ୨୮ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ତାଙ୍କ ସ୍ୱାମୀଙ୍କ ସ୍ମୃତିଚିହ୍ନ ଭାବରେ ରଖାଯାଇଥିବା ସୁନା ଦାନ କରିଥିଲେ।

ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସ ଏହି ଅବଦାନକୁ ଇରାନର ଲୋକଙ୍କ ପାଇଁ ‘ସାନ୍ତ୍ୱନାର ସବୁଠାରୁ ବଡ ଉତ୍ସ’ ବୋଲି ବର୍ଣ୍ଣନା କରିଛି। ଶିଆ ନେତା ଇମ୍ରାନ ଅନସାରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ଅନାବଶ୍ୟକ ପ୍ରତିବନ୍ଧକ ବିନା ଏହି ‘ବିଶ୍ୱାସ ଓ ଏକତାର ସାମୂହିକ କାର୍ଯ୍ୟ’ ସମ୍ମାନର ସହିତ ଜାରି ରଖିବାକୁ ଅନୁମତି ଦିଅନ୍ତୁ। ଏକ୍ସରେ ଏକ ବିବୃତିରେ ଦୂତାବାସ କାଶ୍ମୀରବାସୀଙ୍କୁ ସେମାନଙ୍କର ହୃଦୟରୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇ କହିଛି, ତୁମର ଲୁହ ଓ ଶୁଦ୍ଧ ଭାବନା ଇରାନର ଲୋକଙ୍କ ପାଇଁ ସାନ୍ତ୍ୱନାର ସବୁଠାରୁ ବଡ ଉତ୍ସ ଏବଂ ଏହାକୁ କେବେବି ଭୁଲି ହେବ ନାହିଁ। ସ୍ଥାନୀୟ ଲୋକ କହିଛନ୍ତି ଯେ, ଏହି ଅଭିଯାନ ରାଜନୀତି ପରିବର୍ତ୍ତେ ମାନବିକ ଚିନ୍ତାଧାରା ଦ୍ୱାରା ପରିଚାଳିତ। ଲୋକମାନେ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଛନ୍ତି। ଏହା କେବଳ ଶିଆ ସମ୍ପ୍ରଦାୟ ନୁହେଁ; ସୁନ୍ନି ସମ୍ପ୍ରଦାୟ ମଧ୍ୟ ଦୃଢ ସମର୍ଥନ ପ୍ରଦର୍ଶନ କରୁଛନ୍ତି। କମ୍ୟୁନିଟି ଗ୍ରୁପ୍ ଆକଳନ କରିଛି ଯେ, ମାତ୍ର ୨ ଦିନ ମଧ୍ୟରେ ଦାନ ୬୦୦ କୋଟିରୁ ଅଧିକ ହୋଇସାରିଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version