ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଭାବହୀନ ବୋଲିଂ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ବିସ୍ମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଆଇସିସି ମାନ୍ୟତାର ଏକ ନମ୍ବର ସ୍ଥାନ ହରାଇଛନ୍ତି। ତାଙ୍କୁ ହଟାଇ ଆଫଗାନିସ୍ତାନର ଭେଟେରାନ୍ ବୋଲର୍ ରସିଦ ଖାନ୍ ବିଶ୍ବ ବୋଲିଂ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଯଶପ୍ରୀତ୍ ବୁମ୍ରାଙ୍କ ସହ ଯୁଗ୍ମ ସର୍ବାଧିକ ୧୪ ୱିକେଟ୍ ନେଇଥିଲେ ମଧ୍ୟ ମାତ୍ରାଧିକ ମହଙ୍ଗା ସାବସ୍ତ ହୋଇଥିଲେ ବରୁଣ। ଯାହାର ପ୍ରତିକୂଳ ପ୍ରଭାବ ତାଙ୍କ ମାନ୍ୟତା ଉପରେ ପଡ଼ିଛି।
ଫଳରେ ଗତ ସେପ୍ଟେମ୍ବର ମାସଠାରୁ ବିଶ୍ବର ସର୍ବଶ୍ରେଷ୍ଠ ଟ୍ବେଣ୍ଟି-୨୦ ବୋଲରର ଉପାଧି ବହନ କରି ଆସୁଥିବା ବରୁଣ ଏବେ ରସିଦଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବିଶ୍ବକପ୍ର ପ୍ରଥମ ୪ମ୍ୟାଚ୍ରୁ ୯ ୱିକେଟ୍ ନେଇ ଚମତ୍କାର ଢଙ୍ଗରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲେ ସେ। ହେଲେ ସୁପର-୮ ସହ ସେମିଫାଇନାଲ୍ ଓ ଫାଇନାଲ୍ରେ ଆଶାଠାରୁ ଅଧିକ ରନ୍ ବ୍ୟୟ କରି ସମାଲୋଚିତ ହୋଇଥିଲେ। ନିଜ ପୂର୍ବ ଚମକ ବି ହରାଇ ବସିଥିଲେ। ଅନ୍ୟପକ୍ଷରେ ବିଶ୍ବକପ୍ର ସୁପର-୮ ଏବଂ ସେମିଫାଇନାଲ୍ ଓ ଫାଇନାଲ୍ ପର୍ଯ୍ୟାୟ ଖେଳି ନଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ତାଲିକାରେ ବରୁଣଙ୍କଠାରୁ ରସିଦ ୧୩ ପଏଣ୍ଟ୍ ଅଧିକ ପାଇଁ ଶିଖରରେ ନିଜ ସ୍ଥାନ ସୁଦୃଢ଼ କରି ନେଇଛନ୍ତି।
ଅଲରାଉଣ୍ଡର୍ ମାନ୍ୟତାରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ଏବଂ ଭାରତୀୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ କିନ୍ତୁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ରାଜା ୩୨୮ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ ପାଣ୍ଡ୍ୟା ୨୯୯ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର୍ ନିଜ କ୍ୟାରିୟର୍ର ଶ୍ରେଷ୍ଠ ମାନ୍ୟତା ଲାଭ କରି ନବମ ସ୍ଥାନ ଅଳଙ୍କୃତ କରିଛନ୍ତି।
ପ୍ରଭାବ ଅଭିଷେକଙ୍କ ରେଟିଂ ପଏଣ୍ଟ୍ ଉପରେ ପଡ଼ିଛି
ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟର୍ ମାନ୍ୟତାରେ ଦୁଇ ଭାରତୀୟ ଯୁବ ତାରକା ଅଭିଷେକ ଶର୍ମା ଓ ଈଶାନ କିଶନଙ୍କ ମଧ୍ୟ ପ୍ରଥମ ସ୍ଥାନ ପାଇଁ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ବିଶ୍ବକପ୍ରେ ଭାରତର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହେବା ପରେ ଈଶାନ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ଏବେ ସେ ୮୭୧ ପଏଣ୍ଟ୍ରେ ରହି ପ୍ରଥମ ସ୍ଥାନରେ ଥିବା ଅଭିଷେକ ଶର୍ମା (୮୭୫)ଙ୍କଠାରୁ ମାତ୍ର ୪ ପଏଣ୍ଟ୍ ପଛରେ ରହିଛନ୍ତି। ବିଶ୍ବକପ୍ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାର ପ୍ରଭାବ ଅଭିଷେକଙ୍କ ରେଟିଂ ପଏଣ୍ଟ୍ ଉପରେ ପଡ଼ିଛି। ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ସଞ୍ଜୁ ସାମସନ୍ ୧୮ସ୍ଥାନ ଡେଇଁ କ୍ୟାରିୟର୍ ଶ୍ରେଷ୍ଠ ୨୨ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ସୌଜନ୍ୟ ସମ୍ବାଦ
