ନୂଆଦିଲ୍ଲୀ: ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଦେଶର ବେକାରି ହାର ୬.୭ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ତାହା ୬.୯ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୪ ପ୍ରତିଶତରୁ ହ୍ରାସ ପାଇ ୪ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବେରୋଜଗାରଙ୍କ ସଂଖ୍ୟା କମ୍ ହୋଇଛି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ନିୟମିତ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍ଏସ୍) ରିପୋର୍ଟ ଅନୁସାରେ ସହରାଞ୍ଚଳରରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୬.୯ ପ୍ରତିଶତରୁ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ସହରାଞ୍ଚଳରେ ପୁରୁଷ ବେକାରି ହାର ୫.୯ ପ୍ରତିଶତକୁ ଖସିଆସିଛି। ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ସ୍ବାବଲମ୍ବୀଙ୍କ ହାର ୬୩.୨ ପ୍ରତିଶତ ହୋଇଛି ଯାହା ବର୍ଷକ ପୂର୍ବରୁ ଏହି ସମୟରେ ୬୨.୮ ପ୍ରତିଶତ ଥିଲା। ସହରାଞ୍ଚଳରେ ସେହି ହାର ୩୯.୩ ପ୍ରତିଶତରୁ ବଢ଼ି ୩୯.୭ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ୫୮.୮ ପ୍ରତିଶତ ଲୋକ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିଲେ।
ଗତବର୍ଷ ସେହି ହାର ୫୭.୭ ପ୍ରତିଶତ ଥିଲା। ଅର୍ଥାତ ଅଧିକ ଲୋକ କୃଷି କ୍ଷେତ୍ରରେ କାମ ପାଇଛନ୍ତି। ସହରାଞ୍ଚଳରେ ତୃତୀୟକ କ୍ଷେତ୍ରଗୁଡ଼ିକରେ ନିୟୋଜନ ହାର ୬୧.୯ ପ୍ରତିଶତ ରହିଛି। ୨୦୨୫ ଜୁଲାଇ ସେପ୍ଟେମ୍ବରରେ ୫୬.୨ କୋଟି ଲୋକଙ୍କୁ କାମ ମିଳିଥିଲା। ସେଥିରୁ ୩୯.୬ କୋଟି ପୁରୁଷ ଓ ୧୬.୬ କୋଟି ମହିଳା ଥିଲେ। ଏହାର ତିନି ମାସ ପରେ ଅର୍ଥାତ ୨୦୨୫ ଅକ୍ଟୋବର-ଡିସେମ୍ବର ତିନି ମାସରେ ନିଯୁକ୍ତି କ୍ଷେତ୍ରରେ ଥିବା ଲୋକଙ୍କ ସଂଖ୍ୟା ୫୭.୪ କୋଟିକୁ ବଢ଼ିଥିଲା। ସେଥିରୁ ୪୦.୨ କୋଟି ହେଉଛନ୍ତି ପୁରୁଷ ଓ ୧୭.୨ କୋଟି ମହିଳା।
ସୌଜନ୍ୟ ସମ୍ବାଦ
