ଜମ୍ମୁ: ପାଞ୍ଚ ସପ୍ତାହର ବିରତି ପରେ ଆରମ୍ଭ ହୋଇଥିବା ଜମ୍ମୁ-କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ଦିନ ରଣକ୍ଷେତ୍ରରେ ପରିଣତ ହୋଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ଆମେରିକା ଓ ଇସ୍ରାଏଲ୍ ହତ୍ୟା କରିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହାକୁ ଏକ “ଅନ୍ୟାୟ ଏବଂ ବେଆଇନ ଯୁଦ୍ଧ” ବୋଲି ଅଭିହିତ କରିଛନ୍ତି। ଗୃହ ମଧ୍ୟରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ ପିଡିପି ବିଧାୟକମାନେ ଖେମିନିଙ୍କ ଫଟୋ ପ୍ରଦର୍ଶନ କରି ନାରାବାଜି କରିବା ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ଇରଫାନ ହାଫିଜ୍ ଲୋନ୍ ଓ ବିଜେପି ବିଧାୟକ ଯୁଦ୍ଧବୀର ସେଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଶେଷରେ ବିଧାନସଭା ପରିସରକୁ ପୋଲିସ ପ୍ରବେଶ କରିବାକୁ ପଡ଼ିଥିଲା।
ତେବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରି କହିଛନ୍ତି ଯେ, ଏହା କେବଳ ଧର୍ମର ବିଷୟ ନୁହେଁ, ବରଂ ମାନବିକତାର ବିଷୟ। ଇରାନରେ ହେଉଥିବା ନିରୀହ ସ୍କୁଲ୍ ପିଲା ଓ ଖେମିନିଙ୍କ ସମ୍ପର୍କୀୟଙ୍କ ହତ୍ୟାକୁ କେହି ସମର୍ଥନ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କର ଆମେରିକା, ଇସ୍ରାଏଲ ଓ ଇରାନ ସହିତ ଉତ୍ତମ ସମ୍ପର୍କ ଥିବାରୁ ସେ ନିଜର ବ୍ୟକ୍ତିଗତ ପ୍ରଭାବ ବ୍ୟବହାର କରି ଏହି ଯୁଦ୍ଧ ବନ୍ଦ କରିବା ଉଚିତ। ଓମାରଙ୍କ ଅନୁଯାୟୀ, ଏହି ଯୁଦ୍ଧ ଯୋଗୁଁ କାଶ୍ମୀରର ଅନେକ ଲୋକ ଇରାନରେ ଫସି ରହିଛନ୍ତି ଏବଂ ଉପତ୍ୟକାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି, ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି।
ଅନ୍ୟପଟେ, ବିଜେପି ବିଧାୟକମାନେ ଏହି ଆଲୋଚନାକୁ ବିରୋଧ କରିବା ସହ ଜମ୍ମୁରେ ”ନ୍ୟାଶନାଲ ଲ” ୟୁନିଭରସିଟି” ପ୍ରତିଷ୍ଠା ଦାବିରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବିଜେପି ବିଧାୟକ ଶ୍ୟାମ ଲାଲ ଶର୍ମା କହିଛନ୍ତି ଯେ, ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏହି ଗୃହର କାର୍ଯ୍ୟାଧିକାର ନୁହେଁ। ଏହି ସମୟରେ କଂଗ୍ରେସ ବିଧାୟକ ଇରଫାନ ହାଫିଜ ଲୋନ୍ ଓ ବିଜେପି ବିଧାୟକ ଯୁଦ୍ଧବୀର ସେଠୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପିଡିପି ବିଧାୟକ ଆଗା ସୟଦ ମୁନ୍ତାଜିର ମେହେଦୀ ଦାବି କରିଛନ୍ତି ଯେ, ପଞ୍ଜାବ ବିଧାନସଭା ଭଳି ଜମ୍ମୁ-କାଶ୍ମୀରରେ ମଧ୍ୟ ଆମେରିକା-ଇସ୍ରାଏଲ୍ ଆକ୍ରମଣ ବିରୋଧରେ ଏକ ସଂକଳ୍ପ ପାରିତ ହେବା ଉଚିତ। ସିପିଆଇ ନେତା ମହମ୍ମଦ ୟୁସୁଫ ତାରିଗାମୀ ମଧ୍ୟ ଭାରତର ଇରାନ ସହ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଦୋହରାଇ କେନ୍ଦ୍ର ସରକାରଙ୍କୁ ଏହି ଯୁଦ୍ଧ ନିଆଁ ଲିଭାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଗୃହରେ ଜାରି ରହିଥିବା ଏହି ଅଚଳାବସ୍ଥା ଯୋଗୁଁ ବାଚସ୍ପତି ଅବଦୁଲ ରହିମ ରାଥର ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖିଥିଲେ।
ସୌଜନ୍ୟ ସମ୍ବାଦ
