Woman: ୨୨ ବର୍ଷୀୟା ଯୁବତୀ ଆଉ ଏକ ପୁଅ ଆଶାରେ ଷଷ୍ଠ ସନ୍ତାନକୁ ଜନ୍ମ ଦେବେ

ବାଗପତ: ରାଜସ୍ଥାନର ଜଣେ ୨୨ ବର୍ଷୀୟା ଗର୍ଭବତୀ ମହିଳା ପ୍ରକାଶ କରିଛନ୍ତି ଯେ ପାଞ୍ଚଟି ସନ୍ତାନ ଜନ୍ମ କରିବା ପରେ ସେ ଷଷ୍ଠ ସନ୍ତାନ ଆଶା କରୁଛନ୍ତି। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞା ତାଙ୍କ କ୍ଲିନିକକୁ ଆସିଥିବା ଏହି ଯୁବତୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାରାଉତର ସ୍ପନ୍ଦନ ହସ୍ପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞା ଡାକ୍ତର ପ୍ରଜ୍ଞା ତୋମାର ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ ବାରମ୍ବାର ଗର୍ଭଧାରଣ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।
ଭିଡିଓରେ ଡାକ୍ତର ତୋମାର ମହିଳାଙ୍କୁ ତାଙ୍କ ବୟସ ବିଷୟରେ ପଚାରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ବୟସ ୨୨, ସେ ୫ ମାସର ଗର୍ଭବତୀ ଓ ତାଙ୍କର ଷଷ୍ଠ ସନ୍ତାନର ମାଆ ହେବାକୁ ଯାଉଛନ୍ତି। ତାଙ୍କ ବିବାହ ବିଷୟରେ ପଚରାଯିବାରୁ ସେ ରାଜସ୍ଥାନର ଏବଂ ଏହା ଏକ ବାଲ୍ୟ ବିବାହ ବୋଲି କହିଥିଲେ। ମହିଳା ଜଣକ ଡାକ୍ତରଙ୍କୁ କହିଥିଲେ ଯେ ବିବାହ ବେଳେ ତାଙ୍କୁ ୧୫ କିମ୍ବା ୧୬ ବର୍ଷ ହୋଇଥିଲା। ତାଙ୍କର ବଡ ସନ୍ତାନ ଆଠ ବର୍ଷର ଏବଂ ତାଙ୍କର ଚାରି ଝିଅ ଓ ଗୋଟିଏ ପୁଅ ଅଛନ୍ତି।
ଏତେ କମ୍ ବୟସରେ ଗର୍ଭଧାରଣ ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ହୋଇ ଡାକ୍ତର ତୋମାର ପ୍ରଶ୍ନ କରିଥିଲେ ଯେ ସେ କୌଣସି ଗର୍ଭନିରୋଧକ ପଦ୍ଧତି ବ୍ୟବହାର କରୁଛନ୍ତି କି ନାହିଁ ଏବଂ ସେ କାହିଁକି ସନ୍ତାନ ଜନ୍ମ ଜାରି ରଖିଛନ୍ତି। ମହିଳା ଜଣକ ଉତ୍ତରରେ କହିଥିଲେ ଯେ, ସେ କ୍ରମାଗତ ଭାବରେ ଝିଅ ଜନ୍ମ କରିଛନ୍ତି। ଗୋଟିଏ ପୁଅ ଥିବା ବେଳେ ସେ ଆଉ ଗୋଟିଏ ପୁଅ ଚାହୁଛନ୍ତି ଏବଂ ଏହା ତାଙ୍କ ସ୍ବାମୀଙ୍କର ମଧ୍ୟ ଇଚ୍ଛା। ଡାକ୍ତର ତୋମାର ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ପୁଅ ଆଶାରେ ଜୀବନକୁ ବିପଦରେ ପକାଇବା ଠିକ୍ ନୁହେଁ। ଏହି ଭିଡିଓଟି ଏପର୍ଯ୍ୟନ୍ତ ପ୍ରାୟ ୪୦ ନିୟୁତ ଭ୍ୟୁ ହାସଲ କରିଛି।
ସୌଜନ୍ୟ Prameya News7




