ରାଜ୍ୟ

Landslides: ସୁଙ୍କି, ଦେଓମାଳି, କଳିଙ୍ଗା ସମେତ ୬ ଘାଟିରେ ଭୂସ୍ଖଳନ

ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରରେ ତାଣ୍ଡବ ରଚିଛି, ହେଲେ ଏହାର ପ୍ରଭାବ କୋରାପୁଟରେ ବି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ନନ୍ଦପୁର-ବିଶାଖାପାଟଣା, ସୁଙ୍କି, ଦେଓମାଳି, ଚିକଲାମାରି, କୋଟିଆ ଓ ତଳମିଟିଙ୍ଗ ପାହାଡ଼ରେ ଭୂସ୍ଖଳନ...

ପଟାଙ୍ଗି/ନନ୍ଦପୁର/ଲକ୍ଷ୍ମୀପୁର/ଲମତାପୁଟ: ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରରେ ତାଣ୍ଡବ ରଚିଛି, ହେଲେ ଏହାର ପ୍ରଭାବ କୋରାପୁଟରେ ବି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ନନ୍ଦପୁର-ବିଶାଖାପାଟଣା, ସୁଙ୍କି, ଦେଓମାଳି, ଚିକଲାମାରି, କୋଟିଆ ଓ ତଳମିଟିଙ୍ଗ ପାହାଡ଼ରେ ଭୂସ୍ଖଳନ ହୋଇ ଘାଟିରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଆନ୍ଧ୍ର-ଓଡ଼ିଶା ସମେତ ପଟାଙ୍ଗି, ନନ୍ଦପୁର, ଲକ୍ଷ୍ମୀପୁର ବ୍ଲକ୍‌ର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନନ୍ଦପୁର ବ୍ଲକ୍‌ର ପାଡୁଆରୁ ଆର୍‌କୁ ଦେଇ ବିଶାଖାପାଟଣାକୁ ସଂଯୋଗ କରୁଥିବା ଅନନ୍ତଗିରି ଘାଟିରାସ୍ତାର ସୁକାରମେଟୁ ନିକଟରେ ଭୂସ୍ଖଳନ ହୋଇଛି।

ଘାଟି ରାସ୍ତାର ଗୋଟିଏ ପାର୍ଶ୍ୱ ତଳକୁ ଖସି ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ ବ୍ୟାହତ ହୋଇଛି। ଫଳରେ ନନ୍ଦପୁର-ଲମତାପୁଟ-ବିଶାଖାପାଟଣା ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ପଟାଙ୍ଗି ବ୍ଲକ୍‌ ଗାଙ୍ଗରାଜପୁର ପଞ୍ଚାୟତର ଚିକଲାମାରି ଘାଟିରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ସୁଙ୍କି ଘାଟିରେ ମଧ୍ୟ ଭୂସ୍ଖଳନ କାରଣରୁ ୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି। ପଟାଙ୍ଗିରୁ ନେରେଡିବାଲସାକୁ ସଂଯୋଗ କରୁଥିବା ବ୍ରିଟିସ ରୋଡ୍‌ର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି। ଦେଓମାଳି ରାସ୍ତାରେ ମଧ୍ୟ ମାଟି ଅତଡ଼ା ଓ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ଟାଙ୍ଗିନି-ମୁଙ୍ଗାରଗୁମି ରାସ୍ତାର କୋପମାମାଡି ନିକଟରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇ ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୮ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ଟି ସ୍ଥାନରେ ଗଛ ପଡ଼ିଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ବ୍ଲକର ତଳମିଟିଙ୍ଗ ଗାଁ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ତୋୟାପୁଟର ଗୋଟିଏ ଓ ଲକ୍ଷ୍ମୀପୁରର ଦୁଇଟି ପରିବାରର କାନ୍ଥ ଭାଙ୍ଗିଛି। ରାୟଗଡ଼ାରୁ କୋରାପୁଟକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥରେ ପ୍ରବଳ କୁହୁଡ଼ି ଯୋଗୁଁ ଯାତ୍ରୀବାହୀ ବସ୍‌ ଚଳାଚଳରେ ସମସ୍ୟା ଉପୁଜିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button