ନୟାଗଡ଼: ଚିନ୍ତା ବଢ଼ାଇଛି ବେଆଇନ ପଥର ଖଣି। ପାହାଡ଼ ଫଟାଇବା ପାଇଁ ମାଫିଆମାନେ ବ୍ୟବହାର କରୁଥିବା ବିସ୍ଫୋରକକୁ ନେଇ ସବୁଠି ଆତଙ୍କ। ଏହି ବେଆଇନ ଖଣି ବିସ୍ଫୋରଣରେ ରଣପୁରର ବିଭିନ୍ନ ଅଞ୍ଚଳ ଥରିବାରେ ଲାଗିଛି। ବିଶେଷ କରି ଛପରିକୋଇଲାମାରେ ଥିବା ଲାଞ୍ଜିପାହାଡ଼କୁ ଲୁଟିବା ପାଇଁ ମାଫିଆମାନେ ରୀତିମତ ଭାବେ କରୁଥିବା ବେଆଇନ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଥରି ଉଠୁଛି। ନିକଟବର୍ତ୍ତୀ ଆଦିବାସୀସାହିରେ ବଡ଼ ବଡ଼ ପଥର ପଡ଼ୁଥିବା ଦେଖିବାକୁ ମିଳୁଛି। କୋଇଲାମା ଆଦିବାସୀସାହିରେ ରହୁଥିବା ସୁରେଶ ନାୟକଙ୍କ ଅଭିଯୋଗ ମୁତାବକ, ବିଳମ୍ବିତ ରାତିରେ ଶୋଇଥିବା ବେଳେ ପାହାଡ଼ରେ ବିସ୍ଫୋରଣ ହେଉଛି। ସେଠାରୁ ବଡ଼ ବଡ଼ ପଥର ଆସି ସେମାନଙ୍କ ଦାଣ୍ଡରେ ପଡ଼ିଥିଲା। ଏମିତିକି କିଛି ଲୋକ ଏହା ଦ୍ବାରା ଆହତ ହେଉଥିବା ବେଳେ ଘରର ଆଜବେଷ୍ଟସ୍ ଛପର ଅଧିକାଂଶ ସମୟରେ ଭାଙ୍ଗି ଯାଉଛି। ଏହି ବେଆଇନ ବିସ୍ଫୋରଣ ସମୟରେ ସ୍ଥାନୀୟ ଅଞ୍ଚଳରେ ମୃଦୁ ଭୂମିକମ୍ପ ହେବା ପରି ଅନୁଭବ ହେଉଛି। ପୂର୍ବରୁ କେବଳ ରାତିରେ ଏହି ବିସ୍ଫୋରଣ କରାଯାଉଥିବା ବେଳେ ଏବେ ଦିନରେ ମଧ୍ୟ ଏହି କାରବାର ଚାଲିଛି। ଫଳରେ ଆଦିବାସୀସାହି ବାସିନ୍ଦାମାନେ ସର୍ବଦା ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏମିତିକି ପୂର୍ବରୁ ଏକାଧିକ ଥର ଏହି ବେଆଇନ ଖଣିଗୁଡ଼ିକୁ ବନ୍ଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଉଛି। ଏଣୁ ଏହା କେତେ ଦୂର କାର୍ଯ୍ୟକାରୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ସମ୍ବାଦ
