Life Mantra: ଜୀବନ-ମନ୍ତ୍ର: ମହାତୀର୍ଥ ପଞ୍ଚନଦ

ଭଗବାନ ବିଷ୍ଣୁ ଦ୍ବାରକାକୁ ଆଗମନ କରିଛନ୍ତି ଜାଣି ପଞ୍ଚ ବ୍ରହ୍ମାପୁତ୍ର ସେଠାକୁ ଆସି, ସେଠାରେ ପଞ୍ଚନଦତୀର୍ଥ ପ୍ରତିଷ୍ଠା କରିଥିଲେ। ସେମାନଙ୍କର ଆବାହନରେ ପଞ୍ଚନଦୀ ସେଠାରେ ଉପସ୍ଥିତ ହୋଇଥିଲେ। ମରୀଚିଙ୍କ ନିମିତ୍ତ ଗୋମତୀ, ଅତ୍ରିଙ୍କ ନିମିତ୍ତ ଲକ୍ଷ୍ମଣା, ଅଙ୍ଗିରାଙ୍କ ନିମିତ୍ତ ଚନ୍ଦ୍ରଭାଗା....

ଭଗବାନ ବିଷ୍ଣୁ ଦ୍ବାରକାକୁ ଆଗମନ କରିଛନ୍ତି ଜାଣି ପଞ୍ଚ ବ୍ରହ୍ମାପୁତ୍ର ସେଠାକୁ ଆସି, ସେଠାରେ ପଞ୍ଚନଦତୀର୍ଥ  ପ୍ରତିଷ୍ଠା କରିଥିଲେ। ସେମାନଙ୍କର ଆବାହନରେ ପଞ୍ଚନଦୀ ସେଠାରେ ଉପସ୍ଥିତ ହୋଇଥିଲେ। ମରୀଚିଙ୍କ ନିମିତ୍ତ ଗୋମତୀ, ଅତ୍ରିଙ୍କ ନିମିତ୍ତ ଲକ୍ଷ୍ମଣା, ଅଙ୍ଗିରାଙ୍କ ନିମିତ୍ତ ଚନ୍ଦ୍ରଭାଗା, ପୁଲହଙ୍କ ନିମିତ୍ତ କୁଶାବତୀ ଓ କ୍ରତୁଙ୍କ ନିମିତ୍ତ ଜାମ୍ବବତୀ ଆସିଥିଲେ। ପଞ୍ଚ ମୁନିକୁମାର ସେହି ପଞ୍ଚନଦୀରେ ସ୍ନାନ କରି ବିଷ୍ଣୁଙ୍କୁ ଦର୍ଶନ କରିଥିଲେ। ସେହି ଯଶସ୍ବୀ ବ୍ରହ୍ମାପୁତ୍ର ସେ ସ୍ଥାନକୁ ପଞ୍ଚନଦ ତୀର୍ଥ ନାମରେ ଅଭିହିତ କରିଥିଲେ। ସେହି ତୀର୍ଥ ମନୁଷ୍ୟର ସମସ୍ତ ପାପମୋଚନ କରିବା ନିମିତ୍ତ ସମର୍ଥ।

କିନ୍ତୁ ସମଗ୍ର ପୃଥିବୀରେ ଏପରି ଏକ ଆଶ୍ଚର୍ଯ୍ୟ ସୁନ୍ଦର ସ୍ଥଳ ରହିଛି, ଯେଉଁଠି ପାଞ୍ଚଟି ନଦୀ ଏକତ୍ର ହୋଇ ଏକ ମହାସଙ୍ଗମ ସୃଷ୍ଟି କରିଛନ୍ତି। ତାହା ଆଜି ତୀର୍ଥରାଜ ପଞ୍ଚନଦ ଭାବରେ ଖ୍ୟାତି ଅର୍ଜନ କରିଛି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ଏଟାୱାର ଓଜାଲନ ସୀମାରେ ରହିଛି ପ୍ରକୃତିର ଏହି ବିିଚିତ୍ର ଉପହାର। ସେହି ପଞ୍ଚନଦୀ ହେଲେ- ଯମୁନା, ଚମ୍ବଲ, ସିନ୍ଧୁ, ପହଜ ଓ କୁଆଁରୀ ନଦୀ। କଥିତ ଅଛି, ଏହି ତୀର୍ଥରେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏକ ବର୍ଷ କଟାଇ ଥିଲେ। ଭୀମ ଏଠାରେ ବକାସୁରକୁ ବଧ କରିଥିଲେ।

କିଂବଦନ୍ତି ଅନୁସାରେ, ଏଠାରେ ଏକଦା ମୁଚୁକୁନ୍ଦଙ୍କର ଆଶ୍ରମ ଥିଲା। ସେ ଥିଲେ ଅଦ୍ଭୁତକର୍ମା। ଏକ ଗୁମ୍ଫା ମଧ୍ୟରେ ତପସ୍ୟା କରିବା ଅବସ୍ଥାରେ ସେ ଅନ୍ତର୍ହିତ ହୋଇଯାଇଥିଲେ। ଏ ପର୍ଯ୍ୟନ୍ତ ତାଙ୍କର ଦେହାବଶେଷ ମିଳି ନାହିଁ। ମନ୍ଦିରର ଚକଡ଼ା ମଧ୍ୟରେ ମୁଚୁକୁନ୍ଦଙ୍କର ପଦଚିହ୍ନକୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ବହୁ ଶ୍ରଦ୍ଧାଳୁ ଆସି ପୂଜା କରିଥାନ୍ତି। ଋଷି ମୁଚୁକୁନ୍ଦଙ୍କ ଅଦ୍ଭୁତକର୍ମ ସଂପର୍କରେ ଶୁଣି ସନ୍ଥ ତୁଳସୀଦାସ ମୁଚୁକୁନ୍ଦଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ପିଇବାକୁ ପାଣି ଟିକିଏ ମାଗିଲେ। ମୁଚୁକୁନ୍ଦ ତାଙ୍କ କମଣ୍ଡଳୁରୁ ପାଣି ଢାଳିବାକୁ ଲାଗିଲେ। ସେହି ପାଣି ଆଦୌ ଶେଷ ହେଲା ନାହିଁ। ତୁଳସୀ ଦାସ ମୁଚୁକୁନ୍ଦଙ୍କର ଏହି ଆଶ୍ଚର୍ଯ୍ୟ କ୍ଷମତା ସଂପର୍କରେ ଅବଗତ ହୋଇ ତାଙ୍କର ପାଦପୂଜା କଲେ। ଏଠାରେ ଏକ ମନ୍ଦିରରେ ତୁଳସୀଦାସଙ୍କର ମାଳି, କଉଠ, ଶଙ୍ଖ ଆଦି ସୁରକ୍ଷିତ ହୋଇ ରହିଛି। ଏଠା‌େର ପ୍ରାଚୀନ ମହା‌କାଳେଶ୍ବର ମନ୍ଦିର ରହିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପଞ୍ଚନଦ ସଂଗମରେ ସ୍ନାନ କରି ମହାକାଳେଶ୍ବରଙ୍କୁ ପୂଜନ କରିଥାନ୍ତି। ଏଠାରେ ଏକ ବିରାଟ ମେଳା ପାଞ୍ଚ ଦିନ ଧରି ହୋଇଥାଏ। ଏଠାରେ ସ୍ନାନ କଲେ ଅକାଳମୃତ୍ୟୁ ଦୋଷ ହରଣ ହୋଇଥାଏ। କଥିତ ଅଛି ଏହି ଅଞ୍ଚଳରେ କେବେ ଅଳ୍ପବୃଷ୍ଟି କାରଣରୁ ମରୁଡ଼ି ପଡ଼େ ନାହିଁ।

ସୌଜନ୍ୟ ସମ୍ବାଦ

Exit mobile version