ଲେପାକ୍ଷି ଶବ୍ଦର ଅର୍ଥ- ହେ ପକ୍ଷୀ ଉଠ। କୁହାଯାଏ ରାବଣ ସହିତ ଯୁଦ୍ଧ କଲାବେ‌େ‌ଳ ଜଟାୟୁ ପକ୍ଷଛେଦିତ ହୋଇ ଏଠାରେ ଖସିପଡ଼ିଥିଲା। ସୀତାଙ୍କ ବିକଳ ଚିତ୍କାର ଶୁଣି ତାକୁ ଛିନ୍ନପକ୍ଷ ନେଇ ବି ଯୁଦ୍ଧ କରିବାକୁ ହୋଇଥିଲା। ପରି‌େଶଷରେ ରାମ ଏଠାରେ ତାକୁ ମୁକ୍ତି ପ୍ରଦାନ କରିଥିଲେ। ଷୋଡ଼ଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ସମ୍ମୁଖରେ ଏକ ବିରାଟ ପଥ‌ରରେ ନିର୍ମିତ ବୃଷଭ ମୂର୍ତ୍ତି ରହିଛି। ଏଠାରେ ହନୁମାନଙ୍କର ପଦଚିହ୍ନ ମଧ୍ୟ ରହିଛି। ଏହି ମନ୍ଦିରଟି ଏକ ଶିବ (ବୀରଭଦ୍ର) ମନ୍ଦିର। କିନ୍ତୁ ରାମ, ସୀତା, ଜଟାୟୁ, ହନୁମାନ, ଗରୁଡ଼ ଆଦିଙ୍କର ଉପସ୍ଥିତି ହେତୁ ଏହାକୁ ରାମ ବନବାସ ପରିକ୍ରମା ପଥ ସହିତ ସଂଯୁକ୍ତ କରାଯାଇଛି।

ପାରନାଶାଳା-ପର୍ଣ୍ଣଶାଳା- ଦକ୍ଷିଣ ଅଯୋଧ୍ୟା ଭାବରେ କଥିତ ଭଦ୍ରାଚଳ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପର୍ଣ୍ଣଶାଳା ଅବସ୍ଥିତ। କଥିତ ଅଛି, ବନବାସ କାଳରେ ରାମ, ସୀତା ଓ ଲକ୍ଷ୍ମଣ ଏଠାରେ ପର୍ଣ୍ଣଶାଳା (ପତ୍ରକୁଡ଼ିଆ) ନିର୍ମାଣ କରି ବାସ କରୁଥିଲେ। ଏଠାରେ ରାମ ମାରୀଚ ସହିତ ଅନେକ ରାକ୍ଷସଙ୍କୁ ବଧ କରିଥିଲେ। ସଂପ୍ରତି ଏହା ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କୋଠାଗୁଡ଼େମ ଜିଲ୍ଲାର ଘଞ୍ଚ ବୃକ୍ଷଲତା ସଂପନ୍ନ ଏକ ଗ୍ରାମ ମଧ୍ୟରେ ଅବସ୍ଥିତ। ଏଠାରେ ଏକ ସୁନ୍ଦର ପର୍ଣ୍ଣକୁଟୀର ସମ୍ମୁଖରେ କାରୁକାର୍ଯ୍ୟ ସଂପନ୍ନ ରାମ, ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ରହିଛି। ଏହି ସ୍ଥାନକୁ ଶୋକରାମ ମଧ୍ୟ କୁହାଯାଏ। କାରଣ ଏହି ସ୍ଥାନରୁ ମାତା ସୀତା ରାବଣ ଦ୍ବାରା ଅପହୃତା ହେଲା ପରେ ରାମ ଶୋକରେ ଅଧୀର ହୋଇ ପଡ଼ିଥିଲେ। ଏଠାରେ ରାମଙ୍କର ଅନେକ ପଦଚିହ୍ନ ଅଛି। ଏହା ସହିତ ସ୍ବର୍ଣ୍ଣ ମୃଗ ଓ ପୁଷ୍ପକ ବିମାନର ଚକର ଚିହ୍ନ ମଧ୍ୟ ରହିଛି। ଦଶମୁଖ ରାବଣର ମୂର୍ତ୍ତି ମଧ୍ୟ ଏଠାର ଏକ ଆକର୍ଷଣ।
-ଡକ୍ଟର ତୁଳସୀ ଓଝା