ପୁରୁଣା ଭୁବନେଶ୍ୱର: ପେଟପାଟଣା ଚିନ୍ତାରେ ମୂଲ ମଜୁରି ପାଇଁ ଦିନବେଳା ଖଟିବାକୁ ପଡ଼େ। କିନ୍ତୁ ସଂଜ ନଉଁନଉଁ ସେମାନେ ସଜବାଜ ହୋଇ ବାହାରି ପଡ଼ନ୍ତି ପାଠଶାଳା। ବେଶ୍ ଆଗ୍ରହର ସହ ପାଠଶାଳାରେ ଏକାଠି ହୁଅନ୍ତି। ଦି’ ଅକ୍ଷର ଲେଖି ପଢ଼ିବାକୁ ମନରେ ଥାଏ ପ୍ରବଳ ଆଗ୍ରହ। କଥାରେ ଅଛି; ଛତୁ ଫୁଟା କାଠ, ବୁଢ଼ା କାଳ ପାଠ। କିନ୍ତୁ ଏହି ପୁରୁଣାକାଳିଆ ଲୋକକଥାକୁ ସେମାନେ ଭୁଲ୍ ପ୍ରମାଣିତ କରନ୍ତି। ଜ୍ଞାନ ଆହରଣ କରିବା ପାଇଁ ବୟସ ବାଧକ ନୁହେଁ ବୋଲି ଦେଖାଇଦେଇଛନ୍ତି। ବାଲ୍ୟକାଳ ଓ କିଶୋରୀ ବୟସରେ ସେମାନେ ଯାହା କରିବାକୁ ସୁଯୋଗ ପାଇନଥିଲେ, ଆଜି ହାତ ପାହାନ୍ତାରେ ବିନା ମୂଲ୍ୟରେ ସେହି ସୁଯୋଗ ପାଇ ସେମାାନେ ହାତଛଡ଼ା କରନ୍ତେ କିପରି! ପିଲାଦିନେ ସିଲଟ ଦେଖି ନଥିଲେ, ଆଜି ବହି ଓ ଖବରକାଗଜ ପଢ଼ିଲେଣି। ପିଲାଦିନେ ଖଡ଼ି ଧରିନଥିଲେ, ଆଜି କାଗଜ ଉପରେ କଲମ ଚଳାଇ ନିଜ ନାଁ ଲେଖି ଶିଖିଲେଣି। ତେଣୁ ସେମାନେ ବହୁତ ଖୁସି। ଏହା ହେଉଛି କାର୍ଗିଲ୍ ବସ୍ତିର ପାଠଶାଳା ଯାଉଥିବା ମହିଳାମାନଙ୍କ କଥା। ଲିଓରା ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ଏହି ନିଆରା ପ୍ରୟାସ ବସ୍ତିର ମହିଳାମାନଙ୍କୁ ଏମିତି ଆଗକୁ ନେଉଛି, ଯାହା ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ବିକଶିତ ସ୍ତରରେ ପହଞ୍ଚିଛି ବୋଲି କୁହାଯାଉଥିଲେ ହେଁ ସମଗ୍ର ଦେଶରେ ବହୁ ଅନଗ୍ରସର ମହିଳା ପଛରେ ପଡ଼ିଛନ୍ତି। ଅର୍ଥାଭାବ ଯୋଗୁ ଆର୍ଥିକ ଅନଗ୍ରସର ବର୍ଗର ମହିଳାମାନେ ପାଠପଢ଼ାରୁ ବଞ୍ଚିତ ହୋଇ ରହିଯାଉଛନ୍ତି। ସହରର ବସ୍ତିମାନଙ୍କରେ ଏମିତି ବହୁ ମହିଳା ଅଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜଧାନୀ କାର୍ଗିଲ ବସ୍ତିରେ ଲିଓରା ଫାଉଣ୍ଡେସନ୍ ଦୁଇ ବର୍ଷ ହେଲା ପାଠଶାଳା ଚଳାଇଛି। ୭ଟି କେନ୍ଦ୍ର ଖୋଲାଯାଇଛି ଏବଂ ୮ଜଣ ପ୍ରେରକ ବା ଶିକ୍ଷକ ଶ୍ରମଜୀବୀ ମହିଳାମାନଙ୍କୁ ପଢ଼ାଉଛନ୍ତି। ଏଥିପାଇଁ ମହିଳାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ବଡ଼ କଥା ହେଉଛି, ପାଠପଢ଼ା ପାଇଁ ଆବଶ୍ୟକ ବହି, କାଗଜ, ଖାତା, କଲମ ଆଦି ପାଠୋପକରଣ ମାଗଣାରେ ଯୋଗାଇ ଦିଆଯାଉଛି। ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲୁଛି। ଅକ୍ଷର ଲେଖିବା ପଢ଼ିବା ସାଙ୍ଗକୁ ମହିଳାମାନଙ୍କ ଭିତରେ ଆଗ୍ରହ ବଢ଼ାଇବା ପାଇଁ ସାଧାରଣ ଜ୍ଞାନ, ନୃତ୍ୟ ଓ ଚିତ୍ରାଙ୍କନ ଶିକ୍ଷା ମଧ୍ୟ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକ ‘ପ୍ରୋଜେକ୍ଟ ବିଦ୍ୟା’ ଅଧୀନରେ କାମ କରୁଛି ଏବଂ ସହରାଞ୍ଚଳ ବସ୍ତିରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ମହିଳା ସଶକ୍ତୀକରଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଟାଟା ପାୱାର୍ ସହଯୋଗରେ ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି ଏବଂ ଟାଟା ପାୱାର ଚିଫ୍ ସିଏଚ୍ଆର୍ଓ ହିମାଲ୍ ତିୱାରୀ ମଝିରେ ମଝିରେ ତଦାରଖ କରି ପ୍ରଂଶସା କରିଛନ୍ତି। ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ ପ୍ରହରାଜ କୁହନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧ହଜାର ମହିଳା ସ୍ବାକ୍ଷର ହୋଇଛନ୍ତି ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ।
ସୌଜନ୍ୟ ସମ୍ବାଦ