ମହାନଗର

Makar sankranti: ଆସୁଛି ମକର, ଆନମନା କଲାଣି ଗୁଡ଼ି: ମାଞ୍ଜାସୂତା ବିକିଲେ କାର୍ଯ୍ୟାନୁଷ୍ଠାନ

ମକର ସଂକ୍ରାନ୍ତି ଆସିଲେ, ମାଳମାଳ ଗୁଡ଼ିରେ ଆକାଶ ଢାଙ୍କି ହୋଇଯାଏ। ସୁଲୁସୁଲିଆ ଉତ୍ତରା ପବନରେ ମୁକ୍ତ ଆକାଶରେ ମୁଣ୍ଡ ହଲାଇ ରଙ୍ଗବେରଙ୍ଗର ଗୁଡ଼ିଗୁଡ଼ିକ ଆକାଶରେ ଉଡ଼ିଲା ବେଳେ ମନରେ ବେଶ୍‌ ରୋମାଞ୍ଚ ଭରେ।

ଭୁବନେଶ୍ୱର: ମକର ସଂକ୍ରାନ୍ତି ଆସିଲେ, ମାଳମାଳ ଗୁଡ଼ିରେ ଆକାଶ ଢାଙ୍କି ହୋଇଯାଏ। ସୁଲୁସୁଲିଆ ଉତ୍ତରା ପବନରେ ମୁକ୍ତ ଆକାଶରେ ମୁଣ୍ଡ ହଲାଇ ରଙ୍ଗବେରଙ୍ଗର ଗୁଡ଼ିଗୁଡ଼ିକ ଆକାଶରେ ଉଡ଼ିଲା ବେଳେ ମନରେ ବେଶ୍‌ ରୋମାଞ୍ଚ ଭରେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ  ସମସ୍ତେ ଗୁଡ଼ି ଉଡ଼ାଇବାରେ ମାତନ୍ତି। ଏପରିକି ଗୁଡ଼ି ଉଡ଼ାକୁ ଆମ ଓଡ଼ିଶାର ଅନେକ ଲୋକ ଗୀତଠୁ ଆରମ୍ଭ କରି ବହୁ ଚଳଚ୍ଚିତ୍ର ସଂଗୀତରେ ମଧ୍ୟ ସ୍ଥାନ ପାଇଥିଲା। ଗୁଡ଼ିକୁ ନେଇ ବିଶିଷ୍ଟ ଓଡ଼ିଆ ସଂଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ‘ଯା’ରେ ଉଡ଼ି ଏ ମୋର ଗୁଡ଼ି…’ ଭଳି ଗୀତ ଆଜି ବି ଲୋକଙ୍କ ମନରେ ବସାବାନ୍ଧି ରହିଛି। ମକର ଉତ୍ସବ ଆସିଲେ ସହରର ସ୍ଥାନେ ସ୍ଥାନେ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ। ଘରେ ଘରେ ଖବରକାଗଜ ଓ ଖଡ଼ିକାରେ ପିଲାମାନେ ଗୁଡ଼ିକରି ଉଡ଼ାଉଥିଲେ।  ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ମକର ସଂକ୍ରାନ୍ତି ଅାସିଲେ ଗୁଡ଼ି ଆନମନା କରୁଛି। ଆଉ ସେଥିପାଇଁ ତ ରାଜଧାନୀ ବିଭିନ୍ନ ହାଟବଜାରରେ ଗୁଡ଼ି ଓ ନଟେଇର ବେପାର ଜମିଲାଣି।

ଯଦିଓ ଆଉ ପୂର୍ବ ଅପେକ୍ଷା ବେପାର ନାହିଁ ହେଲେ ତଥାପି ଗୁଡ଼ି ବଞ୍ଚିଛି ବୋଲି ଏକ ନମ୍ୱର ହାଟ ବ୍ୟବସାୟୀ ହେମନ୍ତ ଚନ୍ଦ୍ର ସାହୁ କହିଛନ୍ତି। ବର୍ତ୍ତମାନ ଭିନ୍ନ ଭିନ୍ନ ଡିଜାଇନ୍‌ର କାଗଜ ଓ ଜରି ଗୁଡ଼ି ବଜାରକୁ ଆସିଛି।  ବିଶେଷ କରି ପୁଷ୍ପା, କେଜିଏଫ୍‌, ଆନିମଲ୍‌, ତ୍ରିରଙ୍ଗା, କପୋତ, ହାପି ନିୟୁ ୟର, ମୋଟୁ ପତ୍‌ଲୁ, ବେନ୍‌ ଟେନ୍‌ ଭଳି କାର୍ଟୁନ ଚିତ୍ର  ଥିବା ଜରି ଗୁଡ଼ିଗୁଡ଼ିକର ବେଶ୍‌ ଚାହିଦା ରହିଛି। କୁଣ୍ଡ, ଢାବା, ତ୍ରିରଙ୍ଗା, ହରେକ୍‌ ଲାଞ୍ଜ କାଗଜ ଗୁଡ଼ିର ମଧ୍ୟ ଭଲ ବିକ୍ରି ହେଉଛି। ସେହିପରି ୨୦ ଟଙ୍କିଆ ଛୋଟ ପ୍ଲାଷ୍ଟିକ୍‌ ଲଟେଇଠାରୁ ଆରମ୍ଭ କରି ବେତ ଓ ବାଉଁଶରେ ପ୍ରସ୍ତୁତ ଲଟେଇ ବିକ୍ରି ହେଉଛି। ସେହିପରି ବର୍ତ୍ତମାନ ମାଞ୍ଜା ସୂତାର ବ୍ୟବହାର ବନ୍ଦ ଥିବାରୁ ମିଟର ଓ ମୋଟେଇ ଅନୁସାରେ ସାଧା ସୂତା ୨୦ଟଙ୍କାରୁ ଆରମ୍ଭ ହୋଇ ୩୦୦ ପର୍ଯ୍ୟନ୍ତ ରହିଛି। ସେହିପରି ଅନ୍‌ଲାଇନରେ ରଙ୍ଗବେରଙ୍ଗର ବିଶାଳ ପେଚା, କାଉ, ପ୍ରଜାପତି, ସ୍ପାଇଡର, କପୋତ, ଉଡ଼ାହାଜାଜ ଆଦିର ଚାହିଦା ରହିଛି। ସହରର ଏକ ନମ୍ୱର ହାଟ, ରସୁଲଗଡ଼, ନୂଆପଲ୍ଲୀ, ବଡ଼ଗଡ଼, ପୁରୁଣା ଭୁବନେଶ୍ୱର ସମେତ ସହରର ହାଟବଜାରରେ ଗୁଡ଼ି ବେପାର ହେଉଛି। ବ୍ୟବସାୟୀମାନଙ୍କ ମତରେ ଦିନକୁ ୧୦ରୁ ୧୫ ଜଣ ଗୁଡ଼ି ନେଉଛନ୍ତି। ଦ୍ରୁତ ସହରୀକରଣ ଓ ଖୋଲା ପଡ଼ିଆର ଅଭାବ ଯୋଗୁ ଗୁଡ଼ି ଉଡ଼ା ହ୍ରାସ ପାଇଛି ବୋଲି ସେମାନେ କହିଛନ୍ତି।

ସିଲ୍‌ ହେବ ଦୋକାନ: ଡିସିପି

ଭୁବନେଶ୍ବର: ମକର ପୂର୍ବରୁ ଚଳଚଞ୍ଚଳ ହୋଇ ଉଠିଛି ଗୁଡ଼ି ଦୋକାନ। ବିଶେଷକରି ରାଜଧାନୀର ଉପକଣ୍ଠ ଅଞ୍ଚଳରେ ଗୁଡ଼ି ବି ଉଡ଼ିଲାଣି। ସବୁଠୁ ବଡ଼କଥା ହେଲା ଯେ ଗୁଡ଼ିରେ ମାଞ୍ଜାସୂତା ବ୍ୟବହାର ନେଇ ଏବେଠୁ ଆଶଙ୍କା କରାଯାଉଛି। ଯାହାକି ଗତ ଦିନରେ ଲୋକଙ୍କ ପାଇଁ ଘାତକ ସାଜିଛି। ମାଞ୍ଜାସୂତା ଲାଗି କେତେବେଳେ ବାଇକ୍‌ ଚାଳକଙ୍କ ବେକ କଟି ପ୍ରାଣ ଯାଇଛି ତ କେତେବେଳେ ରାସ୍ତାରେ ଯାଉଥିବା ଲୋକ ଆହତ ହୋଇଛନ୍ତି।  ଚଳିତ ବର୍ଷ ମଧ୍ୟ ମାଞ୍ଜାସୂତା ବିକ୍ରି ପୂର୍ବରୁ ଏହାକୁ ଗୁରୁତ୍ବର ସହ ନେଇଛି କମିସନରେଟ୍‌ ପୁଲିସ।

ମାଞ୍ଜାସୂତା ବିକିଲେ କାର୍ଯ୍ୟାନୁଷ୍ଠାନ

ଡିସିପି ଜଗ୍‌ମୋହନ ମୀନା କହିଛନ୍ତି ଯେ ଯେଭଳି କୌଣସି ସ୍ଥାନରେ ମାଞ୍ଜାସୂତା ବିକ୍ରି ନହେବ, ସେଥିଲାଗି ଆମେ ସ୍ଥିତି ଉପରେ ନଜର ରଖିଛୁ। ସମସ୍ତ ଥାନାକୁ ମଧ୍ୟ ଏଥିପାଇଁ ଆଲର୍ଟ କରାଯାଇଛି। ଥାନାଗୁଡ଼ିକ ନିଜ ନିଜ ଅଞ୍ଚଳରେ ଥିବା ଗୁଡ଼ି ବିକ୍ରି ଦୋକାନ ଉପରେ ନଜର ରଖିବେ। ଯଦି କୌଣସି ଦୋକାନୀ ମାଞ୍ଜାସୂତା ବିକ୍ରି କରୁଥିବେ,  ଦୋକାନକୁ ସିଲ୍‌ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଯେଉଁମାନେ ମାଞ୍ଜାସୂତାରେ ଗୁଡ଼ି ଉଡ଼ାଉଥିବାର ନଜରକୁ ଆସିବେ, ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button