Long-term smoking: ସପ୍ତାହକରେ ଛାଡ଼ିହେବ ଦୀର୍ଘକାଳର ଧୂମପାନ

ବର୍ଷେ ନୁହେଁ କି, ଦୁଇ ବର୍ଷ ନୁହେଁ, ପୂରା ୩୫ ବର୍ଷର ସିଗାରେଟ୍‌ଟଣା ଅଭ୍ୟାସ ମାତ୍ର ଗୋଟିଏ ସପ୍ତାହରେ ବର୍ଜନ କରିଥିବା କଥା କହିଛନ୍ତି ଅଭିନେତା ଅରଶଦ ୱାର୍‌ସୀ। ଏଥିପାଇଁ ସେ ଔଷଧପତ୍ର....

ବର୍ଷେ ନୁହେଁ କି, ଦୁଇ ବର୍ଷ ନୁହେଁ, ପୂରା ୩୫ ବର୍ଷର ସିଗାରେଟ୍‌ଟଣା ଅଭ୍ୟାସ ମାତ୍ର ଗୋଟିଏ ସପ୍ତାହରେ ବର୍ଜନ କରିଥିବା କଥା କହିଛନ୍ତି ଅଭିନେତା ଅରଶଦ ୱାର୍‌ସୀ। ଏଥିପାଇଁ ସେ ଔଷଧପତ୍ର ନୁହେଁ, ଗୋଟାଏ ମୋବାଇଲ୍‌ ଆପ୍‌କୁ ସାଧୁବାଦ ଜଣାଇଛନ୍ତି।ସେ କହିଛନ୍ତି, ‘‘ହୁଏ ତ କେହି ପଚାରିପାରନ୍ତି, ଗୋଟାଏ ଆପ୍‌ ଦ୍ବାରା ଜଣେ କିପରି ଧୂମପାନ ଛାଡ଼ିପାରେ? ବିଗତ ୩୫ ବର୍ଷ ହେବ ମୁଁ ଧୂମପାନ କରିଆସୁଥିଲି। ତେଣୁ, ମୁଁ ମନେ ମନେ ଭାବିଲି, ମୁଁ କଦାପି ଧୂମପାନ ଛାଡ଼ି ପାରିବି ନାହିଁ, ଆଉ ଏ ଆପ୍‌ ଦ୍ବାରା ବି… କିନ୍ତୁ, ଧୂମପାନ ବର୍ଜନ କରିବାକୁ ମୁଁ ବ୍ୟାକୁଳ ହେଉଥିଲି। ପୁଣି ମନକୁ ମନ କହିଲି, ହଉ ଚେଷ୍ଟାକରି ଦେଖେ, ଆଉ ମୁଁ ଚେଷ୍ଟାକଲି। ଈଶ୍ବରଙ୍କ ରାଣ ପକାଇ କହୁଛି, କୌଣସି ପାର୍ଶ୍ବପ୍ରତିକ୍ରିୟା ବିନା ମୁଁ ସପ୍ତାହକ ମଧ୍ୟରେ ଧୂମପାନ ଛାଡ଼ିଦେଲି। ସେ ଆପ୍‌ ନାଁ ‘କୁଇଟ୍‌ସିଓର୍‌’। ସେଥିରେ ଗୋଟିଏ ସିଗାରେଟ୍‌ ଟିକ୍‌ଚିହ୍ନ ଅଛି। ସେହି ଆପ୍‌ ଗୋଟାଏ ଉପାୟରେ ଅବଚେତନ ମନକୁ ଜାଗ୍ରତ କରେ। ଉପାୟଟି ହେଉଛି, ଖାଲି ଗୋଟିଏ କଥା ସ୍ମରଣ କରାଇଦେବା ପରି, ଯେମିତି- ଏଇନା ମୁଁ ଚା ପିଇଛି, ଏବେ ମୋତେ ସିଗାରେଟ୍‌…। ସପ୍ତମ ଦିନ ଆପ୍‌ କହିବ- ଆପଣ ଶେଷଥର ଲାଗି ସିଗାରେଟ୍‌ଟିଏ ଟାଣନ୍ତୁ। ସେତେବେଳେ ମୋ ନିକଟରେ ‌ଗୋଟେ ପ୍ୟାକେଟ୍‌ ଭର୍ତ୍ତି ମାର୍ଲବରୋ ସିଗାରେଟ୍‌ ଥିଲା। ମୁଁ ସୁନିଶ୍ଚିତ ଥିଲି ଯେ ସେହି ଆପ୍‌ କଥା ମୋ କ୍ଷେତ୍ରରେ ଫଳପ୍ରଦ ହେବ ନାହିଁ। ଏଇଲାଗେ ମୁଁ ଶେଷ ସିଗାରେଟ୍‌ଖଣ୍ଡକ ଟାଣିଲି। ସତରେ, ସେ ଖୋଳରେ ଥିବା ବାକିତକ ସିଗାରେଟ୍‌ ମୁଁ ଫିଙ୍ଗିଦେଲି। ଆଉ ମୁଁ ସିଗାରେଟ୍‌ ଛୁଇଁଲି ନାହିଁ। ତା’ର ଦୁଇ ଦିନ ପରେ ଆମ ଘରେ ପାର୍ଟି ଆୟୋଜନ କଲୁ। ସେଥିରେ ସମସ୍ତେ ସିଗାରେଟ୍‌ ଟାଣୁଥିଲେ। ସଭିଏଁ ଧୂମପାନ କରୁଥିବା ଦେଖି ମତେ ଆଦୌ ବିରକ୍ତି ଲାଗିଲା ନାହିଁ।

ଉପରୋକ୍ତ ଅନୁଭୂତି ଆମ ମନସ୍ତତ୍ତ୍ବକୁ ନେଇ ତୁମୁଳ ବିତର୍କ ସୃଷ୍ଟି କରିପାରେ। ସତରେ କ’ଣ ଆଚରଣଗତ ଉପଚାର, ପୁରାତନ ବଦଭ୍ୟାସ ବଦଳାଇ ପାରିବ? ଏ ସଂକ୍ରାନ୍ତରେ ଏସିଆନ୍‌ ହସ୍ପିଟାଲ୍‌ର ମନସ୍ତତ୍ତ୍ବ ବିଭାଗର ସହକାରୀ ନିର୍ଦ୍ଦେଶକ ଡାକ୍ତର ମୀନାକ୍ଷି ମନ୍‌ଚନ୍ଦା କହନ୍ତି, ‘‘ଏ କ୍ଷେତ୍ରରେ ଅବଚେତନ ମନ ଜାଗରୁକ ହେବା କଥାଟି ଅସ୍ବାଭାବିକ ଲାଗୁଥାଇପାରେ। କିନ୍ତୁ ଆଚାର ବ୍ୟବହାରଗତ ହସ୍ତକ୍ଷେପ ପୁରାତନ ଅଭ୍ୟାସ ଉପରେ ବି ଗଭୀର ପ୍ରଭାବ ପକାଇପାରେ। ସ୍ମାର୍ଟଫୋନ୍‌ ଆପ୍‌ ତତ୍‌କ୍ଷଣାତ୍‌ ସେ ପ୍ରକାର ମନୋଭାବ ପରିବର୍ତ୍ତନ କରିପାରେ ନାହିଁ, କିନ୍ତୁ ନୂଆ ଧରଣର ଭାବନା ଓ ଆଚରଣ ଉଦ୍‌ବୁଦ୍ଧ କରିବା ଲାଗି ଏହା ଅନୁକୂଳ ପାରିପାର୍ଶ୍ବିକ ଅବସ୍ଥା ସୃଷ୍ଟି କରିପାରେ।

ସେ ଆହୁରି ମଧ୍ୟ କହନ୍ତି, ନିକୋଟିନ୍‌ ଭଳି ରାସାୟନିକ ଉପାଦାନ ଥିଲେ ବି ସିଗାରେଟ୍‌ କେବଳ ରାସାୟନିକ ନିର୍ଭରଶୀଳତା ନୁହେଁ, ମାନସିକ ନିର୍ଭରଶୀଳତା ମଧ୍ୟ। ମିଜାଜ୍‌ ଆମୋଦିତକାରୀ ମସ୍ତିଷ୍କ ନେଟ୍‌ୱର୍କ, ଅବଚେତନଗତ ଆନନ୍ଦ ଓ ଆବେଗିକ ପ୍ରତିକ୍ରିୟା ସହ ନିକୋଟିନ୍‌ ପ୍ରସକ୍ତି ସମ୍ପୃକ୍ତ ଥାଏ। ପୁଣି ଅନେକ ଧୂମପାନକାରୀ ଚା’ପାନ, ମନଫୂର୍ତ୍ତି ଅଥବା ସାଙ୍ଗସାଥୀ ମେଳରେ ସିଗାରେଟ୍‌ ଟାଣନ୍ତି।’’
ଏହି ଆପ୍‌ ନିଷ୍କ୍ରିୟ ଚିନ୍ତାଧାରା ସକ୍ରିୟକାରୀ ଏବଂ ମନ ଓ ମସ୍ତିଷ୍କ ଶାନ୍ତକାରୀ ଅଭ୍ୟାସ ନିମନ୍ତେ ବ୍ୟକ୍ତିଙ୍କୁ ପ୍ରେରିତ କରେ। ଫଳରେ ଧୂମପାନ ଭଳି ବଳବାନ ବଦଭ୍ୟାସ କ୍ରମଶଃ ଦୁର୍ବଳ ହୋଇଯାଏ। ବାରମ୍ବାର ଏଭଳି ଅଭ୍ୟାସ ଉପଯୋଗ କରାଇ ଏହି ଆପ୍‌ ଧୀରେ ଧୀରେ ବ୍ୟକ୍ତିବିଶେଷଙ୍କ ବଦଭ୍ୟାସ ନିଃଶେଷ କରିଦେବା ସହ ଭାରାକ୍ରାନ୍ତ ମନ ହାଲୁକା କରିବା ନିମନ୍ତେ ମନରେ ଯୁକ୍ତିଯୁକ୍ତ ବିଚାରଧାରା ଉଦ୍ରେକ କରାଏ। ଏହି ପଦ୍ଧତିରେ ପୁରାତନ ଧୂମପାନ ଅଭ୍ୟାସ ମଧ୍ୟ ବର୍ଜନ କରାଇବା ସମ୍ଭବ।’’
ପୁନଶ୍ଚ ପୁରାତନ ସିଗାରେଟ୍‌ଟଣା ଅଭ୍ୟାସ ହଠାତ୍‌ ବନ୍ଦ କରିଦେଲେ ଶରୀର ଉପରେ ତଜ୍ଜନିତ କୁପ୍ରଭାବ ନିଶ୍ଚୟ ପଡ଼େ। କିନ୍ତୁ, ଏହାର ସାଂଘାତିକ ପରିଣାମ ସମସ୍ତଙ୍କଠାରେ ସମାନ ରୂପେ ପରିଲକ୍ଷିତ ହୁଏନାହିଁ। କେତେକଙ୍କଠାରେ ଏ କୁପ୍ରଭାବ ଅତି ସାମାନ୍ୟ ହୋଇଥାଏ। ସାଧାରଣତଃ, ଧୂମପାନ ବର୍ଜନ ନିମନ୍ତେ ଦୃଢ଼ମନା ଏବଂ ସେଥିପାଇଁ ବଦ୍ଧପରିକର ଲୋକଙ୍କ ଶରୀରରେ ନିକୋଟିନ୍‌ ବର୍ଜନଜନିତ କୁପ୍ରଭାବ ଅତି କ୍ଷୀଣ ହୋଇଥାଏ। ଅବଶ୍ୟ ସେମାନଙ୍କ ସ୍ବଭାବ ଟିକେ ଚିଡ଼ଚିଡ଼ା ହୋଇଯାଏ, ବେଳେ ବେଳେ ଅବଦମିତ ଇଚ୍ଛା ବଳବତୀ ହୋଇଉଠେ ଏବଂ ନିଦ୍ରା ବିଭ୍ରାଟ ଘଟେ। କିନ୍ତୁ, ଏ ଲକ୍ଷଣ ସବୁ କ୍ଷଣସ୍ଥାୟୀ ବୋଲି ଡାକ୍ତର ମନ୍‌ଚନ୍ଦା କହନ୍ତି।

ସୌଜନ୍ୟ ସମ୍ବାଦ

Exit mobile version