ତାପମାତ୍ରା ବଢ଼ିବା ସାଙ୍ଗକୁ ଲଗାତାର ଗ୍ରୀଷ୍ମପ୍ରବାହ ବେଳେ ଥଣ୍ଡା ରହିବା କେବଳ ଆରାମ ନୁହେଁ, ବରଂ ଏହା ନିଜର ସୁରକ୍ଷା। କାରଣ ଅତ୍ୟଧିକ ଖରା ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ। ଏଥିପାଇଁ କେଉଁସବୁ ଦିଗ ଉପରେ ନଜର ଦେଲେ ନିଜକୁ ଥଣ୍ଡା ରଖିହେବ, ଆସନ୍ତୁ ନଜର ପକାଇବା-
ନିଜକୁ ସୂର୍ଯ୍ୟ ଉପଯୋଗୀ କରନ୍ତୁ: ଅତ୍ୟଧିକ ଖରାବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ। ବାହାରକୁ ଗଲେ ସନସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ମୁଣ୍ଡରେ ଟୋପି ପିନ୍ଧନ୍ତୁ। ଛାଇ ଜାଗାରେ କିଛି କିଛି ସମୟ କାଟନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧିବାକୁ ଭୁଲନ୍ତୁ ନାହିଁ।
ତ୍ବଚାକୁ ଓଦା ରଖନ୍ତୁ: ଗାମୁଛା ବା ତଉଲିଆକୁ ଓଦାକରି ସେଥିରେ ଆପଣ ପୋଛାପୋଛି ହୋଇପାରିବେ। ଗାଧୋଇବା ସମୟରେ ଶୀତଳ ପାଣି ବ୍ୟବହାର କରନ୍ତୁ, ତେବେ ଅତି ଥଣ୍ଡାପାଣି ନୁହେଁ। ଥଣ୍ଡା ପାଣିରେ ଆପଣଙ୍କ ଦୁଇ ହାତ ଓ ଗୋଡ଼କୁ ବୁଡ଼ାଇ କିଛି ସମୟ ରଖନ୍ତୁ।
ପ୍ରଚୁର ପାଣି ପିଅନ୍ତୁ: ତାପମାତ୍ରା ଅଧିକ ଥିଲେ ଆପଣ ପ୍ରଚୁର ପାଣି ପିଅନ୍ତୁ। ସମ୍ଭବ ହେଲେ ବିଭିନ୍ନ ସ୍ପୋର୍ଟସ୍ ଡ୍ରିଙ୍କସ୍ ପିଇପାରିବେ। ଏହି ସମୟରେ ଚା’ ବା କଫିରୁ ବିରତ ରହନ୍ତୁ। ଡିହାଇଡ୍ରେସନ୍ରୁ ମୁକୁଳିବାକୁ ବାରମ୍ବାର ଓ ଅଧିକ ପାଣି ପିଅନ୍ତୁ।
ମଦ୍ୟପାନରୁ ବିରତ ରୁହନ୍ତୁ: ଅତ୍ୟଧିକ ମଦ୍ୟପାନ ବିପଜ୍ଜନକ ହୋଇପାରେ। ଆପଣଙ୍କୁ ଡିହାଇଡ୍ରେସନ୍ର ଶିକାର କରିପାରେ। ସେହିପରି ନିଦକୁ ପ୍ରଭାବିତ କରେ। ନିଦ ପତଳା ହୋଇପାରେ ଓ ବାରମ୍ବାର ନିଦ ଭାଙ୍ଗିପାରେ।
ସନ୍ତୁଳିତ ଖାଦ୍ୟ ବାଛନ୍ତୁ: ଖରାଦିନେ ସବୁବେଳେ ସନ୍ତୁଳିତ ଖାଦ୍ୟ ହିଁ ବାଛନ୍ତୁ। ନିୟମିତ ଓ ସନ୍ତୁଳିତ ଖାଦ୍ୟ ହିଁ ଭଲ। କାକୁଡ଼ି, ତରଭୁଜ ଓ ଷ୍ଟ୍ରବେରି ଖାଇବା ଉପଯୋଗୀ ହୋଇଥାଏ।
ଥଣ୍ଡା ସମୟରେ ଶାରୀରିକ କାର୍ଯ୍ୟକଳାପ କରନ୍ତୁ: ଖରାରେ ବ୍ୟାୟାମ କରିବା ବିପଜ୍ଜନକ। ଏହା ଫଳରେ ଡିହାଇଡ୍ରେସନ୍ ଓ ସନ୍ଷ୍ଟ୍ରୋକ୍ର ଭୟ ରହିଛି। ବ୍ୟାୟାମ ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ସେହିପରି ବ୍ୟାୟାମର କିଛି ସମୟ ପରେ ପ୍ରଚୁର ପାଣି ପିଅନ୍ତୁ ଓ ଥଣ୍ଡ ପାଣିରେ ଗାାଧୋଇପଡ଼ନ୍ତୁ। ଏହା ଆପଣଙ୍କ ଶରୀରକୁ ଶୀତଳ ରଖିବ।
ସୌଜନ୍ୟ ସମ୍ବାଦ
