LPG Cylinder: ଯୁଦ୍ଧ ଭିତରେ ସିଲିଣ୍ଡର ସଙ୍କଟ: ବଡ଼ ସହରରେ ଦେଖାଦେଲାଣି ଗ୍ୟାସର ଘୋର ଅଭାବ, ବନ୍ଦ ହେଇପାରେ ହୋଟେଲ-ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି। ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଶିଳ୍ପ ଉପରେ ପଡ଼ିଛି ।  ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍‌ ଏବଂ ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ।  ଏ ବାବଦରେ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛି ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ । ଏଲ୍‌ପିଜି ସଙ୍କଟ ସ୍ଥିତି ଭିତରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏହାକୁ ଲାଗୁ କରାଯିବ ।

ଦେଶର ବିଭିନ୍ନ ସହରରେ ଗ୍ୟାସ୍ ସଙ୍କଟ ଦେଖା ଦେଇଛି । ମୁମ୍ବାଇ, ବେଙ୍ଗାଲୁରୁର ରେଷ୍ଟୁରାଣ୍ଟରେ କେବଳ ୨ ଦିନ ପାଇଁ ଏଲ୍‌ପିଜି ବଞ୍ଚିଛି । ବେଙ୍ଗାଲୁରୁ ସହରରେ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ଧମକ । ଆଜି ସହର ସଟ୍‌ ଡାଉନ ପାଇଁ ଧମକ ଦେଇଛି ରେଷ୍ଟୁରାଣ୍ଟ ସଂଘ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍‌ । ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ସେହିପରି ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି । ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ । ଅର୍ଥାତ୍ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିର ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର୍ ପାଇଁ ବରାଦ କରିପାରିବେ ଉପଭୋକ୍ତା ।

LPG Photograph: (sambad.in)

 

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଭିତରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ମାପିଚୁପି ଜାଳନ୍ତୁ ରୋଷେଇ ଗ୍ୟାସ୍ । କାରଣ ୨୫ ଦିନ ଭିତରେ ଗ୍ୟାସ୍ ସରିଗଲେ ହଇରାଣ ହେବାକୁ ପଡ଼ିପାରେ । ଏଥିସହ ପେଟ୍ରୋଲ ଡିଜେଲକୁ ବି ନେଇ ଆସିଛି କେନ୍ଦ୍ରର ସ୍ପଷ୍ଟୀକରଣ । ନଜର ପକାନ୍ତୁ ପୂରା ତଥ୍ୟ ଉପରେ ।ଏଲ୍‌ପିଜି କଳାବଜାରୀ ରୋକିବାକୁ ରିଫିଲ୍ ବୁକିଂ ଅବଧି ବଢ଼ାଇବାକୁ ନିଷ୍ପତ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଲୋକେ ତରବରିଆ ଗ୍ୟାସ୍ ବୁକିଂ କରୁଥିବା ସୂଚନା । ‘ପୂର୍ବରୁ ଯେଉଁମାନେ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ କରୁଛନ୍ତି’ । ରିଫାଇନାରିଗୁଡ଼ିକୁ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ନିର୍ଦ୍ଦେଶ । ବାଣିଜ୍ୟିକ ଅପେକ୍ଷା ଘରୋଇ ଗ୍ୟାସ୍ ସଂଯୋଗକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବା ଆଶଙ୍କା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୧୩୦ ଡଲାର୍ ନ ଟପିବା ଯାଏ ଦର ବଢ଼ିବନି । ଦେଶରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଗଚ୍ଛିତ ଥିବା ସୂଚନା ।

ସୌଜନ୍ୟ ସମ୍ବାଦ

Exit mobile version