Madan Lal Welcomes Pakistan U Turn : ପାକିସ୍ତାନର ୟୁ-ଟର୍ଣ୍ଣକୁ ମଦନ ଲାଲଙ୍କ ସ୍ବାଗତ

ବିଶ୍ବକପ୍‌ ବିଜେତା ପୂର୍ବତନ ଭାରତୀୟ କ୍ରିକେଟର୍‌ ମଦନ ଲାଲ ପାକିସ୍ତାନର ୟୁ-ଟର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ବାଂଲାଦେଶକୁ ସମର୍ଥନ କରି ଭାରତ ସହ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ଖେଳିବ ନାହିଁ ଏହି ଦେଶର ସରକାର ଘୋଷଣା କରିଥିଲେ।

ନୂଆଦିଲ୍ଲୀ: ବିଶ୍ବକପ୍‌ ବିଜେତା ପୂର୍ବତନ ଭାରତୀୟ କ୍ରିକେଟର୍‌ ମଦନ ଲାଲ ପାକିସ୍ତାନର ୟୁ-ଟର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ବାଂଲାଦେଶକୁ ସମର୍ଥନ କରି ଭାରତ ସହ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ଖେଳିବ ନାହିଁ ଏହି ଦେଶର ସରକାର ଘୋଷଣା କରିଥିଲେ। କିନ୍ତୁ ଆଇସିସି ଚାପ ଆଗରେ ମୁଣ୍ଡ ନୂଆଇଁବା ସହିତ ବାଲାଂଦେଶ ଓ ଶ୍ରୀଲଙ୍କାର ଅନୁରୋଧ ପରେ ଏ‌ବେ ମତ ବଦଳାଇଛି। ଫଳରେ ଫେବ୍ରୁଆରି ୧୫ ତାରିଖରେ କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ଉଦ୍ଧୀପନା ବଢ଼ିଯାଇଛି। ପାକିିସ୍ତାନର ନିଷ୍ପତ୍ତିକୁ ସ୍ବାଗତ କରି ମଦନ ଲାଲ କହିଛନ୍ତି ‘ଏହି ମ୍ୟାଚ୍‌ ହୋଇନଥିଲେ ବିଶ୍ବକପ୍‌ ତାହାର ଆକର୍ଷଣ ହରାଇଥାନ୍ତା, ଉଭୟ ବିପୁଳ ଆର୍ଥିକ କ୍ଷତି ସହିଥାନ୍ତେ। ବିଶ୍ବକପ୍‌ ବି ମୃତପ୍ରାୟ ହୋଇଯାଇଥାନ୍ତା ବୋଲି କହିଥିଲେ ଏହି ପୂର୍ବତନ ଅଲ୍‌ରାଉଣ୍ଡର୍‌। ବିରାଟ କୋହଲିଙ୍କ ବାଲ୍ୟ ପ୍ରଶିକ୍ଷକ ରାଜକୁମାର ଶର୍ମା ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ‘ନାଟକବାଜୀ’ କହିଛନ୍ତି। ନିକଟ ଅତୀତରେ ଭାରତ ବିପକ୍ଷରେ ବିଜୟୀ ହୋଇପାରୁନଥିବାରୁ ପାକିିସ୍ତାନ ଉପରେ ନିଶ୍ଚିତ ଚାପ ରହିବ ବୋଲି କହିଛନ୍ତି ମଦନ ଲାଲ।

ପିସିବି ପାଞ୍ଚଟି ସର୍ତ୍ତ ରାଜି ହୋଇ ନଥିଲା ଆଇସିସି

ସୂଚନାଯୋଗ୍ୟ, ଆଇସିିସି ପ୍ରତିନିଧି ମଣ୍ଡଳ, ପିସିବି ମୁଖ୍ୟ ମୋହସିନ ନକ୍‌ଭୀ ଓ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ମଧ୍ୟରେ ବସିଥିବା ବୈଠକରେ ହିଁ ଗତିରୋଧ ଦୂର ହୋଇଥିଲା। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପରେ ଏମିରେଟ୍‌ସ କ୍ରିକେଟ୍‌ ବୋର୍ଡ ନକ୍‌ଭୀଙ୍କୁ ପତ୍ର ଲେଖି ମ୍ୟାଚ୍‌ ଖେଳିବାକୁ ଅନୁରୋଧ କରିଥିଲା। ଖେଳିବା ଲାଗି ପିସିବି ଏହି ଅବସରରେ ପାଞ୍ଚଟି ସର୍ତ୍ତ ରଖିଥିଲେ ମଧ୍ୟ ଆଇସିସି କୌଣସି ଗୋଟିକରେ ରାଜି ହୋଇ ନଥିଲା। ଚାରିଆଡ଼ୁ ଚାପ ପଡ଼ିବା ପରେ ନକ୍‌ଭୀ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଜ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପରେ ଛାଡ଼ି ଦେଇଥିଲେ। ପରେ ସରିଫଙ୍କ ସହ ଶ୍ରୀଲଙ୍କା ରାଷ୍ଟ୍ରପ୍ରତି ଅନୁରା କୁମାର ଦିସାନାୟକ କଥା ହୋଇ ପୂର୍ବ ସଂପର୍କ ଦୃଷ୍ଟିରୁ କଲମ୍ବୋରେ ଖେଳାଯିବାକୁ ଥିବା ଏ‌ହି ମ୍ୟାଚ୍‌ ଲାଗି ସବୁଜ ସଙ୍କେତ ଦେବାକୁ ଅନୁରୋଧ କରିଥିଲେ। ସରିଫ ଏହା ପରେ ମାନି ଯାଇଥିଲେ। ସେହିଭଳି ବିଶ୍ବକପ୍‌ରୁ ବିନା କାରଣରେ ଓହରି ଯାଇଥିଲେ ମଧ୍ୟ କ୍ରିକେଟ୍‌ର ହିତ ଦୃଷ୍ଟିରୁ ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି। ଆର୍ଥିକ ଜରିମାନା କିମ୍ବା ପ୍ରତିବନ୍ଧକ ମଧ୍ୟ ଲାଗିବନି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଗ ଗୁପ୍ତା ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ ପିସିବି ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ଥିଲା, ପାକିସ୍ତାନ ସହ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଭାରତକୁ କହିବା, ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବା ଏବଂ ବର୍ଷ ଶେଷ ଆଡ଼କୁ ବାଂଲାଦେଶ ଗସ୍ତ କରିବାକୁ ଭାରତକୁ ରାଜି କରିବା, ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା। ତା’ ସହିତ ୨୦୨୮ରୁ ୨୦୩୧ ଚକ୍ର ଭିତରେ ବାଂଲାଦେଶକୁ ଏକ ଆଇସିସିି ପ୍ରତିଯୋଗିତା ଆୟୋଜନ କରିବାର ଅଧିକାର ପ୍ରଦାନ କରିବା। ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇସିସି ନିଷ୍ପତ୍ତି ନେଇସାରିଥିବା ଗୁପ୍ତା କହିବା ପରେ ପିସିବିର ଏଭଳି ଦାବିର କୌଣସି ମୂଲ୍ୟ ନଥିଲା। ତେବେ ବାଂଲାଦେଶକୁ ଅତିରିକ୍ତ ଗୋଟିଏ ଆଇସିସି ପ୍ରତିଯୋଗିତା ଆୟୋଜନ ଅଧିକାର ପ୍ରଦାନ କରିବା କଥା ବିଚାର କରାଯିବ ବୋଲି ସଂକେତ ଦେଇଛି ଆଇସିସି।

ସୌଜନ୍ୟ ସମ୍ବାଦ

Exit mobile version