ପୁରୀ: ଯବନଙ୍କ ଆକ୍ରମଣ ଯୋଗୁଁ ଅନେକ ଥର ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ମାତ୍ର ଏମିତି ବି ସମୟ ଆସିଲା, ମହାପ୍ରଭୁଙ୍କ ବ୍ରହ୍ମ ସ୍ଥାନାନ୍ତର କରିବାକୁ ପଡ଼ିଲା। ୧୬୨୧ ମସିହାର କଥା। ଅହମ୍ମଦ ବେଗ୍ ଖାଁ ଶ୍ରୀମନ୍ଦିର ଆକ୍ରମଣ କଲା। ଗଜପତିଙ୍କ ପରାମର୍ଶକ୍ରମେ ସେବକମାନେ ପାଇକଙ୍କ ସହାୟତାରେ ନଦୀ ପଥରେ ମହାପ୍ରଭୁଙ୍କୁ ମାଣିକପାଟଣା ନିକଟ ଅନ୍ଧାରୀଗଡ଼ରେ ବିଜେ କରାଇଥିଲେ। ତଥାପି ଅହମ୍ମଦ ନିଶାର୍ଦ୍ଧରେ ଆକ୍ରମଣ କରିବାକୁ ଆଗେଇ ଆସିଲା। ଶ୍ରୀବିଗ୍ରହଙ୍କୁ ସ୍ଥାନାନ୍ତର କରିବାକୁ ସମୟ ମିଳିଲାନାହିଁ। ଶେଷରେ ବିଚାରବିମର୍ଶ କରି ମହାପ୍ରଭୁଙ୍କ ବ୍ରହ୍ମ ଗଡ଼ମାଣିତ୍ରୀକୁ ସ୍ଥାନାନ୍ତର କରାଗଲା।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ‘ଶ୍ରୀଜଗନ୍ନାଥ ଐତିହ୍ୟ ଶତକ’ ପୁସ୍ତକରେ ଦେଇଥିବା ସୂଚନା ମୁତାବକ, ବ୍ରହ୍ମ ସ୍ଥାନାନ୍ତର ହୋଇଥିବାରୁ ଗଡ଼ମାଣିତ୍ରୀରେ ନବକଳେବର ଆୟୋଜନ କରାଯାଇଥିଲା। ଭୋଇ ବଂଶର ଗଜପତି ପୁରୁଷୋତ୍ତମ ଦେବ ବିଜେ କରିଥିଲେ। ତେଣୁ ଅବେଳରେ ନବକଳେବର ହୋଇଥିଲା। ନବକଳେବର ପରେ ଗଜପତିଙ୍କର ୧୬୨୨ରେ ଦେହାନ୍ତ ହୋଇଗଲା। ତାଙ୍କ ପୁତ୍ର ଗଜପତି ନରସିଂହ ଦେବ ଶ୍ରୀକ୍ଷେତ୍ରରେ ପରିବେଶ ଶାନ୍ତ ହେବା ପର୍ଯ୍ୟନ୍ତ ସେଇ ଗଡ଼ରେ ମହାପ୍ରଭୁଙ୍କ ଉପାସନର ବ୍ୟବସ୍ଥା କରାଇଲେ। ଗଡ଼ର ଶ୍ରୀତୃତୀୟା ଦେବଙ୍କ ମନ୍ଦିରରେ ଏବେ ମଧ୍ୟ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରା ଉପାସିତ ହେଉଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ ଶ୍ରୀଗୋବିନ୍ଦଜୀଉ ମନ୍ଦିରରେ ଏହି ଗଡ଼ରେ ଉପାସିତ ହେଉଛନ୍ତି।
ଇତିହାସ କୁହେ ସେଠାରେ ମହାପ୍ରଭୁ ପାଖାପାଖି ଅଢ଼େଇ ବର୍ଷ ରହିଯାଇଥିଲେ। ସେଠାରେ ରଥଯାତ୍ରା ଓ ଚନ୍ଦନଯାତ୍ରା ହୋଇଥିଲା। ମହାପ୍ରଭୁ ସେତେବେଳେ ବିଜେ କରିଥିବା ଶ୍ରୀତୃତୀୟା ଦେବଙ୍କ ମନ୍ଦିରରୁ ପୂର୍ବ ଦିଗରେ ରହିଥିବା ଶ୍ରୀକପିଳେଶ୍ବର ମହାଦେବଙ୍କ ମନ୍ଦିର ଯାଏଁ ରଥଯାତ୍ରା ଦିନ ଯାଇଥିଲେ। ଶ୍ରୀକପିଳେଶ୍ବର ମହାଦେବଙ୍କ ଦକ୍ଷିଣ ପାର୍ଶ୍ବକୁ ଲାଗି ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଥିଲା। ମହାପ୍ରଭୁ ରଥ ଉପରେ ଯିବା ଆସିବା କରିଥିବା ସ୍ଥାନଟି ଏବେ ମଧ୍ୟ ୪ଶହ ବର୍ଷ ପରେ ‘ବଡ଼ଦାଣ୍ଡ’ ରୂପେ ପରିଚିତ। ପରବର୍ତ୍ତୀ ସମୟରେ ଗୁଣ୍ଡିଚା ମନ୍ଦିର ଭାଙ୍ଗିରୁଜି ଯାଇଥିଲା। ସେ ସ୍ଥାନ ଗୁଣ୍ଡିଚାଘର ପଦା ଭାବେ ବିଦିତ ଅଛି। ଡ. ମିଶ୍ରଙ୍କ କହିବା ମୁତାବକ, ପୁରୁଣା କାଗଜପତ୍ରରୁ ମିଳିଥିବା ସୂଚନା ମୁତାବକ ୧୬୨୨ରେ ଶ୍ରୀକପିଳେଶ୍ବର ମହାଦେବଙ୍କ ମନ୍ଦିରର ପୂର୍ବ ଦିଗରେ ଥିବା ଚନ୍ଦନ ପୋଖରୀରେ ଚନ୍ଦନଯାତ୍ରା ହୋଇଥିଲା। ଚନ୍ଦନ ପୋଖରୀର ଚନ୍ଦନ ଚକଡ଼ା ଦକ୍ଷିଣ ଦିଗକୁ ରହିଛି ହାତୀ ଗାଧୁଆ ପୋଖରୀ। ୨୦୧୫ ମସିହାରେ ଦ୍ବିତୀୟ ଥର ଐତିହ୍ୟ ଅନୁସନ୍ଧାନ କରିବାକୁ ଯାଇଥିବା ବେଳେ ଗଡ଼ ମାଣିତ୍ରୀରେ ୨୨ଟି ପୋଖରୀ ଓ ୨୩ ଦଣ୍ଡା ରହିଥିବା ଜାଣିବାକୁ ପାଇଲେ। ସେଥି ମଧ୍ୟରୁ ଜମି ଓ ବଗିଚାରେ ୧୨ଟି ଦଣ୍ଡା ରୂପାନ୍ତରିତ ହୋଇଥିବା ବେଳେ ଏବେ ୧୧ଟି ଦଣ୍ଡା ରହିଛି। ଏହାବ୍ୟତୀତ ୨୨ଟି ପୋଖରୀରୁ ୧୦ଟି ପୋଖରୀର ଅସ୍ତିତ୍ବ ରହିଛି। ସେଥି ମଧ୍ୟରୁ ଚନ୍ଦନ ପୋଖରୀ ଅନ୍ୟତମ ବୋଲି ସେ ଉଲ୍ଲେଖ କରିଛନ୍ତି।
ସୌଜନ୍ୟ ସମ୍ବାଦ

